ପାଟନା,୧୬।୧୦: ଏବେ ଏନଡିଏ ଛାଡି କୌଣସି ସ୍ଥାନକୁ ଯିବି ନାହିଁ। ବିଜେପି ଏବଂ ଜେଡିୟୁ ମେଣ୍ଟ ଜାରି ରହିବ। ଏଭଳି କିଛି କହିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବୁଧବାର କାଟିହରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କିଛି ସ୍ପଷ୍ଟ କରିଛନ୍ତି ନୀତୀଶ। କେବଳ ସେତିକି ନୁହେଁ, ଏହାଦ୍ବାରା ସେ ଗୋଟିଏ ପଟେ ତେଜସ୍ୱୀ ଯାଦବଙ୍କୁ ବାର୍ତ୍ତା ଦେବା ସହ, ଅନ୍ୟପଟେ ସେ ହିନ୍ଦୁ-ମୁସଲମାନ ବିଷୟରେ କହି ବିଜେପିକୁ ମଧ୍ୟ ବାର୍ତ୍ତା ଦେଇଛନ୍ତି ।
ନୀତୀଶ କହିଛନ୍ତି, ମୁଁ ଭୁଲରେ ଏପଟ ସେପଟ ହୋଇଯାଇଥିଲି। ଏବେ ଆଉ ସେଭଳି ହେବନି। ଆମର ମେଣ୍ଟ ଏବେ ବଜାୟ ରହିବ। ରାଜ୍ୟରେ ବିଜେପି-ଜେଡିୟୁ ମେଣ୍ଟକୁ ନେଇ ସେ କହିଛନ୍ତି, ଏବେ କୌଣସି ପ୍ରକାର ବାମ-ଡାହଣ ହେବନି। ସବୁଆଡେ ବିକାଶ ହେବ। ଆମେ ପୁରା ରାଜ୍ୟର ବିକାଶ କରୁଛୁ। ଯେତେବେଳେ ଆମେ ଆସିଥିଲୁ, ତାଙ୍କ ପୂର୍ବର ଲୋକଙ୍କୁ ସୁଯୋଗ ମିଳିଥିଲେ ମଧ୍ୟ କିଛି କାମ କରୁନଥିଲେ। ତାଙ୍କ ସମୟରେ ରାଜ୍ୟରେ ବଜେଟ୍ ୨୪ ହଜାର କୋଟି ଥିଲା। ଏବେ ଆମର ବଜେଟ୍ ୨ ଲକ୍ଷ ୮୨ ହଜାର କୋଟି ଟଙ୍କା। ଆମେ ସବୁ ସ୍ଥାନରେ ସୁବିଧା ଦେଉଛୁ। ସ୍କୁଲ ତିଆରି ହେଉ ଓ ପିଲାଙ୍କୁ ଭଲ ଶିକ୍ଷା ମିଳୁ ତାକୁ ