ନୂଆଦିଲ୍ଳୀ,୧୭/୧୦: ଓଡିଶାରୁ ରାଜଧାନୀ ଦିଲ୍ଲୀକୁ କାମ କରିବା ପାଇଁ ବର୍ଷକ ତଳେ ଆସିଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର କମିଶନ ବୁଧବାର ଦିଲ୍ଲୀ ସରକାରଙ୍କ ପ୍ରମୁଖ ଶାସନ ସଚିବ ଓ ଦିଲ୍ଲୀ ପୁଲିସ କମିଶନରଙ୍କୁ ନୋଟିସ୍‌ ଜାରି କରି ଦୁଇ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି । ଗତ ସପ୍ତାହରେ ଏହି ୩୪ ବର୍ଷୀୟା  ମହିଳାଙ୍କ ସହ ବଳାତ୍କାର ଘଟିଥିବା ଅଭିଯୋଗ ହୋଇଥିଲା ।  ତେବେ ମହିଳାଙ୍କ ପରିବାର ଲୋକ ଏହାକୁ ପ୍ରଥମେ ଖଣ୍ଡନ  କରିଥିଲେ କିନ୍ତୁ ପରେ ଏହି ଅଭିଯୋଗ ଉପରେ ତଦନ୍ତ ଶେଷ  ନ ହେବା ପର୍ଯ୍ୟନ୍ତ କିଛି କହିବା ପାଇଁ ମନା କରିଦେଇଥିଲେ ।  ମହିଳା ଏବେ ଦିଲ୍ଲୀ ଏମ୍‌ସର ଟ୍ରମା ସେଣ୍ଟରରେ ଚିକିତ୍ସାଧୀନ  ଅଛନ୍ତି । ଦିଲ୍ଲୀ ପୁଲିସ ତାଙ୍କ ଉପରେ ନଜର ରଖିଛନ୍ତି ।  ଏହି ମହିଳାଙ୍କୁ ଅର୍ଦ୍ଧ ଚେତା ଅବସ୍ଥାରେ ଏମ୍‌ସର ଟ୍ରମା ସେଣ୍ଟରକୁ ଅଣାଯାଇଥିଲା । ସେ ଦିଲ୍ଲୀ ପୁଲିସକୁ ଏପର୍ଯ୍ୟନ୍ତ  ତାଙ୍କର ସମ୍ପୂର୍ଣ୍ଣ ବକ୍ତବ୍ୟ ଦେବା ଅବସ୍ଥାରେ ନାହାନ୍ତି । ମହିଳାଙ୍କ  ସାମାନ୍ୟ ଚେତା ଆସିବା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ତାଙ୍କୁ କିଛି  ପ୍ରଶ୍ନ ପଚରାଯାଇଥିଲା । 

ସୂତ୍ରରୁ ଜଣାପଡିଛି ଯେ, ସେ ସମ୍ପୂର୍ଣ୍ଣ  ଭଲ ହେବା ପରେ ଦିଲ୍ଲୀ ପୁଲିସ ତାଙ୍କ ଠାରୁ ଏହି ଅଭିଯୋଗ  ପ୍ରସଙ୍ଗରେ ସମସ୍ତ ତଥ୍ୟ ଆଦାୟ କରିବ । ଓଡିଶା ସରକାରଙ୍କ  ପକ୍ଷରୁ ଓଡିଶା ଭବନର ପ୍ରମୁଖ ଆବାସିକ କମିଶନର ବିଶାଲ  ଗଗନ ମହିଳାଙ୍କୁ ସମସ୍ତ ସହାୟତା ଯୋଗାଇ ଦେଇଛନ୍ତି ।  ସେ ମଧ୍ୟ ଲଗାତାର ଏହି ମହିଳାଙ୍କ ପରିବାର ସଦସ୍ୟଙ୍କ  ସହ ଯୋଗଯୋଗରେ ଅଛନ୍ତି । ତେବେ ଆନୁଷ୍ଠାନିକ ଭାବେ  ଏହି ଘଟଣା ପ୍ରସଙ୍ଗରେ ଓଡିଶା ଭବନ ପ୍ରମୁଖ ଆବାସିକ  କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି କୁହାଯାଇନାହିଁ । 

