ନୂଆଦିଲ୍ଲୀ,୩୦।୪: ‘କୋହିନୂର’ ହୀରାକୁ ନେଇ ଚର୍ଚ୍ଚାରେ ଅଛନ୍ତି ନ୍ୟୁୟର୍କ ସିଟିର ମେୟର ଜୋହରାନ ମମଦାନି। ବ୍ରିଟେନ୍ କିଙ୍ଗ ଚାର୍ଲସ୍ ତୃତୀୟଙ୍କ ଆମେରିକାର ଗସ୍ତ ଭିତରେ ସେ ‘କୋହିନୂର’ ଭାରତ ଫେରାଇ ଆଣିବା କଥା କହିଛନ୍ତି। ମମଦାନି କହିଛନ୍ତି, ବ୍ରିଟେନ୍ କିଙ୍ଗଙ୍କ ସହ ଅଲଗା ଭାବରେ ଆଲୋଚନା କରିବାର ସୁଯୋଗ ମିଳିଥିଲେ ନିଶ୍ଚିତ ଭାବରେ କୋହିନୂର ହୀରା ଫେରାଇବା କଥା କହିଥାନ୍ତି। ଫାର୍ସୀ ଭାଷାରେ 'କୋହ-ଇ-ନୁର'ର ଅର୍ଥ ହେଉଛି "ଆଲୋକର ପର୍ବତ" କିନ୍ତୁ ଏହାକୁ କିଛି ଲୋକ ଅଭିଶପ୍ତ ବୋଲି ମାନନ୍ତି। ବିଶେଷ ଭାବରେ ପୁରୁଷ ଶାସକ ବା ରାଜାଙ୍କ ପାଇଁ ଏହା ଅଭିଶପ୍ତ ବୋଲି କୁହାଯାଏ।
କୋହିନୂର କେବଳ ଏକ ହୀରା ନୁହେଁ, ଏହା ସାଂସ୍କୃତିକ ଗର୍ବ ଏବଂ ଉପନିବେଶ ଯନ୍ତ୍ରଣା ଉଭୟର ପ୍ରତୀକ। ଭାରତର କୋଲୁର ଖଣିରୁ ଖନନ କରାଯାଇଥିବା ଏହି ହୀରାଟିର ଓଜନ କାଟିବା ପୂର୍ବରୁ ପ୍ରାୟ ୧୮୬କ୍ୟାରେଟ୍ ଥିଲା । ଏହା ଉପରେ ମୋଗଲ ଏବଂ ଶିଖ ସମେତ ଅନେକ ଭାରତୀୟ ରାଜବଂଶର ମାଲିକାନା ଥିଲା। ବର୍ତ୍ତମାନ ଏହାର ଓଜନ ୧୦୫.୬ କ୍ୟାରେଟ୍ ବା ୨୧ ଗ୍ରାମ୍ ରହିଛି। ଯାହାକି ଏବେ ବ୍ରିଟେନ୍ ରାଜକୀୟ ଗହଣାର ଅଂଶ ବୋଲି କୁହାଯାଏ। ଏହା ଉପରେ ଏବେ କିଙ୍ଗ ଚାର୍ଲସ୍ ତୃତୀୟ ଓ କ୍ବିନ କନସୋର୍ଟ କାମିଲାଙ୍କ ମାଲିକାନା ରହିଛି। ଗତ କିଛି ଶତାବ୍ଦୀରେ ଏହି ହୀରା ଦୁନିଆର ଭିନ୍ନ ଭିନ୍ନ ଶାସକ ବା ରାଜାଙ୍କ ପାଖରେ ରହିଛି ଏବଂ ତାଙ୍କ ପାଇଁ ଅଭିଶପ୍ତ ମଧ୍ୟ ପାଲଟିଛି। ପୌରାଣିକ କିମ୍ବଦନ୍ତୀ ଅନୁସାରେ, ‘ସ୍ୟମନ୍ତକ' ମଣି ବୋଲି କୁହାଯାଇଛି । ଭଗବାନ ଶ୍ରୀକୃଷ୍ଣ ଜାମ୍ବବାନଙ୍କୁ ଯୁଦ୍ଧରେ ପରାସ୍ତ କରି ଏହା ଲାଭ କରିଥିଲେ।
ଓଡିଶା ଷ୍ଟେଟ୍ ଆର୍କାଇଭସ୍ ଅନୁସାରେ, କାକକୀୟ ବଂଶର ଶାସନକାଳ ବେଳେ ଗୋଲକୋଣ୍ଡା ବା ତେଲେଙ୍ଗାନାର କୋଲ୍ଲୁର ଖାଦାନରୁ ଏହା ମିଳିଥିଲା। ଦୁନିଆର ସବୁଠାରୁ ବଡ଼ ହୀରା ଭିତରୁ ଗୋଟିଏ ହୋଇଥିବାରୁ ‘କୋହିନୂର’କୁ ଗୌରବର ପ୍ରତୀକ ଭାବରେ ମନେକରାଯାଏ। ଏହି କାରଣରୁ ରାଜାମାନେ ଏହାକୁ ପାଇବା