ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ ତମ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଏସଟି ସ୍ଲାବକୁ ତିନୋଟିରୁ ହ୍ରାସ କରି କେବଳ ଦୁଇଟି କରାଯାଇଛି। ଜିଏସଟି ପରିଷଦ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, "ଆମେ ସ୍ଲାବକୁ ହ୍ରାସ କରିଛୁ। ଏବେ କେବଳ ଦୁଇଟି ସ୍ଲାବ ରହିବ ଏବଂ ଆମେ କ୍ଷତିପୂରଣ ସେସ୍ ପ୍ରସଙ୍ଗ ଉପରେ ମଧ୍ୟ ବିଚାର କରୁଛୁ।"
ଏବେ ଜିଏସଟିର କେବଳ ଦୁଇଟି ସ୍ଲାବ ରହିବ ଯଥାକ୍ରମେ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ, ଯେତେବେଳେ କି ତୃତୀୟ ସ୍ଲାବଟି ସ୍ୱତନ୍ତ୍ର ହେବ। ସେ କହିଛନ୍ତି ଯେ ୨୮ ପ୍ରତିଶତ ସ୍ଲାବକୁ ଜିଏସଟିରୁ ହଟାଇ ଦିଆଯାଇଛି। ନୂତନ GST ହାର ୨୨ ସେପ୍ଟେମ୍ବର, ୨୦୨୫ ରୁ ଲାଗୁ ହେବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ, "ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି ଏହି ସଂସ୍କାର କରାଯାଇଛି। ସାଧାରଣ ଲୋକଙ୍କ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ଲାଗୁ ହୋଇଥିବା ପ୍ରତ୍ୟେକ ଟିକସର ସମୀକ୍ଷା କରାଯାଇଛି ଏବଂ ଅଧିକାଂଶ କ୍ଷେତ୍ରରେ ହାରକୁ ବ୍ୟାପକ ଭାବରେ ହ୍ରାସ କରାଯାଇଛି। ଚାଷୀ ଏବଂ କୃଷି କ୍ଷେତ୍ର ସହିତ ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ଲାଭବାନ ହେବେ।
ରୋଟି, ପରଟା, ଛେନା ପନିର ଉପରେ କୌଣସି ଟିକସ ରହିବ ନାହିଁ। ନମକିନ ଭୁଜିଆ, ସସ୍, ପାସ୍ତା, ଚକୋଲେଟ୍, କଫି ଉପରେ ୧୮% ବଦଳରେ ୫% ଟିକସ ଲାଗୁ ହେବ। ଏୟାର କଣ୍ଡିସନର, ଟିଭି, ଛୋଟ କାର ଏବଂ ମୋଟର ସାଇକେଲ ଉପରେ ୧୮% ଟିକସ ଲାଗୁ ହେବ।"