ହନ୍ତସନ୍ତ ଜୀବନ । ଦହଗଞ୍ଜ ଯନ୍ତ୍ରଣା । ଶ୍ରମିକମାନଙ୍କର ଏହା ହିଁ ହେଉଛି ଭାଗ୍ୟ । ଶ୍ରମ ଶକ୍ତି ଆମର ବଳ । ଶ୍ରମକୁ ସମ୍ମାନ ନାହିଁ । ଶ୍ରମଯୋଗୀଙ୍କୁ ସମବେଦନା ବି ନାହିଁ । ଆମ ସ୍ୱପ୍ନରେ ସମ୍ଭାବନାର ରଙ୍ଗ ମାରୁଥିବା ଶ୍ରମିକ ଭାଇଭଉଣୀମାନଙ୍କୁ ମିଳୁଛି କି ହକ୍? ସରକାର ନୂଆ ଶ୍ରମ ସଂହିତା ଆଣିଛନ୍ତି । ଏ ଆଇନ ଶ୍ରମଶକ୍ତି ପାଇଁ ତିଆରି କରୁ ଉତ୍ସାହ ଓ ସୁରକ୍ଷା ବଳୟ ।

ଅଧିକାରକୁ ସୁରକ୍ଷା । ଦେଶର କୋଟି କୋଟି କର୍ମଚାରୀଙ୍କୁ ଲାଭ । ମିଳିବ ହକ୍ । ସଶକ୍ତ ହେବ ଚାକିରି ସୁରକ୍ଷା । ପୁରୁଣାକାଳିଆ ଆଇନ ହଟିଛି । ଲାଗୁ ହୋଇଛି ସମୟ ଉପଯୋଗୀ ଶ୍ରମ ସଂହିତା । କେବଳ ସଂଗଠିତ ନୁହଁ, ଅସଂଗଠିତ କ୍ଷେତ୍ରର କର୍ମଚାରୀ ଓ ଶ୍ରମିକମାନଙ୍କୁ ମିଳିବ ଅଧିକାର । ଏ ଆଇନ ଦେଶର ଶ୍ରମଶକ୍ତିକୁ ବଳୁଆ କରିବ । ସେମାନଙ୍କ ସାମାଜିକ ସୁରକ୍ଷାକୁ ମଧ୍ୟ ସୁଦୃଢ଼ କରିବ ବୋଲି ଦାବି କରୁଛନ୍ତି ସରକାର । ଟ୍ରେଡ୍ ୟୁନିୟନ୍ ଗୁଡ଼ିକ କିନ୍ତୁ ଭିନ୍ନ କଥା କହୁଛନ୍ତି । ସରକାର ଖାଲି ବାହାବା ନେବାକୁ ସୁନେଲି ସ୍ୱପ୍ନର ନକ୍ସା ଆଙ୍କିଛନ୍ତି । ଏ ଆଇନକୁ ନେଇ ଯେତିକି ପ୍ରଚାର ହେଉଛି ବାସ୍ତବରେ ତାହା ‘ଆକାଶ କଇଁଆ ଚିଲିକା ମାଛ’ । ଏମିତି କଟାକ୍ଷ କରୁଛନ୍ତି କିଛି ଶ୍ରମିକ ସଂଗଠନ । ଆଉ କିଛି ସଂଗଠନ ଏ ନୂଆ ୪ ଆଇନ ଶ୍ରମ ଶକ୍ତି ପାଇଁ ‘ସୁବର୍ଣ୍ଣ ଯୁଗ’ ଆଣିବ ବୋଲି ଯୁକ୍ତି କରି ‘ରେଡ୍ କାର୍ପେଟ୍’ ସ୍ୱାଗତ କରିଛନ୍ତି ।

