କଟକ ୧୧/୦୯: ଦଶରା’କୁ ନେଇ ରହିଛି ଯେତେ ଗୀତ, ତାକୁ ନେଇ ରହିଛି  ସେତେ କଥା ସେତେ କାହାଣୀ । ‘ତୁ ଝିଅ ନୁହେଁ ଗୋଟେ ଚାନ୍ଦି ମେଢ଼..ଚାଲିଗଲେ ତୋ ଆଗପଛେ ଭିଡ଼’ । ଏପରି କିଛି ମନଛୁଆଁ ଲାଇନ୍‌କୁ ନେଇ ଏକ ଗୀତ ଲେଖିଥିଲେ  ବିଶିଷ୍ଟ ଗୀତିକାର ନିର୍ମଳ ନାୟକ । ୨୦୧୬ ମସିହାରେ  ରିଲିଜ୍‌ ହୋଇଥିବା ଏହି ଗୀତର ସ୍ୱର ସଂଯୋଜନା କରିବା  ସହ ନିଜେ କଣ୍ଠଦାନ କରିଥିଲେ ଅଭିଜିତ୍‌ ମଜୁମଦାର । କଟକର ଏମ୍‌ଆର୍‌ଆର୍‌ ଷ୍ଟୁଡିଓରେ ଏହି ଗୀତ ରେକର୍ଡିଂ ହୋଇଥିଲା । ଏହାକୁ ନେଇ ଥିବା ଅନୁଭୂତି ସମ୍ପର୍କରେ  ଗୀତିକାର ଶ୍ରୀ ନାୟକ କହିଛନ୍ତି, କଟକର ଚାନ୍ଦି ମେଢ଼ର କାରୁକାର୍ଯ୍ୟ ସବୁଠୁ ସୁନ୍ଦର  ଏବଂ ସ୍ୱତନ୍ତ୍ର । କଟକର କେବଳ ସୁନା ଚାନ୍ଦିର ମେଢ଼ ଦେଖିବାକୁ ଲୋକେ କଟକକୁ  ଆସିଥାନ୍ତି । ତେଣୁ ଚାନ୍ଦିମେଢ଼କୁ ନେଇ ଏକ ଗୀତ କରିବାକୁ ଯୋଜନା ହୋଇଥିଲା । ଚାନ୍ଦି  ମେଢ଼ର ଆକର୍ଷଣୀୟ  ଶୋଭା ସହ ଝିଅଙ୍କ  ସୁନ୍ଦରତାକୁ ତୁଳନା  କରି ଏପରି ଏକ  ଗୀତ ଲେଖିଥିଲି ।  

ଅଭିଜିତ୍‌ ମଜୁମଦାର ଏହି ଗୀତକୁ ସୁନ୍ଦର ଭାବେ ସ୍ୱର ଦେଇ ନିଜେ ଗାଇଥିଲେ । ଗୀତ  ରିଲିଜ୍‌ ହେବା ପରେ କ୍ୟାସେଟ୍‌ ମାର୍କେଟରେ ଭଲ ବିକ୍ରି ହୋଇଥିଲା । ଆଶାଥିଲା ପୂଜା  ବଜାରରେ ଗୀତଟି ଧରିବ । କିଛି ଦିନ ପରେ ଏହି ଗୀତ ପୂଜା ବଜାରରେ ବାଜିବା ସହ  ମେଲୋଡି ଏବଂ ଭସାଣି ଉତ୍ସବରେ ବାଜିଥିଲା । ପୂଜା ବଜାରରେ ନିଜ ଗୀତ ଶୁଣି ବହୁତ  ଖୁସି ଲାଗିଥିଲା । କିନ୍ତୁ ଆମେ ଯେତେ ଗୀତ କରିଥିଲେ ମଧ୍ୟ ପୂଜା ବଜାରକୁ ନେଇ  ସଙ୍ଗୀତକାର ସ୍ୱର୍ଗତ ଶ୍ରୀକାନ୍ତ ଦାସ କରିଥିବା ଗୀତ ସବୁଠୁ ଅଧିକ ହିଟ୍‌ ହୋଇଥିଲା । ତାଙ୍କ  ଗୀତକୁ କେହି କାଟି ପାରିବେ ନାହିଁ । ପୂର୍ବରୁ ବହୁତ ଗୀତ ହିଟ୍‌ ହୋଇଛି । କିନ୍ତୁ ଆଜିର  ସମୟରେ ଆଗଭଳି ହୋଇଥିବା ଏପରି ଗୀତ ଆଉ ତିଆରି ହେଉନି । ଚାହିଦା କମି ଯାଇଛି ।