ପାଇଁ ପରସ୍ପର ମଧ୍ୟରେ ଯୁଦ୍ଧ କରିବାକୁ ପଛାଉ ନଥିଲେ। କୋହିନୂର ହୀରାର ଛଅ ଶହ ବର୍ଷର ଇତିହାସ ବଡ଼ ବିସ୍ମୟଜନକ ଓ ରୋମାଞ୍ଚକର । ଏହା ଭାରତ, ପାକିସ୍ଥାନ, ଆଫଗାନିସ୍ଥାନ, ଇରାନର ରାଜା ଓ ଶାସକଙ୍କ ପାଖରେ ରହିସାରିଛି। ଓଡ଼ିଶା ସହିତ ମଧ୍ୟ ଏହାର ସମ୍ପର୍କ ରହିଛି। କୋହିନୂର ହୀରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର। କୁହାଯାଏ ଯେ ମହାରାଜା ରଣଜିତ୍ ସିଂହ ତାଙ୍କର ଇଚ୍ଛାପତ୍ରରେ ଏହି ହୀରା ଜଗନ୍ନାଥଙ୍କୁ ଦାନ କରିବା କଥା ଉଲ୍ଲେଖ କରିଥିଲେ।
ଐତିହାସିକ ଦସ୍ତାବିଜ ଅନୁସାରେ, ୧୬୨୮ ରେ ମୋଗଲ ଶାସକ ଶହଜାହାଁ ଏକ ସୁନ୍ଦର ‘ମୟୁର ସିଂହାସନ’ ତିଆରି କରିବାର ନିର୍ଦେଶ ଦେଇଥିଲେ। ଏହି ସିଂହାସନରେ ମାଣିକ ଓ ପନ୍ନା ଭଳି ଦାମୀ ରତ୍ନ ଖଚିତ ହୋଇଥିଲା। ଏହାର ଭିତରେ କୋହିନୂର ମଧ୍ୟ ଲଗାଯାଇଥିଲା। ଏହି ମୟୁର ସିଂହାସନ ପୁରା ଏସିଆର ଶାସକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ୧୭୩୯ ରେ ଇରାନ ଶାସକ ନାଦିର ଶାହ ଦିଲ୍ଲୀ ଉପରେ ଆକ୍ରମଣ କରିଥିଲେ। ସେ ନିଜ ସାଙ୍ଗରେ ମୟୁର ସିଂହାସନ ଓ କୋହିନୂରକୁ ନେଇଯାଇଥିଲେ। ପରେ ଗୋଟିଏ ପରେ ଗୋଟିଏ ଯୁଦ୍ଧ ହେବାରେ ଲାଗିଥିଲା। ସେଭଳି କୋହିନୂର ବି ଅଲଗା ଅଲଗା ଶାସକଙ୍କ ହାତକୁ ଯାଇଥିଲା।
୧୮୧୩ ରେ କୋହିନୂର ଭାରତ ଫେରିଥିଲା। ଅଫଗାନ ଦୁରାନୀ ବଂଶକୁ ହରାଇ ଶିଖ୍ ଶାସକ ରଣଜିତ ସିଂହ ଏହାକୁ ହାସଲ କରିଥିଲେ। କୋହିନୂର ଏଥର ବି ଭାରତରେ ଅଧିକ ସମୟ ରହିପାରିଲାନି। ଇଂରେଜମାନେ ରଣଜିତ ସିଂହଙ୍କ ମୃତ୍ୟୁ ପରେ ୧୮୪୯ ରେ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରି ନେଇଥିଲେ। ତାଙ୍କର ୧୦ ବର୍ଷ ପୁଅ ଦଲ୍ଳୀପ ସିଂହଙ୍କଠାରୁ କୋହିନୂର ଦେବା ପାଇଁ ଚାପ ପକାଇବା ସହ ଏକ ସନ୍ଧି କରିଥିଲେ। ଏହାପରେ ସେବେଠାରୁ କୋହିନୂର ବ୍ରିଟିସ୍ ସାମ୍ରାଜ୍ୟ ପାଖରେ ରହିଛି।
