ଭୁବନେଶ୍ୱର,୨୨/୧୨: ଓଡ଼ିଶା  କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) କୁ ଘାରିଛି ଅଧ୍ୟାପକ ଚିନ୍ତା । ଆସନ୍ତା ଶିକ୍ଷାବର୍ଷ(୨୦୨୫-୨୬)ରେ ଓୟୁଏଟି  ଅନ୍ତର୍ଗତ କୃଷି, ପ୍ରାଣୀ ଚିକିତ୍ସା ବିଜ୍ଞାନ  (ଭେଟେରିନାରୀ) ଓ କୃଷି ଯାନ୍ତ୍ରିକ  (ଏଗ୍ରି ଇଞ୍ଜିନିୟରିଂ)ରେ କାର୍ଯ୍ୟରତ  ୩୯ ଜଣ ବରିଷ୍ଠ ପ୍ରଫେସର  ଅବସର ନେବେ । ଏହାପରେ ଏହି  ବିଶ୍ୱବିଦ୍ୟାଳୟର ଭାଗ୍ୟ କେବଳ  ଆସୋସିଏଟ୍‌ ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍  ଉପରେ ନିର୍ଭର କରିବ । ଗତ ୬ ବର୍ଷ  ହେବ ବିଶ୍ୱବିଦ୍ୟାଳୟରେ କ୍ୟାରିଅର  ଆଡ୍‌ଭାନ୍ସମେଣ୍ଟ ସ୍କିମ୍‌(ସିଏଏସ୍‌)ରେ ସହଯୋଗୀ ଓ ସହକାରୀ ପ୍ରଫେସରଙ୍କୁ  ପଦୋନ୍ନତି ମିଳୁନି । ଫଳରେ ସେମାନେ  ଯେଉଁଠି ଥିଲେ ସେହିଠାରେ ଅଛନ୍ତି । ତେଣୁ ଛାତ୍ରଛାତ୍ରୀମାନଙ୍କୁ ଗବେଷଣା, ଶିକ୍ଷା  ଓ ସଂପ୍ରସାରଣ ଉପରେ ଗୁଣାତ୍ମକ ଶିକ୍ଷା  କେମିତି ଦିଆଯିବ ତାକୁ ନେଇ ଚିନ୍ତାରେ ଅଛନ୍ତି କର୍ତ୍ତୃପକ୍ଷ ।  

୧୫ରୁ ୨୦ ବର୍ଷ ଧରି ଶିକ୍ଷା ଓ  ଗବେଷଣା କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ  ପ୍ରଫେସର ରହିଲେ ବିଶ୍ୱବିଦ୍ୟାଳୟ  ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ର‌୍ୟାଙ୍କିଂ  ଫ୍ରେମ୍‌ୱାର୍କ(ଏନଆଇଆରଏଫ୍‌) ରେ ଉତ୍ତମ ସ୍ଥାନ ପାଇବାକୁ ଯୋଗ୍ୟ  ବିବେଚିତ ହେବ । କାରଣ ଗତବର୍ଷ ଏହି  ବିଶ୍ୱବିଦ୍ୟାଳୟ ଏନଆଇଆରଏଫ୍‌ରେ  ୧୫ତମ ସ୍ଥାନରେ ଥିଲା । ହେଲେ  ପ୍ରଫେସର ଖାଲି ହୋଇଗଲେ ଆଗାମୀ  ଦିନରେ ଓୟୁଏଟି ଏନଆଇଆରଏଫ୍‌ରେ  ଏହି ସ୍ଥାନ ପାଇବନି । କେବଳ  ସେତିକି ନୁହେଁ, ବାରମ୍ବାର ଦାବି ସତ୍ତେ୍ୱ  ପ୍ରଫେସରମାନଙ୍କ ଅବସର ବୟସ  ସୀମା ବଢୁନି । ବର୍ତ୍ତମାନ ଅବସର  ବୟସ ସୀମା ୬୦ ରହିଛି । ପୂର୍ବରୁ  ଓୟୁଏଟି ଶିକ୍ଷକ ନିଯୁକ୍ତ କରୁଥିଲା ।  ହେଲେ ୨୦୨୦ରୁ ଓପିଏସ୍‌ସିକୁ ସରକାର  ଏହି ଦାୟିତ୍ୱ ଦେଲେ । ଯାହାକୁ ନେଇ  ୟୁଜିସି(ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍‌)  ଏହା ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ  ହେଲା । ଫଳରେ ୪ବର୍ଷ ହେବ ଅଧ୍ୟାପକ  ନିଯୁକ୍ତି ବନ୍ଦ ପଡ଼ିଛି ।  

