ନୂଆଦିଲ୍ଲୀ, ୧୦/୦୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ) ଏହାର ହିତାଧିକାରୀଙ୍କ ଲାଗି ଶୀଘ୍ର ଏକ ମୋବାଇଲ ଆପ୍ଲିକେସନ ଆଣିବ । ଏହାଦ୍ୱାରା ୟୁପିଆଇ ଜରିଆରେ ଇପିଏଫ୍ ଟଙ୍କା ଉଠାଇ ହେବ । ମନିକଣ୍ଟ୍ରୋଲ ରିପୋର୍ଟ ମୁତାବକ, ଇପିଏଫ୍ଓର ଏହି ଆପ୍ଲିକେସନ ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲରେ ଆସିବାକୁ ଯାଉଛି । ବର୍ତ୍ତମାନ ଏହାର ପରୀକ୍ଷଣ ହେଉଛି । ଇପିଏଫ୍ଓ ଆପ୍ଲିକେସନ ଉମଙ୍ଗ ଆପ୍ଲିକେସନ ଠାରୁ ଭିନ୍ନ ରହିବ । ଆପ୍ଲିକେସନଟି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ରହିବ । ଏହା ସହ ଏହା ଭୀମ ଏବଂ ଅନ୍ୟ ୟୁପିଆଇ ଆପ୍ଲିକେସନ ସହ ମଧ୍ୟ ଯୋଡ଼ି ହେବ । ଫଳରେ ସଦସ୍ୟ ମାନେ ଭବିଷ୍ୟନିଧି ଅର୍ଥକୁ ୟୁପିଆଇ ଜରିଆରେ ସିଧା ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାର ସୁବିଧା ପାଇବେ ।

ଆହୁରି ପଢ଼ନ୍ତୁ:- ମୁଡିସ୍ ଅନୁମାନ; ଜି-୨୦ ଦେଶରେ ଭାରତର ଅଭିବୃଦ୍ଧି ରହିବ ଅଧିକ, ଘରୋଇ ଚାହିଦା ବଢ଼ିବ, ବ୍ୟାଙ୍କ୍ ସ୍ଥିତି ସୁଧୁରିବ

ଏଥିଲାଗି ସଦସ୍ୟଙ୍କୁ ଆପ୍ଲିକେସନରେ ଲଗ୍ ଇନ୍ କରିବାକୁ ହେବ । ଏହାଦ୍ୱାରା ସଦସ୍ୟ ନିଜର ଯୋଗ୍ୟ ଇପିଏଫ୍ ବାଲାନ୍ସ ଦେଖିପାରିବେ । ୟୁପିଆଇ ପିନ୍ ଦେଇ ନେଣଦେଣକୁ ସମ୍ପୂର୍ଣ୍ଣ କରିପାରିବେ । ଅର୍ଥ ତୁରନ୍ତ ଯୋଡ଼ି ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ । ପାସ୍ ବୁକ ବାଲାନ୍ସ ଚେକ୍ କରିବା ଭଳି ଅନ୍ୟ ସେବା ମଧ୍ୟ ଏହି ଆପ୍ଲିକେସନରେ ମିଳିବ । ୧୦୦ ଆକାଉଣ୍ଟରେ ଏହାକୁ ପରୀକ୍ଷଣ କରାଯାଉଛି । ଶ୍ରମ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ଉପରେ କାମ କରୁଛି । ଚୂଡ଼ାନ୍ତ ପରୀକ୍ଷଣ ପରେ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯିବ । ଇପିଏଫ୍ଓର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜମାର କିଛି ଅଂଶ ଫ୍ରିଜ କରାଯିବ ।

ଅର୍ଥାତ ନିର୍ଦ୍ଧିଷ୍ଟ ସ୍ତର ଯାଏ ରାଶି ଉଠାଣ ହୋଇପାରିବ । ଅନୁମୋଦିତ ଅଂଶକୁ ବ୍ୟାଙ୍କ ଆକାଉଣ୍ଟରେ ୟୁପିଆଇ ଜରିଆରେ ଉଠାଇ ହେବ । ପିଏଫ୍ ଉଠାଣ ଏହା ଦ୍ୱାରା ସହଜ ହେବ । ଚିକିତ୍ସା, ପାଠପଢ଼ା, ବିବାହ, ଘରୋଇ ଆବଶ୍ୟକତା କ୍ଷେତ୍ରରେ ଅର୍ଥ ଶୀଘ୍ର ମିଳିବ ।

ଆହୁରି ପଢ଼ନ୍ତୁ :- ବୟଫ୍ରେଣ୍ଡ୍ ସହ ଫେରାର୍ ହେବାକୁ ନାଗିନ ଡ୍ରାମା, ଖଟ ଉପରେ କାତି, ଚୁଡ଼ି ଓ ସିନ୍ଦୂର ଥୋଇ ଯୁବତୀ ଛୁ...