ନୂଆଦିଲ୍ଲୀ – ନ୍ୟୁଜିଲାଣ୍ଡ ରବିବାର ( ୨୭ ଅକ୍ଟୋବର)ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ୨ୟ ୱାନଡେରେ ଭାରତୀୟ ମହିଳା ଟିମ୍‌କୁ ୭୬ ରନ୍‌ରେ ହରାଇ ଦେଇଛି। ନ୍ୟୁଜିଲାଣ୍ଡର ଟିମ୍‌ ପ୍ରଥମେ ବ୍ୟାଟି କରି ୯ ୱିକେଟ୍‌ ହରାଇ ନିର୍ଦ୍ଧାରିତ ୫୦ ଓଭରରେ ୨୫୯ ରନ୍‌ କରିଥିଲା।ଏହାର ଜବାବରେ ଭାରତୀୟ ଟିମ୍‌ ୪୭.୧ ଓଭରରେ ୧୮୩ ରନ୍‌ରେ ହିଁ ଅଟକି ଥିଲା। ନ୍ୟୁଜିଲାଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ମ୍ୟାଚ୍‌ର ୱାନଡେ ସିରିଜ୍‌ରେ ୧-୧ ର ବରାବର କରିନେଇଛି।

୨୬୦ରନ୍‌ ଲକ୍ଷ୍ୟର ପିଛା କରି ଓହ୍ଲାଇ ଥିବା ଭାରତୀୟ ଟିମ୍‌ର ପ୍ରାରମ୍ଭିକ ସ୍ଥିତି ଭଲ ରହି ନଥିଲା। ଟିମ୍‌ ୫ ସ୍କୋରରେ ପ୍ରଥମ ୱିକେଟ୍‌ ହରାଇ ଥିଲା । ସ୍ମୃତି ମନ୍ଧାନା ଖାତା ଖୋଲି ନପାରି ପାଭେଲିୟନ ଫେରି ଯାଇ ଥିଲେ। ଜେସ୍‌ କର , ଶେଫାଳୀ ବର୍ମାଙ୍କୁ ପାଭେଲିୟନର ରାସ୍ତା ଦେଖାଇ ଥିଲେ। ଲି ତାହୁହୁ ନିଜର ୩ୟ ଓଭରରେ ଆସ୍ତିକାଙ୍କୁ ଆଉଟ୍‌ କରିଥିଲେ। ଜେମିମା ରୋଡ୍ରିଗ୍ସ ୨୮ଟି ବଲରେ ୧୭ ରନ୍‌ ହିଁ କରିଥିଲେ। ଅଧିନାୟକ ହରମନପ୍ରୀତ କୌର ୩୫ଟି ବଲ୍‌ରେ ୨୪ ରନ୍‌ କରିଥିଲେ। ତେଜଲ ଓ ଦୀପ୍ତି ୧୫-୧୫ ରନ୍‌ କରିଥିଲେ । ଅରୁନ୍ଧତି ରେଡ୍ଡୀ ଦୁଇ ଓ ସାଇମା ୨୯ ରନ୍‌ କରି ଆଉଟ୍‌ ହୋଇଥିଲେ। ରାଧା ଯାଦବ ୬୪ ବଲରେ ୪୮ ରନ୍‌ କରି ଆଉଟ୍ ହୋଇଥିଲେ। 

ଅନ୍ୟପଟେ , ନ୍ୟୁଜିଲାଣ୍ଡ ପାଇଁ ଇଂନିସର ଆରମ୍ଭ ଜର୍ଜିଆ ପ୍ଲିମର ଓ ସୁଜି ବେଟ୍ସ କରିଥିଲେ। ଭାରତୀୟ ବୋଲରଙ୍କୁ ପ୍ରଥମ ପାୱାରପ୍ଲେରେ କୌଣସି ସାହାଯ୍ୟ ପିଚ୍‌ରୁ ମିଳି ନଥିଲା। ଭାରତକୁ ପ୍ରଥମ ୱିକେଟ୍‌ ପାଇଁ ୧୫.୨ ଓଭରରେ ଅପେକ୍ଷା କରିବାକୁ ପଡ଼ିଥିଲା। ଦୀପ୍ତି ଶର୍ମା ୧୬ତମ ଓଭରର ୩ୟ ବଲରେ ଜର୍ଜିଆ ପ୍ଲିମରଙ୍କୁ ରାଧା ଯାଦବଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରାଇ ଥିଲେ। ସେ ୫୦ଟି ବଲ୍‌ରେ ୪୧ ରନ୍‌ କରିଥିଲେ।   ହେଲେ ୨ୟ ୱିକେଟ୍‌ ପାଇଁ  ଭାରତକୁ ଅଧିକ ଅପେକ୍ଷା କରିବାକୁ ପଡ଼ି ନ ଥିଲା। ଲରେନ ଡାଉନ୍‌ ୩ରନ କରି ଆଉଟ୍‌ ହୋଇଥିଲେ। ରାଧା ଯାଦବ ଅଧିନାୟକ ସୁଜି ବେଟ୍ସଙ୍କୁ ୫୮ ରନର  ବ୍ୟକ୍ତିଗତ ସ୍କୋରରେ ପାଭେଲିୟନ ପଠାଇ ଥିଲେ । ଏହିପରି ଭାରତକୁ ୩ୟ ସଫଳତା ମିଳିଥିଲା ।