ବର୍ତ୍ତମାନ ଓୟୁଏଟି ଅଧୀନରେ  ଭୁବନେଶ୍ୱରରେ ତିନିଟି ଶିକ୍ଷାନୁଷ୍ଠାନ  ରହିଛି । ସେଥିମଧ୍ୟରେ କୃଷି  (ଏଗ୍ରିକଲଚର), ପ୍ରାଣୀ ଚିକିତ୍ସା ବିଜ୍ଞାନ  (ଭେଟେରିନାରୀ) ଓ କୃଷି ଯାନ୍ତ୍ରିକ (ଏଗ୍ରି  ଇଞ୍ଜିନିୟରିଂ) ଏବଂ ବନ ମହାବିଦ୍ୟାଳୟ  ଅଛି । ଏଠାରେ ମୋଟ ପ୍ରଫେସର  ପଦବି ହେଉଛି ୪୫ । ସେଥିମଧ୍ୟରୁ ବନ  ମହାବିଦ୍ୟାଳୟରେ ପ୍ରଫେସର ସଂଖ୍ୟା  ହେଉଛି ୫ । ଏଠାରେ କୌଣସି ପ୍ରଫେସର  ନଥିବା ବେଳେ ୨୦୨୪ ଶେଷ ସୁଦ୍ଧା ଅନ୍ୟ  ତିନି ଶିକ୍ଷାନୁଷ୍ଠାନ (କୃଷି, ପ୍ରାଣୀ ବିଜ୍ଞାନ ଓ  କୃଷି ଯାନ୍ତ୍ରିକ)ରେ ମାତ୍ର ୮ଜଣ ପ୍ରଫେସର  ଅଛନ୍ତି । ୨୦୨୫ ଶେଷ ସୁଦ୍ଧା ୨ ଜଣ  ପ୍ରଫେସର ଓ ୨୦୨୬ ଶେଷ ସୁଦ୍ଧା ଜଣେ  ପ୍ରଫେସର ଥିବେ । ୩୯ ଜଣ ପ୍ରଫେସର  ଅବସର ନେଇଯିବେ ।  

ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଓୟୁଏଟି  ଅନ୍ତର୍ଗତ କମ୍ୟୁନିଟି ବିଜ୍ଞାନ ମହାବିଦ୍ୟାଳୟ,  ମୌଳିକ ବିଜ୍ଞାନ(ବେସିକ୍‌ ସାଇନ୍ସ)  ମହାବିଦ୍ୟାଳୟ, ଚିପିଲିମା ଓ ଭବାନୀପାଟଣା  କୃଷି ମହାବିଦ୍ୟାଳୟ, ଚିପିଲିମା ଉଦ୍ୟାନକୃଷି  ମହାବିଦ୍ୟାଳୟ, ରଙ୍ଗେଇଲୁଣ୍ଡା ମତ୍ସ୍ୟ  ବିଜ୍ଞାନ ମହାବିଦ୍ୟାଳୟ, କୃଷି ବ୍ୟବସାୟ  ପରିଚାଳନା ବିଭାଗ, ଆଞ୍ଚଳିକ ଗବେଷଣା  ଓ ବୈଷୟିକ ଜ୍ଞାନ ସଂପ୍ରସାରଣ କେନ୍ଦ୍ର ଓ  ସର୍ବଭାରତୀୟ ସମନ୍ୱୟ କୃଷି ଗବେଷଣା  ପ୍ରକଳ୍ପ ମଧ୍ୟ ଅଛି । ଏସବୁ ସ୍ଥାନରେ  ପ୍ରଫେସର ପଦବି ସଂଖ୍ୟା ମଧ୍ୟ ୪୦ ।  ହେଲେ ୩୮ ପଦବି ଖାଲି ପଡ଼ିଛି ବୋଲି  ବିଧାନସଭା ତଥ୍ୟ କହୁଛି । 

ଅପରପକ୍ଷେ,  ଓୟୁଏଟିର ସମସ୍ତ ଶିକ୍ଷାନୁଷ୍ଠାନରେ ୨୧୮  ସହଯୋଗୀ ପ୍ରଫେସର(ଆସୋସିଏଟ୍‌) ଙ୍କ ମଧ୍ୟରୁ ୧୩୩ ଏବଂ ୪୩୧ ସହକାରୀ ପ୍ରଫେସର(ଆସିଷ୍ଟାଣ୍ଟ)ଙ୍କ ମଧ୍ୟରୁ  ୧୮୨ ପଦବି ଖାଲି ଅଛି । ଓୟୁଏଟିରୁ  ଛାତ୍ରଛାତ୍ରୀଙ୍କୁ ଶସ୍ୟ, ମତ୍ସ୍ୟ, ପ୍ରାଣୀ,  ଉଦ୍ଭିଦ, କୃଷି ଯନ୍ତ୍ରପାତି, ଉଦ୍ୟାନ  କୃଷି, ବନୀକରଣ ଉପରେ ଶିକ୍ଷାଦାନ  ମିଳୁଛି । ଛାତ୍ରଛାତ୍ରୀମାନେ ଏଠାରେ  ୟୁଜି ସହ ପିଜି କରୁଛନ୍ତି । ପିଏଚ୍‌ଡି  ମଧ୍ୟ ଚାଲିଛି । ତେଣୁ ପ୍ରଫେସରମାନଙ୍କ  ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ । ତେବେ  ୨୦୧୮ ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ  ସ୍କୋରକାର୍ଡ ହେବା ସହ ସିଏଏସ୍‌  ମାଧ୍ୟମରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ  ପଦୋନ୍ନତି ମିଳୁଥିଲା । ସେମାନେ ପରବର୍ତ୍ତୀ  ସମୟରେ ପ୍ରଫେସର ହେଉଥିଲେ ।  ଏହି ବ୍ୟବସ୍ଥା ସେହି ସମୟରେ ବନ୍ଦ  ହୋଇଗଲା । ଏବେ ଯେଉଁମାନେ  ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି ସେମାନଙ୍କର  ପ୍ରଫେସର ହେବାର ଯୋଗ୍ୟତା ନାହିଁ ।