ନୂଆଦିଲ୍ଲୀ: କଲେଜର ଜଣେ ମହିଳା ପ୍ରଫେସର ସେହି କଲେଜରେ ପଢୁଥିବା ଜଣେ ପ୍ରଥମ ବର୍ଷର ଛାତ୍ରଙ୍କୁ କ୍ଲାସ ରୁମରେ ବିବାହ କରିଥିବା ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭିଡିଓଟି ଭାଇରାଲ ହେବା ପରେ ଉକ୍ତ ପ୍ରଫେସର ଜଣଙ୍କୁ କଲେଜ କତ୍ତୃପକ୍ଷ ଛୁଟିରେ ଘରକୁ ପଠାଇଦେଇଛନ୍ତି। ତେବେ ଏହି ବାହାଘର ପ୍ରକ୍ରିୟା ଏକ ପ୍ରୋଜେକ୍ଟର ଅଂଶ ଥିଲା ବୋଲି ପ୍ରଫେସର ଜଣକ ଦାବି କରିଛନ୍ତି।

ସୂଚନା ମୁତାବକ, ଏହି ଘଟଣା ପଶ୍ଚିମବଙ୍ଗର ହରିଣଘାଟରେ ଥିବା ମୌଲାନା ଅବୁଲ କଲାମ ୟୁନିଭରସିଟି ଅଫ ଟେକ୍ନୋଲୋଜି(ଏମଏକେଏୟୁଟି)ର ବୋଲି ସୂଚନା ମିଳିଛି। ଏହି ଭାଇରାଲ ଭିଡିଓରେ ପ୍ରଫେସର ଜଣକ କନ୍ୟା ବେଶରେ ସଜେଇ ହୋଇଥିବା ଜଣେ ପ୍ରଥମ ବର୍ଷର ଛାତ୍ରଙ୍କୁ ବରଣମାଳା ପିନ୍ଧାଇବା ସହ ତାଙ୍କ ହାତରୁ ନିଜ କପାଳରେ ସିନ୍ଦୁର ପିନ୍ଧୁଥିବା ଦେଖିବାକୁ ମିଳୁଛି। ଏହି ବିବାହରେ ଉପସ୍ଥିତ ଥିବା ଛତ୍ରଛାତ୍ରୀ ମାନେ ଏକ ହାତଲେଖା ଚିଠିରେ ଉଭୟଙ୍କ ବିବାହରେ ସାକ୍ଷୀ ଭାବେ ଦସ୍ତଖତ କରିଥିବା ଏକ ଚିଠି ମଧ୍ୟ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। 

ଏହି ଘଟଣା ବିଭିନ୍ନ ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାରେ ସମୃକ୍ତ ଥିବା ପ୍ରଫେସର ଜଣଙ୍କ ଏହାକୁ ଏକ ପ୍ରୋଜେକ୍ଟର ଅଂଶ ବୋଲି କହିଛନ୍ତି। ଏହି ଘଟଣାରେ ୟୁନିଭରସିଟିର ଅଧିକାରୀମାନେ ପ୍ରଫେସରଙ୍କୁ ଛୁଟିରେ ଘରକୁ ପଠାଇଦେବା ସହ ଏହି ଘଟଣାର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଥିବା ସୂଚନା ମିଳିଛି।

ସମୃକ୍ତ ପ୍ରଫେସର ଜଣଙ୍କ ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଏହା ଏକ ପ୍ରୋଜେକ୍ଟର ଅଂଶ ଥିଲା ବୋଲି କହିଛନ୍ତି। ତାଙ୍କୁ ବଦନାମ କରିବାକୁ କେତେକ କୁଚକ୍ରି ଗୋଷ୍ଟି ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି ବୋଲି ସେ କହିଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି ବୋଲି ସୂଚନା ଦେଇଛନ୍ତି। 

ତେବେ ୟୁନିଭରସିଟିର ଅନ୍ୟ ଅଧ୍ୟପକମାନେ ଏହାର ବିରୋଧ କରିବା ସହ ଏହା ଏକାଡେମିକ୍ ପ୍ରକ୍ରିୟାର କୌଣସି ଅଂଶ ନୁହେଁ ବୋଲି କହିଛନ୍ତି। ୟୁନିଭରସିଟି ଶିକ୍ଷକ ସଂଘ ସମ୍ପୃକ୍ତ ପ୍ରଫେସରଙ୍କ  ବିରୁଦ୍ଧରେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି।