କଟକ,୨୪/୦୧: ଏଥର ଅତ୍ୟଧିକ ଶୀତ କାକର ଯୋଗୁଁ ନିଆଳିରେ ପାନ ଚାଷ ପ୍ରଭାବିତ ହୋଇଛି । ପୂରା ବରଜରୁ ତୋଳାଯାଉଥିବା ପାନରେ ଟୋକେଇ ଭର୍ତ୍ତି ହେଉନି । ପ୍ରତିବର୍ଷ ଶୀତରେ କିଛିମାତ୍ରାରେ ପ୍ରଭାବିତ ହୁଏ ପାନଚାଷ । କିନ୍ତୁ ଏଥର ଶୀତ ସବୁ ରେକର୍ଡ ଭାଙ୍ଗିଥିବାରୁ ପାନ ଅମଳରେ ପ୍ରଭାବ ବେଶ୍ ଅଧିକ ପଡ଼ିଛି । ଫଳରେ ପାନର ବଜାର ମୂଲ୍ୟ ଦୁଇଗୁଣା ହୋଇଛି । ମାସକ ପୂର୍ବରୁ କଟକ ସହରରେ ପାନ କଡ଼ା ଯେଉଁଠି ୫୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ତାହା ୯୦ ଟଙ୍କାରେ ପହଞ୍ଚିଛି । ଆବଶ୍ୟକତା ମୁତାବକ ନିଆଳିରୁ ପାନ ଆସୁନଥିବାରୁ ଏବେ ବାଲେଶ୍ୱର ଭୋଗରାଇ ପାନ ଚାହିଦା ମେଣ୍ଟାଉଛି । ପରିବହନ ଖର୍ଚ୍ଚ ନିଆଳି ତୁଳନାରେ ଅଧିକ ରହୁଥିବାରୁ ପାନର ହୋଲସେଲ୍ ମୂଲ୍ୟ ବୃଦ୍ଧି ପାଇଛି ।

କଟକ ସହରରେ ପାନର ସ୍ୱତନ୍ତ୍ର ଚାହିଦା ରହିଛି । ସହରର ଗଳିକନ୍ଦିଠୁ ଆରମ୍ଭ କରି ଛକବଜାରରେ ହଜାର ହଜାର ସଂଖ୍ୟାରେ ପାନ ଦୋକାନ ରହିଛି । ସହରରେ ପୁଣି ଏମିତି କିଛି ପ୍ରସିଦ୍ଧ ପାନଦୋକାନୀ ରହିଛନ୍ତି ଯେଉଁମାନଙ୍କ ପାନର ଚାହିଦା ଢେର ଅଧିକ । ଏମିତିକି କିଛି ପାନ ସୌକିନ୍ ଭୁବନେଶ୍ୱରରୁ ଆସି କଟକରୁ ପାନ କିଣି ନିଅନ୍ତି । କିନ୍ତୁ ଗତ କିଛି ଦିନ ଭିତରେ ପାନ ମୂଲ୍ୟ ବଢ଼ିଯିବାରୁ ଖାଉଟି ଚଢ଼ା ଦରରେ ପାନ କିଣୁଛନ୍ତି । ୧୦ଟଙ୍କାରେ ଗଣି ଗଣି ୫ଟି ପାନପତ୍ର । ଗୁଣ୍ଡି, ମସଲା ଦେଲେ ୧୦ ଟଙ୍କାରେ ମାତ୍ର ତିନି ଖଣ୍ଡ ଭଙ୍ଗାପାନ । ନିଆଳିରୁ ପ୍ରତ୍ୟେକ ଦିନ କଟକ ସହରକୁ ଦୁଇ ହଜାର କଡ଼ା ପାନ ଆସିଥାଏ । ଏହାବାଦ୍ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଉପକୂଳ ଜିଲ୍ଲାଗୁଡ଼ିକରୁ ମଧ୍ୟ ପ୍ରାୟ ଆଉ ୨ ହଜାର କଡ଼ା ଆସିଥାଏ । କଟକ ମାଲଗୋଦାମ ସମେତ କିଛି ହୋଲସେଲ୍ ମାର୍କେଟରୁ ପାନ କଟକ ସହର ସମେତ ସହର ଉପକଣ୍ଠ ଇଲାକାକୁ ଯାଇଥାଏ ।

ନିଆଳିରେ ପାନ ଚାଷ ପ୍ରଭାବିତ ହେବାରୁ କଟକ ସହରରେ ଏହାର ପ୍ରଭାବ ପଡ଼ିଛି । ନିଆଳି ବ୍ଲକ୍ରେ ୨୧୬ ଜଣ ଚାଷୀ ପାନ ଚାଷ କରିବା ସହ ଏହାକୁ ଭେଣ୍ଡର୍ମାନଙ୍କ ମାଧ୍ୟମରେ କଟକ ସହର ସମେତ ଅନ୍ୟ ଜିଲ୍ଲାକୁ ପଠାଇଥାନ୍ତି । ଏଥର ଶୀତର ପ୍ରଭାବ ଅଧିକ ରହିବା ଯୋଗୁଁ ପାନ ଲତା ମାଡ଼ିଲା ନାହିଁ କି ପାନପତ୍ର ବଡ଼ ହେଲା ନାହିଁ । ବରଂ ବଡ଼ ହେବା ପୂର୍ବରୁ ମୂଳରୁ ମରିଗଲା । ଏ ବାବଦରେ ନିଆଳିର ପାନଚାଷୀ ବଳରାମ ସିଂ କହନ୍ତି, ଶୀତ ବଢ଼ିଲେ ପାନ ବଢ଼େନାହିଁ । ପାନର ମୂଳ ମରିଯାଏ, ଲତା ଆଗକୁ ବଢ଼ିପାରେନାହିଁ । ଶହେ ଗଛ ପାନବରଜ ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ବେଳେ ଏଥର ଚାଷରେ ମୂଳ ଖର୍ଚ୍ଚ ବି ଉଠିନାହିଁ । ନିଆଳିରେ ସାଧାରଣତଃ ତିନି ପ୍ରକାରର ପାନ ରହିଛି । ନିଆଳି ବଜାରର ହୋଲସେଲ୍ ମାର୍କେଟ୍ରେ ମଧ୍ୟମ ସାଇଜ୍ ପାନ କଡ଼ା ପିଛା ୪୦ରୁ ୫୦ ଟଙ୍କା ରହିଥିବା ବେଳେ ବଡ଼ (ତିନିଫାଳିଆ) ୬୦ରୁ ୭୦ ଟଙ୍କା ରହିଛି । ସେହିପରି ଛୋଟପାନ କଡ଼ା ପିଛା ୨୫ଟଙ୍କା ରହିଛି । ଉତ୍ପାଦନ କମିଥିବାରୁ ଏବେ ବାଲେଶ୍ୱରର ଭୋଗରାଇ ପାନ ଓ ପୁରୀର ଚନ୍ଦନପୁର ପାନ ଚାହିଦା ମେଣ୍ଟାଉଛି।