କୋହିନୂର ଲଗାତାର ଗୋଟିଏ ରାଜାଙ୍କଠାରୁ ଆଉ ଏକ ରାଜାଙ୍କ ପାଖକୁ ବୁଲିଥିଲା। କିନ୍ତୁ ଏକ ମାନ୍ୟତା ରହିଛି, ଯେଉଁ ରାଜା ଏହି ହୀରାକୁ ପାଇଛନ୍ତି ତାଙ୍କର କ୍ଷମତା ଯାଇଛି କିମ୍ବା ଜୀବନ ଯାଇଛି। ‘କୋହିନୂର’ କୁ ବ୍ରିଟେନ ନେଇଥିବା ‘ଇଷ୍ଟ ଇଣ୍ଡିଆ କମ୍ପାନୀ’ ମଧ୍ୟ କିଛି ବର୍ଷ ପରେ ୧୮୫୭ ରେ ଭୟଙ୍କର ବିଦ୍ରୋହର ସମ୍ମୁଖୀନ ହୋଇଥିଲା। ହୁଏତ ଏହି କାରଣରୁ କୌଣସି ବ୍ରିଟିଶ ରାଜା କେବେ ଏହି ହୀରା ପିନ୍ଧି ନଥିଲେ। ରାଜାଙ୍କ ପାଇଁ ଅଭିଶପ୍ତ ପାଲଟିଥିବା ‘କୋହିନୂର’କୁ କେବଳ ବ୍ରିଟିଶ ରାଜପରିବାରର ମହିଳାମାନେ ପିନ୍ଧନ୍ତି। ୧୮୫୦ ଜୁନ ୩ରେ ଲର୍ଡ ଡେଲାହାଉସି ଏହାକୁ ମହାରାଣୀ ଭିକ୍ଟୋରିଆଙ୍କୁ ଉପହାର ଦେଇଥିଲେ । କୁହାଯାଏ ଯେ, ଏହା ଡେଲାହାଉସଙ୍କି ପାଖରେ ଯେଉଁ ସମୟ ପର୍ଯ୍ୟନ୍ତ ଥିଲା ସେ ସୁଖରେ ଦିନଟିଏ ବି ରହିପାରିନଥିଲେ। ଏହି ହୀରା ତାଙ୍କ ପରମ ଅଶାନ୍ତିର କାରଣ ପାଲଟି ଥିଲା, ଭିକ୍ଟୋରିଆଙ୍କୁ ଉପହାର ଦେବାପରେ ଡେଲ ହାଉସି ଶାନ୍ତିରେ ନିଃଶ୍ୱାସ ମାରିଥିଲେ। ଲଣ୍ଡନର ମହାରାଣୀ ଏଲିଜାବେଥଙ୍କ ନିକଟରେ ମଧ୍ୟ ଏହା ବହୁ ବର୍ଷ ଧରି ରହିଥିଲା ।
୧୮୫୦ ରେ ଯେତେବେଳେ କୋହିନୂରକୁ ପ୍ରଥମେ ଇଂଲଣ୍ଡ ନିଆଯାଇଥିଲା, ସେତେବେଳେ ଏହା ରାଣୀ ଭିକ୍ଟୋରିଆଙ୍କୁ ଉପହାର ଦିଆଯାଇଥିଲା। ଏହା ପରେ ରାଣୀ ଆଲେକ୍ସଜାଣ୍ଡ୍ରାଙ୍କ ମୁକୁଟରେ ସ୍ଥାନ ପାଇଥିଲା। ରୟାଲ ଟ୍ରଷ୍ଟ କଲେକ୍ସନ ଅନୁଯାୟୀ, ୧୯୫୩ ମସିହାରେ ସ୍ୱର୍ଗତ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ତାଙ୍କ ରାଜ୍ୟାଭିଷେକ ସମୟରେ ‘କୋହିନୂର’ ପିନ୍ଧିଥିବାର ଦେଖାଯାଇଥିଲା। ୨୦୨୨ ତାଙ୍କ ମୃତ୍ୟୁ ପରେ, ବର୍ତ୍ତମାନର ରାଣୀ କାମିଲାଙ୍କ ପାଖରେ ଏହା ରହିଛି। ଏହାକୁ ଲଣ୍ଡନର ‘ଟାୱାର ଅଫ୍ ଲଣ୍ଡନ’ ସୁଦୃଢ଼ କାଚ ପଛରେ ସୁରକ୍ଷିତ ରଖାଯାଇଛି। ଭାରତ ପାଇଁ କୋହିନୂର ହେଉଛି ଫେରି ପାଇନଥିବା ସବୁଠାରୁ ମୂଲ୍ୟବାନ ଜିନିଷ ବୋଲି କୁହାଯାଏ। ଭାରତୀୟ ବଂଶୋଦ୍ଭବ ତଥା ନ୍ୟୁୟର୍କ ମେୟର ମାମଦାନୀଙ୍କ ଏହି ବକ୍ତବ୍ୟ ଭାରତୀୟଙ୍କ ଭାବନାକୁ ପ୍ରତିଫଳିତ କରେ। ଭାରତୀୟମାନେ ଏହାକୁ ଆଇନଗତ ଉପହାର ନୁହେଁ, ବଂର ଏକ ଚୋରି ହୋଇଥିବା ଧନ ବୋଲି କୁହନ୍ତି।