ଭୁବନେଶ୍ୱର,୨୭/୦୩: ରାଜ୍ୟରେ ଆସିବ ନୂଆ ବଦଳି ନୀତି । ରାଜନୈତିକ ଛତ୍ରଛାୟା ତଳେ ବହୁ ବର୍ଷ ହେବ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥିବା ଅଧିକାରୀଙ୍କ ବଦଳି କରାଯିବ । ସରକାରୀ କର୍ମଚାରୀମାନଙ୍କର ଏକ ନୂଆ ବଦଳି ନୀତି ଆସିବ । ଯାହା ଦ୍ୱାରା ରାଜ୍ୟରେ  ଥିବା ପ୍ରଶାସନିକ ଆବଶ୍ୟକତା ଓ କର୍ମଚାରୀଙ୍କ ମଙ୍ଗଳ ହୋଇପାରିବ । ସେହିପରି ୨୦୩୬ ସୁଦ୍ଧା ଓଡ଼ିଶା  ହେବ ଦେଶର ଏକ ନମ୍ବର ରାଜ୍ୟ । ସେଥିପାଇଁ ଆମ ସରକାର ଶାସନକୁ ଆସିବାର ପ୍ରଥମ ଦିନରୁ  "ଦୁର୍ନୀତି ପ୍ରତି ଜିରୋ ଟଲରେନ୍ସ୍‌' ନୀତି ଅବଲମ୍ୱନ  କରି ଆସୁଛି । କେବଳ କଥାରେ ନୁହେଁ, କାର୍ଯ୍ୟରେ ବି ଦୁର୍ନୀତି ବିରୋଧରେ ଯୁଦ୍ଧ ଜାରି ରଖିଛି ବୋଲି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।  

ବୁଧବାର ବିଧାନସଭାରେ ସାଧାରଣ ପ୍ରଶାସନ ଓ  ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନା  ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୪ ଜୁନ୍‌ରୁ ଏ  ପର୍ଯ୍ୟନ୍ତ ମୋଟ ୩୧୨ ଜଣଙ୍କ ବିରୋଧରେ ୧୭୩ଟି  ମାମଲା ରୁଜୁ କରାଯାଇଛି । ୧୫୬ ଜଣ ବ୍ୟକ୍ତିଙ୍କୁ  ବିଭିନ୍ନ ମକଦ୍ଦମାରେ ଗିରଫ କରାଯାଇଛି । ଏହି  ସମୟରେ ୨୯୭ଟି ମାମଲାରେ ତଦନ୍ତ ଶେଷ  କରି ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି । ୮୨ଟି  ମକଦ୍ଦମାରେ ସମୁଦାୟ ୧୨୩ ଜଣ ଦୋଷୀ ସାବ୍ୟସ୍ତ  ହୋଇଛନ୍ତି । ଭିଜିଲାନ୍ସ ଅଦାଲତର ଦଣ୍ଡାଦେଶ ଯୋଗୁଁ  ୧୧ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଏହା  ବ୍ୟତୀତ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ  ଅଭିଯୋଗରେ ୯୭ ଜଣଙ୍କ ବିରୋଧରେ  ୫୩ଟି ମକଦ୍ଦମା ରୁଜୁ ହୋଇଛି ।  ଯେଉଁଥିରେ ପ୍ରାୟ ୧୩୧ କୋଟି  ୯୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ  ସମ୍ପତ୍ତି ଠାବ କରାଯାଇଛି ।

 ରାଜ୍ୟ  ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟକୁ  ସଶକ୍ତ କରିବା ପାଇଁ ଚଳିତ ଆର୍ଥିକ  ବର୍ଷରେ ମୋଟ ୧୩୩ କୋଟି ୩୭ ଲକ୍ଷ ଟଙ୍କା  ବ୍ୟୟ ବରାଦ ହୋଇଛି । ଏହାଛଡ଼ା, ଦୁର୍ନୀତି ନିବାରଣ  ନିର୍ଦ୍ଦେଶାଳୟର ଅଣ-ଆବାସିକ ତଥା ଆବାସିକ  ଭିତ୍ତିଭୂମିର ବିକାଶ ପାଇଁ ୩୬ କୋଟି ୭୦ ଲକ୍ଷ ଟଙ୍କା  ବ୍ୟୟବରାଦ କରାଯାଇଛି । ଆମ ସରକାରଙ୍କ ଲକ୍ଷ୍ୟ  ହେଉଛି, ଦୁର୍ନୀତିଗ୍ରସ୍ତ ଅଫିସର ଏବଂ ଦୁର୍ନୀତିଗ୍ରସ୍ତଙ୍କ  ମନରେ ଭୟ ସଞ୍ଚାର କରିବା । ଗତ ସରକାର  ଅମଳରେ ଦୁର୍ନୀତି ଉପାୟରେ ଯେଉଁମାନେ ଟଙ୍କା,  ସୁନା, ଗହଣା, ପ୍ଳଟ, ଫ୍ଲାଟ ଉପାର୍ଜନ କରିଛନ୍ତି,  ଆଜି ସେମାନେ ପ୍ରତି ମୁହୂର୍ତ୍ତରେ ଭୟାତୁର ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି ।   

ସେହିପରି ପୂର୍ବ ସରକାର ବେଳେ ୧୬  ବର୍ଷ ହେବ ଅଭିଯୋଗ ପ୍ରକୋଷ୍ଠ  ଆସୁନଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ।  ମାତ୍ର ଏବେ ମୁଖ୍ୟମନ୍ତ୍ରୀଙ୍କ  ଅଭିଯୋଗ ପ୍ରକୋଷ୍ଠ ଚଳ ଚଞ୍ଚଳ  ହୋଇଉଠିଛି । ଏହି ନିଷ୍ପତ୍ତି ଯୋଗୁ  ୨୦୨୪ ଜୁଲାଇରୁ ଏ ପର୍ଯ୍ୟନ୍ତ  ୯୩୭୭ଟି ଅଭିଯୋଗର ଶୁଣାଣି  କରାଯାଇଛି । ମିଳିଥିବା ଅଭିଯୋଗରୁ ପ୍ରାୟ  ୮୩ ପ୍ରତିଶତ ଅଭିଯୋଗର ତ୍ୱରିତ ସମାଧାନ  ହୋଇଛି । ଏହା ବ୍ୟତୀତ ଅଭିଯୋଗ ପଞ୍ଜୀକରଣ  ପ୍ରକ୍ରିୟାକୁ ସହଜ ଓ ସମୟ ଉପଯୋଗୀ କରିବା  ପାଇଁ, ଅଗ୍ରୀମ ଅନ୍‌ଲାଇନ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ  କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।