ଶ୍ରମେବ ଜୟତେ

ସମୃଦ୍ଧ ଭାରତ । ଆତ୍ମନିର୍ଭର ଭାରତ । ବିକଶିତ ଭାରତ । ଶ୍ରମ ଶକ୍ତିର ବିନିଯୋଗ ଓ ସୁରକ୍ଷା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଉଚ୍ଛେଦ ହୋଇଛି ୨୯ଟି ପୁରୁଣା ଶ୍ରମ ଆଇନ । ସାରା ଦେଶରେ ଲାଗୁ ହୋଇଛି ୪ ନୂଆ ଶ୍ରମ ସଂହିତା । ଏ ନୂଆ ଶ୍ରମ ଆଇନ ପ୍ରାୟ ୪୦ କୋଟି ଶ୍ରମିକଙ୍କ ଦରମା, ଗ୍ରାଚ୍ୟୁଇଟି, ଛୁଟି, ଓଭରଟାଇମ୍ ଆଦି ସୁବିଧା ସୁଯୋଗକୁ ଅଧିକ ଅନୁକୂଳ କରିବ । ଶ୍ରମିକମାନଙ୍କୁ ତାଙ୍କ ହକ୍ ଦେବ । ଏହା ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ ଐତିହାସିକ ସଂସ୍କାର ବୋଲି ସରକାର ଯୁକ୍ତି କରୁଛନ୍ତି । ହେଲେ ସମୟ କହିବ ଆଇନ ଅନୁସାରେ ଶ୍ରମିକ ହକ୍ ପାଇବ ନା ‘ଯଥା ପୂର୍ବଂ ତଥା ପରଂ ।’

ଶ୍ରମିକମାନେ ନିର୍ମାଣ କରନ୍ତି ରାଷ୍ଟ୍ରର ସ୍କୁଲ, କଲେଜ, ଡାକ୍ତରଖାନା, ପୋଲରୁ ଆରମ୍ଭ କରି କଳକାରଖାନା । ଭୂମିହୀନ ଶ୍ରମିକ ଖେତରେ ଖଟନ୍ତି । ସୁନା ଫଳାନ୍ତି । ଆମ ପେଟକୁ ଦାନା ଦିଅନ୍ତି । ସମୟ ବଦଳୁଛି । ହେଲେ ବଦଳୁନି ଏହି ମେହନତି ମଣିଷମାନଙ୍କ ଭାଗ୍ୟ । ସରକାରଙ୍କ ‘ଗୋଲାପି’ ଯୋଜନା ଫାଇଲ୍ରେ ବନ୍ଧା ପଡ଼ୁଛି । ପରିସଂଖ୍ୟାନଠୁ ବାସ୍ତବତା ଭିନ୍ନ । ଜୀବନ ଓ ଜୀବିକାର ଦୋ’ଛକିରେ ସେଇମିତି ଛଟପଟ ହେଉଛନ୍ତି । କାହାକୁ କହିବେ? କିଏ ଶୁଣିବ? ଭାଗ୍ୟକୁ ଆଦରି ରହୁଛନ୍ତି । ସକାଳ ପାଇଲେ ପୁଣି ତେଲଲୁଣର ସଂସାର ପାଇଁ ହାଡ଼ଭଙ୍ଗା ପରିଶ୍ରମ ।

ଶ୍ରମିକଙ୍କ କାହାଣୀ କହିଲେ ନ ସରେ । ଯୁଆଡ଼କୁ ଦେଖିଲେ ଦୁର୍ଦ୍ଦଶା ଓ ଯନ୍ତ୍ରଣା । ନିଯୁକ୍ତି ବେଳର ପ୍ରତିଶ୍ରୁତି ପାଣିର ଗାର । କାହାକୁ ଇପିଏଫ୍ ସୁବିଧା ନାହିଁ, ଆଉ କାହାକୁ ମିଳୁନି ଧାର୍ଯ୍ୟ ମଜୁରୀ ଅବା ଇଏସ୍ଆଇରେ ଚିକିତ୍ସା ସେବା । ପ୍ରତାରଣା ଓ ଛଳନାର ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇ ଶ୍ରମିକଟିଏ ପରିବାର ଚଳାଇବାକୁ ଧନ୍ଦି ହେଉଛି । ହେଲେ ତାଅ ସ୍ୱାର୍ଥ ଓ ହକ୍ର ସୁରକ୍ଷା କେବଳ ଆଇନର ଗଣ୍ଡିରେ । ଯେଉଁ ସରକାର ଆସୁ, ସବୁବେଳେ ଶ୍ରମିକ ସମାଜକୁ ମିଳିଛି ଲୋଭନୀୟ ପ୍ରତିଶ୍ରୁତି । ଅସଲରେ ଫଳ ଶୂନ । କେନ୍ଦ୍ର ସରକାର ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଦୃଢ଼ ମୂଳଦୁଆ ପକାଇବାକୁ ଏବେ ୪ଟି ସଂହିତା ଲାଗୁ କରିଛନ୍ତି । ଏଗୁଡ଼ିକ ହେଲା ମଜୁରୀ ସଂହିତା ୨୦୧୯, ଶିଳ୍ପ ସମ୍ପର୍କ ସଂହିତା ୨୦୨୦, ସାମାଜିକ ସୁରକ୍ଷା ସଂହିତା ୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ, କାର୍ଯ୍ୟ ପରିସ୍ଥିତି ସଂହିତା ୨୦୨୦ । ଏ ୪ଟି ନୂଆ ଆଇନ ଗଢ଼ିବ ସୁନାର ଭାରତ । ଶ୍ରମିକ ପରିବାର ପାଇଁ ଆଣିବ ଖୁସି । ଏମିତି ଆଶା ସଂଚାର ହୋଇଛି । ମାତ୍ର ଏହାର ସଫଳତାକୁ ନେଇ ବିବାଦ ଓ ବିତର୍କରେ ପଡ଼ିନି ପୂର୍ଣ୍ଣଚ୍ଛେଦ ।

