ନୂଆଦିଲ୍ଲୀ,୧୪।୧୦: ହରିୟାଣାର ଚଣ୍ଡୀଗଡରେ ଆଇପିଏସ୍‌ ଅଫିସର ଓ୍ବାଇ ପୁରନ୍ କୁମାରଙ୍କ ଆତ୍ମହତ୍ୟା ମାମଲାରେ ଆସିଛି ନୂଆ ଟ୍ବିଷ୍ଟ । ଏହି ମାମଲାର ଯାଞ୍ଚ କରୁଥିବା ଜଣେ ଏଏସ୍‌ଆଇ ଏବେ ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ପୁଲିସକୁ ଘଟଣାସ୍ଥଳରୁ ସୁସାଇଡ୍‌ ନୋଟ୍ ଓ ଭିଡିଓ ମେସେଜ୍ ମିଳିଛି। ଯେଉଁଥିରେ ସେ ଏଏସ୍‌ଆଇ ମୃତ ଆଇପିଏସ୍ ଅଧିକାରୀ ପୁରନ୍ କୁମାରଙ୍କ ଉପରେ ବହୁ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ଆଇପିଏସ୍‌ ପୁରନ୍ କୁମାର ୭ ଅକ୍ଟୋବରରେ ଚଣ୍ଡୀଗଡ଼ରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସେ ନିଜର ସୁସାଇଡ୍ ନୋଟ୍‌ରେ ହରିୟାଣାର ଡିଜିପି ଓ ରୋହତକର ପୂର୍ବତନ ଏସପିଙ୍କ ଉପରେ ନିର୍ଯ୍ୟାତନା ଦେବାର ଗମ୍ଭୀର ଅଭିଯୋଗ ଆଣିଥିଲେ।

ଅନ୍ୟପକ୍ଷେ ଏଏସ୍‌ଆଇ ସନ୍ଦୀପ କୁମାର ନିଜର ତିନି ପୃଷ୍ଠାର ସୁସାଇଡ୍ ନୋଟ୍‌ରେ ଆଇପିଏସ୍ ପୁରନ୍ କୁମାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଲେଖିଛନ୍ତି, ପୁରନ୍ କୁମାର ଦୁର୍ନୀତିରେ ଲିପ୍ତ ଥିଲେ। ସେ ଜାତିବାଦର ସାହାର ନେଇ ସିଷ୍ଟମକୁ ହାଇଜ୍ୟାକ୍ କରୁଥିଲେ।ତାଙ୍କ ବିରୋଧରେ ମୋ ପାଖରେ ଅନେକ ପ୍ରମାଣ ରହିଛି। ଡିଜିପି ଜଣେ ଖୁବ୍ ସଚ୍ଚୋଟ ଅଫିସର।’

ସନ୍ଦୀପ କୁମାରଙ୍କ ମୃତଦେହ ରୋହତକ-ପାନିପତ ରୋଡ୍‌ ନିକଟରେ ଥିବା ଏକ ଟ୍ୟୁବଓ୍ବେଲ ନିକଟରୁ ମିଳିଛି। ସନ୍ଦୀପ ସୁସାଇଡ୍ ନୋଟ୍‌ରେ ଆହୁରି ଲେଖିଛନ୍ତି, ମୁଁ  ‘ଭ୍ରଷ୍ଟ ସିଷ୍ଟମ ବିରୋଧରେ ଶହୀଦ’  ହୋଇଛି। ଏଭଳି ଦୁର୍ନୀତିଗ୍ରସ୍ତ ପରିବାରକୁ ଛାଡନ୍ତୁ ନାହିଁ। ମରିବା ପୂର୍ବରୁ ମୁ ‘ଭ୍ରଷ୍ଟ ବ୍ୟବସ୍ଥା’ର ପର୍ଦ୍ଦାଫାଶ କରିବାକୁ ଚାହୁଁଥିଲି।’ ଉଲ୍ଲେଖନୀୟ ଯେ, ଏଏସଆଇ ସନ୍ଦୀପ କୁମାର ରୋହତକରେ ସାଇବର ସେଲ୍‌ରେ ମୁତୟନ ଥିଲେ।