ଜଣାପଡିଛି ଯେ, ମହିଳାଙ୍କ ଘର ପୁରୀରେ । ସେ  ଅବିବାହିତା । ବର୍ଷକ ତଳେ ଘରେ ଝଗଡା ହେବା  ପରେ କାମ ପାଇଁ ସେ ଦିଲ୍ୱୀ ଆସିଥିଲେ । ଏଠାରେ ସେ କଟୁୱାରିଆ ସରାଇଠାରେ ଜଣଙ୍କ ଘରେ ରହୁଥିଲେ ।  ସେଠାରେ ମଧ୍ୟ ଝଗଡା ହେବା ପରେ ସେ ସେଠାରୁ ବାହାରି  ଆସି ଏକ ରାସ୍ତାପାଶ୍ୱର୍ରେ ରହିବାକୁ ଆରମ୍ଭ କରିଥିଲେ । ସେହି ସମୟରେ ସେ ଜଣେ ବାବା-ମାତାଙ୍କ ସଂସ୍ପର୍ଶରେ  ଆସିଥିଲେ । ସେମାନେ ତାଙ୍କ ଠାରୁ ସମସ୍ତ ବିଷୟ ଜାଣିବା  ପରେ ତାଙ୍କ ପରିବାରଙ୍କ ସହ ଯୋଗାଯୋଗ କରିଥିଲେ । ଫଳରେ ଏହି ମହିଳାଙ୍କ ଭାଇ ଓ ମାଉସୀ ତାଙ୍କୁ ନେବା ପାଇଁ  ଦିଲ୍ଲୀ ଆସିଥିଲେ । ମହିଳା ଜଣେ ମାନସିକ ରୋଗୀ ବୋଲି  କୁହାଯାଉଛି । ସେ ଘରକୁ ଫେରିବାକୁ ରାଜି ହୋଇନଥିଲେ । ଫଳରେ ତାଙ୍କ ପରିବାର ଫେରି ଯାଇଥିଲେ । ପରେ ତାଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ଅଭିଯୋଗ ହୋଇଥିଲା ।  

ଏବେ ତାଙ୍କ ଭାଇ ଓ ମାଉସୀ ପୁଣି ଥିରେ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ସେମାନେ ଟ୍ରମା ସେଣ୍ଟରଠାରେ ରହିଛନ୍ତି । ମହିଳାଙ୍କ ଭାଇଙ୍କ ସହ ପ୍ରମେୟ ପକ୍ଷରୁ ଯୋଗାଯୋଗ  କରାଯିବାରୁ ସେ ଏହି ଅଭିଯୋଗ ପ୍ରସଙ୍ଗରେ କିଛି କହିବା  ପାଇଁ ମନା କରିଦେଇଥିଲେ । ଇତିମଧ୍ୟରେ ଏହି ମାମଲାକୁ  କେନ୍ଦ୍ର କରି ସୁପ୍ରିମକୋର୍ଟର ଓକିଲ ତଥା ମାନବାଧିକାର କର୍ମୀ  ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନରେ  ଏକ ଆବେଦନ ଦାଖଲ କରିଛନ୍ତି । ସେ ତାଙ୍କ ଆବେଦନରେ  ବାସହୀନ, ପରିତ୍ୟକ୍ତା ଓ ମାନସିକ ରୋଗଗ୍ରସ୍ତ ମହିଳାମାନଙ୍କ  ଦୁରବସ୍ଥା ପ୍ରସଙ୍ଗ ଉଲ୍ଳେଖ କରିଛନ୍ତି । ଏଭଳି ମହିଳାମାନଙ୍କୁ  କିଭଳି ଥଇଥାନ କରାଯାଇପାରିବ ସେ ପ୍ରସଙ୍ଗରେ କମିଶନଙ୍କ  ଧ୍ୟାନ ଆକର୍ଷଣ କରିଛନ୍ତି । ଦିଲ୍ଲୀ ସରକାର ଏଭଳି  ମହିଳାମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ବିଫଳ  ହୋଇଛନ୍ତି ବୋଲି ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

ଶ୍ରୀ ତ୍ରିପାଠୀଙ୍କର ଏହି ଆବେଦନ ଫଳରେ ଜାତୀୟ ମାନବାଧିକାର କମିଶନ ଦିଲ୍ଲୀ ସରକାରଙ୍କ ପ୍ରମୁଖ ଶାସନ ସଚିବ  ଓ ଦିଲ୍ଲୀ ପୁଲିସ କମିଶନରଙ୍କୁ ନୋଟିସ୍‌ ଜାରିକରି ରିପୋର୍ଟ ଦାଖଲ  କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ତ୍ରିପାଠୀ ପ୍ରମେୟକୁ କହିଛନ୍ତି  ଯେ, ଏହି ଘଟଣା ଦିଲ୍ଲୀର ନିର୍ଭୟା କାଣ୍ଡ ସହ ସମାନ । ଏହି ଘଟଣାର ଶୀଘ୍ର ତଦନ୍ତ କରାଯିବା ସହ ପୀଡିତା ମହିଳାଙ୍କୁ ସହାୟତା  ଯୋଗାଇ ଦେବାର ଆବଶ୍ୟକତା ରହିଛି । ଏହି ଘଟଣା ଘଟିବା ପରେ ଦିଲ୍ଲୀ ସ୍ଥିତ ଓଡିଶା ମହାମଞ୍ଚର ସଭାପତି ଗୋବର୍ଦ୍ଧନ ଧଳ ଏମ୍‌ସର ଟ୍ରମା ସେଣ୍ଟରକୁ ଯାଇ ମହିଳାଙ୍କ ଭାଇଙ୍କ ସହ କଥାବାର୍ତ୍ତା କରି  ତାଙ୍କ ଅବସ୍ଥା ପଚାରି ବୁଝିଥିଲେ । ଓଡିଶା ମହାମଞ୍ଚ ପକ୍ଷରୁ ତାଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।