ଶ୍ରମ ସଂହିତାରେ କ’ଣ ସୁଫଳ

ପାଞ୍ଚ ବର୍ଷ ନୁହଁ, ଏକ ବର୍ଷ । କର୍ମଚାରୀମାନେ ଏଣିକି ଗୋଟିଏ ବର୍ଷ ଚାକିରି କରିଥିଲେ ପାଇବେ ଗ୍ରାଚ୍ୟୁଇଟି । ଗ୍ରାଚ୍ୟୁଇଟି ସୀମା ମଧ୍ୟ ୨୦ ଲକ୍ଷକୁ ବଢ଼ିଛି । ଏହା ପୁଣି ଟିକସମୁକ୍ତ । ଓଭର ଟାଇମ କଲେ ଦି’ଗୁଣା ମଜୁରୀ । ପ୍ରତି ୨୦ଦିନ କାମରେ ଗୋଟିଏ ଦିନ ମିଳିବ ଦରମାଯୁକ୍ତ ଛୁଟି । ଏମିତି କିଛି ସଂସ୍କାର ଆସିଛି ନୂଆ ଆଇନରେ ।

ପ୍ରଥମ ଥର ଅସଂଗଠିତ, ଗିଗ୍, ପ୍ଲାଟଫର୍ମ କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ଲାଭ ପ୍ରଦାନ କରାଯାଇଛି । ୨୦ ଅବା ଅଧିକ କର୍ମଚାରୀ ଥିବା ସଂସ୍ଥା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଅଧୀନକୁ ଆସିବ । ଅଧିକ କର୍ମକ୍ଷେତ୍ର ଏବଂ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହେବେ । ଅବସର ସଞ୍ଚୟ ଭଳି ସାମାଜିକ ସୁରକ୍ଷାର ଲାଭ ମିଳିବ । କାମକୁ ଯିବା ଆସିବା ବେଳେ ଘଟୁଥିବା ଯେକୌଣସି ଦୁର୍ଘଟଣାକୁ “ନିଯୁକ୍ତି ସମୟରେ’ ଦୁର୍ଘଟଣା ଭାବେ ଗ୍ରହଣ କରାଯିବ । ପ୍ରଭାବିତ କର୍ମଚାରୀ ଅବା ସେମାନଙ୍କ ପରିବାର କ୍ଷତିପୂରଣ, ଇଏସ୍ଆଇସି ସୁବିଧା ପାଇବେ । ମହିଳାମାନଙ୍କ ପାଇଁ ବହୁ ସଂସ୍କାରଧର୍ମୀ ବ୍ୟବସ୍ଥା ନୂଆ ସଂହିତାରେ ରହିଛି ।

