ନୂଆଦିଲ୍ଲୀ, ୨୫।୭: ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ସେପ୍ସିସ୍ ରୋଗରେ ପୀଡ଼ିତ । କାଲିକଟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ବୈଜ୍ଞାନିକମାନେ ଏହି ରୋଗରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ବୈଜ୍ଞାନିକମାନେ ଏକ ଡିଭାଇସ୍ ବିକଶିତ କରିଛନ୍ତି, ଯାହା ସେପ୍ସିସ୍ର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଚିହ୍ନଟ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହେବ । ଏହି ଡିଭାଇସର ମୂଲ୍ୟ ଖୁବ୍ କମ୍ ଏବଂ ଇଲେକ୍ଟ୍ରୋକେମିକାଲ୍ ବାୟୋସେନ୍ସର, ଯାହା ରକ୍ତରେ ଉପସ୍ଥିତ ଏଣ୍ଡୋଟକ୍ସିନ୍ ନାମକ ଏକ ବିଷାକ୍ତ ଉପାଦାନକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । ଏଣ୍ଡୋଟକ୍ସିନ୍ ହେଉଛି ସେପ୍ସିସ୍ ରୋଗର ଏକ ସୂଚକ । ଏଥିରେ ୮ଟି ନିର୍ଦ୍ଦିଷ୍ଟ ସେନ୍ସର ଆର୍କିଟେକ୍ଚର ଏବଂ କମ୍ ମୂଲ୍ୟର ପୋର୍ଟେବଲ୍ ଡିଭାଇସ୍ ରହିବ, ଯାହାକୁ ଭବିଷ୍ୟତରେ ଏହି ରୋଗକୁ ଚିହ୍ନଟ କରିବାରେ ବ୍ୟବହାର କରାଯାଇପାରିବ ।
ତେବେ ଏହି ସେପ୍ସିସ୍ ରୋଗ କ’ଣ ଆସନ୍ତୁ ଜାଣିବା । ଏହା ଏକ ଗମ୍ଭୀର ରୋଗ ଯାହା ସଂକ୍ରମଣ ଯୋଗୁଁ ହୁଏ । ଏହି ରୋଗରେ ଅଙ୍ଗପ୍ରତ୍ୟେଙ୍ଗ କାମ କରେନି, ହୃଦ୍ଘାତ ହୋଇପାରେ, ଏପରିକି ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇପାରେ । ଏହା ଏକ ଗମ୍ଭୀର ରୋଗ ଯେଉଁଥିରେ ସଂକ୍ରମଣ ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଲଢ଼ିଥାଏ । ଯାହା ଫଳରେ ଶରୀରର ଅଙ୍ଗଗୁଡ଼ିକୁ କ୍ଷତି ପହଞ୍ଚିଥାଏ । କାଲିକଟର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର ଡକ୍ଟର ଏନ. ସନ୍ଧ୍ୟା ରାଣୀ କହିଛନ୍ତି ଯେ, ତାଙ୍କ ଟିମ୍ ଏକ ପଏଣ୍ଟ-ଅଫ୍-କେୟାର୍ ଡିଭାଇସ୍ ପ୍ରସ୍ତୁତ କରିବା ଉପରେ ପ୍ରୟାସ ଜାରି ରଖିଛନ୍ତି । ଏହି ଟିମ୍ ଏଣ୍ଡୋଟକ୍ସିନ୍ ଚିହ୍ନଟ ପାଇଁ ଏକ ପୋର୍ଟେବଲ୍ ଏବଂ କମ୍ ଖର୍ଚ୍ଚର ଇଲେକ୍ଟ୍ରୋକେମିକାଲ୍ ବାୟୋସେନ୍ସର୍ ପ୍ରୋଟୋଟାଇପ୍ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରିବା ସହ ପରୀକ୍ଷଣ ମଧ୍ୟ କରିଛି ।
ଏହି ଡିଭାଇସ୍ ମାନକ ଯୋଗ ପଦ୍ଧତି ବ୍ୟବହାର କରି ରକ୍ତ ସିରମ୍ରେ ଏଣ୍ଡୋଟକ୍ସିନ୍ ଚିହ୍ନଟ କରେ । ଏହି ଡିଭାଇସ୍ ୧୦ ମିନିଟ୍ ମଧ୍ୟରେ ଫଳାଫଳ ଦିଏ । ବିଶ୍ୱ ସେପ୍ସିସ୍ ଦିବସର ୱେବ୍ସାଇଟ୍ ଅନୁଯାୟୀ, ପ୍ରତିବର୍ଷ ବିଶ୍ୱରେ ୪୦ରୁ ୫୦ନିୟୁତ ଲୋକ ଏହି ରୋଗରେ ପୀଡ଼ିତ ହୁଅନ୍ତି, ଯେଉଁଥିରୁ ୧୦ରୁ ୧୫ ନିୟୁତ ଲୋକ ଏହି ରୋଗରେ ମୃତ୍ୟୁବରଣ କରନ୍ତି । ଏହି ରୋଗର ଲକ୍ଷଣଗୁଡ଼ିକୁ ଉପଯୁକ୍ତ ସମୟ ମଧ୍ୟରେ ଚିହ୍ନଟ କରିବା ଏକ ବଡ଼ ସଫଳତା । ଫଲରେ ଏହାର ସଫଳ ଚିକିତ୍ସା କରାଯାଇପାରିବ ।