ଭୁବନେଶ୍ୱର,୦୩/୦୨: ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ଅଧିକାରୀ ଓ କର୍ମଚାରୀଙ୍କ ବଦଳି ପାଇଁ ନୂଆ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଣିକି ଅଫ୍‌ଲାଇନ୍‌ରେ କୌଣସି ବଦଳି ଆବେଦନ ଗ୍ରହଣ ହେବନାହିଁ । ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ପୋର୍ଟାଲ୍ https://transfer.hrmsodisha.gov.in/ ଆରମ୍ଭ କରିଛି । ବଦଳି ଚାହୁଁଥିବା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏହି ପୋର୍ଟାଲ୍‌ରେ  ନିଜର କାଗଜପତ୍ର ସହ ଆବେଦନ କରିପାରିବେ ।

ବଦଳି ସମ୍ବନ୍ଧୀୟ ତଥ୍ୟ ଓ ଅନୁପାଳନ ସମ୍ପର୍କରେ ତଦାରଖ କରିବା ଲାଗି ଜିଲ୍ଲାସ୍ତରରେ ଜଣେ ଲେଖାଏଁ ସଂଯୋଜକଙ୍କୁ ଦାୟିତ୍ୱ ଦିଆଯାଇଛି । କର୍ମଚାରୀମାନେ ପ୍ରତିବର୍ଷ ଜାନୁଆରୀ ୧୫ରୁ ଫେବ୍ରୁଆରୀ ୧୪ ଭିତରେ ପୋର୍ଟାଲରେ ଆବେଦନ କରିପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଏ ନେଇ ସମସ୍ତ ସିଡିଏମ୍ଓ, ପିଏଚ୍ଓଙ୍କ ସମେତ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

ଆହୁରି ପଢ଼ନ୍ତୁ:- ଏଣିକି ଫାଇଲ୍ ବଦଳରେ ଚିଠି ଓ ଇ-ମେଲ୍ ଜରିଆରେ ମଗାଯିବ ସ୍ପଷ୍ଟୀକରଣ, ବ୍ୟବସ୍ଥା ବଦଳାଇବାକୁ ଜିଲ୍ଲା ପ୍ରଶାସନର ଉଦ୍ୟମ

ଚିଠିରେ ଉଲ୍ଲେଖ ରହିଛି, କର୍ମଚାରୀଙ୍କ ବଦଳି ଆବେଦନକୁ ଗ୍ରହଣ କଲାପରେ ଖାଲିଥିବା ପଦବି ଅନୁଯାୟୀ ନିଯୁକ୍ତି ଦିଆଯିବ । ଆବେଦନକାରୀ ପୋର୍ଟାଲ୍‌ରେ ଚାକିରି ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଦାଖଲ କରିବେ । ସେଥିପାଇଁ ଜିଲ୍ଲାସ୍ତରରେ ଦାୟିତ୍ୱରେ ଥିବା ସଂଯୋଜକ ସହଯୋଗ କରିବେ । ଯେଉଁମାନେ ପୋର୍ଟାଲ୍ରେ ଚାକିରି ସମ୍ବନ୍ଧୀୟ କାଗଜପତ୍ର ଦାଖଲ ନ କରିବେ, ସେମାନଙ୍କ ଆବେଦନକୁ ଅଗ୍ରାହ୍ୟ କରାଯିବ । ଆବେଦନ ପ୍ରତ୍ୟାହାର ଏବଂ ପୁନଃ ଆବେଦନ ବ୍ୟବସ୍ଥା ମଧ୍ୟ ରହିଛି । ଡାକ୍ତରଙ୍କ ବ୍ୟତୀତ ଅନ୍ୟ ଗ୍ରୁପ୍-ସି ଓ ଡି କର୍ମଚାରୀ ମଧ୍ୟ ଅନ୍ତଃଜିଲ୍ଲାସ୍ତରୀୟ ସହମତିରେ ବଦଳି ପାଇଁ ଆବେଦନ କରିପାରିବେ ।

ଓଡ଼ିଶା ମେଡିକାଲ ସର୍ଭିର୍ସ ଆସୋସିଏସନ (ଓମ୍‌ସା ) ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର କହିଛନ୍ତି, ଅନ୍‌ଲାଇନ୍‌ରେ ବଦଳି ଆବେଦନ ପ୍ରକ୍ରିୟାକୁ ସ୍ୱାଗତ କରୁଛୁ । ଏଥିରେ କେବିକେ ଅଞ୍ଚଳରେ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଡାକ୍ତରମାନେ ଉପକୃତ ହେବେ । ଓମ୍ସା ଆନ୍ଦୋଳନ ପାଇଁ ଏହା ସମ୍ଭବ ହୋଇପାରିଲା । ଖୁବ୍ଶୀଘ୍ର ଡିଏସିପି ନେଇ ବୈଠକ ବସିବ ବୋଲି ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ :- ସରକାରୀ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ପାଳନକୁ କଡ଼ା ନିର୍ଦ୍ଦେଶ, ଓକେସିଏଲର ଓଏସ୍ସିଆଇଟି କୋର୍ସ ବାଧ୍ୟତାମୂଳକ