ମହିଳା କର୍ମଚାରୀମାନଙ୍କୁ ଏହା ସୁରକ୍ଷା ଦେବାରେ ସହାୟକ ହେବ । ପ୍ରସବ ପରେ ମହିଳା କର୍ମଚାରୀ ଛୁଟିରେ ରହି ମଧ୍ୟ ଦୈନିକ ମଜୁରୀ ସହ ପ୍ରସବ ଭତ୍ତା ପାଇବେ । ପ୍ରସବ ପୂର୍ବରୁ ସର୍ବାଧିକ ୮ ସପ୍ତାହ ପ୍ରସବ ଛୁଟି ମିଳିବ । ପ୍ରସବ ପରେ ଛୁଟିରୁ ଫେରି ଜଣେ ମହିଳା କର୍ମଚାରୀ ଘରୁ ମଧ୍ୟ କାମ କରିବାର (ଯଦି ସୁବିଧା ଥାଏ) ପ୍ରାବଧାନ ରହିଛି । ଏହାଛଡ଼ା ୫୦ କିମ୍ବା ତା’ଠାରୁ ଅଧିକ କର୍ମଚାରୀ ଥିବା ଅନୁଷ୍ଠାନ ନିର୍ଦ୍ଧାରିତ ଦୂରତା ମଧ୍ୟରେ କ୍ରେଚ୍ ସୁବିଧା କରିବେ । ମହିଳାମନେ ଦିନକୁ ଚାରି ଥର କ୍ରେଚ୍କୁ ଯାଇପାରିବେ । କ୍ରେଚ୍ ନଥିଲେ ନିଯୁକ୍ତିଦାତା ମାସିକ ୫୦୦ ଟଙ୍କା କ୍ରେଚ୍ ଭତ୍ତା ଦେବେ । ଏହାଛଡ଼ା କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବାଧ୍ୟତାମୂଳକ, ସମୟାନୁସାରେ ଦରମା ସୁନିଶ୍ଚିତ ପ୍ରଦାନ ପାଇଁ ନିୟମ ରହିଛି । କର୍ମଚାରୀମାନଙ୍କୁ ବର୍ଷକୁ ଥରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ମିଳିବ । ଠିକା କର୍ମଚାରୀମାନେ ଏବେ ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଏବଂ ଚାକିରି ଗ୍ୟାରେଣ୍ଟି ମଧ୍ୟ ପାଇବେ । ତୃତୀୟ ଲିଙ୍ଗ କର୍ମଚାରୀମାନେ ମଧ୍ୟ ସମାନ ଅଧିକାର ପାଇବେ । ଓଲା-ଉବର ଡ୍ରାଇଭର, ଜୋମାଟୋ-ସ୍ୱିଗି ଡେଲିଭରି ପାର୍ଟନର, ଆପ୍-ଆଧାରିତ କର୍ମଚାରୀମାନେ ଏବେ ସାମାଜିକ ସୁରକ୍ଷା ଲାଭ ପାଇବେ । ନୂଆ ଶ୍ରମ ସଂହିତା ସମସ୍ତଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବ ।

ରିପୋର୍ଟ ଅନୁଯାୟୀ, ନୂଆ ଶ୍ରମ ସଂହିତା ଲାଗୁ ଦ୍ୱାରା ଆଗକୁ ପ୍ରାୟ ୭୭ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବ । ବେକାରୀ ହାରକୁ ଏହା ପ୍ରାୟ ୧.୩% ହ୍ରାସ କରିବ । ଦେଶରେ ଉପଭୋକ୍ତା ଖର୍ଚ୍ଚରେ ପ୍ରାୟ ୭୫,୦୦୦ କୋଟି ଟଙ୍କାର ବୃଦ୍ଧି ଆକଳନ କରାଯାଇଛି । ବର୍ତ୍ତମାନ ୬୦.୪% ଥିବା ଆନୁଷ୍ଠାନିକ ଶ୍ରମିକଙ୍କ ଅଂଶଧନ ବୃଦ୍ଧି ପାଇ ୭୫.୫% ରେ ପହଞ୍ଚିବ । ବିକଶିତ ଭାରତ ପାଇଁ ଏହା ପାଲଟିବ ସିଡ଼ି ।

ଅବହେଳା, ଅଣଦେଖା, ଶୋଷଣ

ଶ୍ରମ ହିଁ ସଫଳତା । ବିକାଶର ଚାବିକାଠି । ଶ୍ରମିକ ଭାଇଭଉଣୀଙ୍କ ଯୋଗଦାନ ଯେଉଁଠି, ବିକାଶ ହିଁ ସେଇଠି । ଝୁମ୍ପୁଡ଼ିରୁ ସଂସଦ ଭବନର କୋଠା, ସବୁଠି ଶ୍ରମିକଙ୍କ ସ୍ୱାକ୍ଷର । ହେଲେ ଏ ଶ୍ରମଯୋଗୀମାନଙ୍କୁ ଆମେ କେତେ ସମ୍ମାନ କରୁ? ତାଙ୍କ ଶ୍ରମର ମୂଲ୍ୟ କେତେ ଦେଉ? କେଉଁଠି ସର୍ବନିମ୍ନ ମଜୁରୀ ଦେବାକୁ କୁନ୍ଥକୁନ୍ଥ ତ ଆଉ କେଉଁଠି ନାଲିଆଖି । କର୍ମକ୍ଷେତ୍ରରେ ନିରାପତ୍ତା ଓ ସୁରକ୍ଷା ତ ଆକାଶ କଇଁଆ ଚିଲିକା ମାଛ।

ଶ୍ରମ ହିଁ ଶକ୍ତି । ଶ୍ରମିକମାନେ ହେଉଛନ୍ତି ଆମର ବଳ । ସମାଜର ଏହି ନିଷ୍ଠାବାନ ଓ ସଚ୍ଚୋଟ ଶ୍ରେଣୀ ପାଇଁ କିଏ ବା ଚିନ୍ତା କରୁଛି? ଏତେ ସପନକୁ ରାତି ବା କାହିଁ? ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ଅଧାବାଟରେ ଝୁଣ୍ଟୁଛି । ଶ୍ରମିକଟିଏ ଆମ ସ୍ୱପ୍ନକୁ ହିଁ ସଜାଡ଼େ । ଆମ ଜୀବନକୁ ସରସ ସୁନ୍ଦର କରୁଥିବା ଏ ଶ୍ରମଗୋଷ୍ଠୀ କାଳେ କାଳେ ଶୋଷିତ ଓ ନିଷ୍ପେସିତ । ଆମ ସମାଜ ଓ ସରକାର ସବୁବେଳେ ସେମାନଙ୍କୁ ଅଣଦେଖା କରି ଆସିଛି । ଦେଶ ଆଗେଇଛି । ଭିତ୍ତିଭୂମି ନିର୍ମାଣରେ ଆମେ ବଡ଼ ଲମ୍ଫ ମାରିଛୁ । ବଦଳିନି କିନ୍ତୁ ଶ୍ରମଯୋଦ୍ଧାଙ୍କ ଭାଗ୍ୟ । ସେଇମିତି ଅନିଶ୍ଚିତ, ଛଟପଟ ଆଉ ଦହଗଞ୍ଜର ଜୀବନ । ନୂଆ ସଂସ୍କାରରେ ତ ବହୁ ଲୋଭନୀୟ ସୁବିଧା ଅଛି । ହେଲେ ଆଇନ ଫାଇଲ୍ର ଗଣ୍ଡିରୁ ବାହାରୁ। ଶ୍ରମିକଙ୍କ କଲ୍ୟାଣରେ ଲାଗୁ । ଶ୍ରମଯୋଦ୍ଧାଙ୍କୁ ମିଳୁ ହକ୍ ଓ ଅଧିକାର । ଶିଳ୍ପ ସଂସ୍ଥା, ବାଣିଜ୍ୟିକ ପ୍ରତିଷ୍ଠାନ ଛଳନାର ଖେଳ ନ ଖେଳନ୍ତୁ । ସରକାର ଖାଲି ଆଇନ ଆଣିଲୁ କହି ଆତ୍ମସନ୍ତୋଷର ଘୁଙ୍ଗୁଡ଼ି ନ ମାରନ୍ତୁ । ତୃଣମୂଳସ୍ତରରୁ ବାସ୍ତବତାକୁ ପରଖନ୍ତୁ । ଯେଉଁଠି ତ୍ରୁଟି ବିଚ୍ୟୁତି ରହୁଛି ତା’କୁ ସୁଧାରିବାକୁ ଆନ୍ତରିକତା ଦେଖାନ୍ତୁ । ସରକାର, ଶ୍ରମିକ ସଂଗଠନ ଓ ନିଯୁକ୍ତିଦାତା ସମସ୍ୱରରେ କହନ୍ତୁ- ଶ୍ରମେବ ଜୟତେ ।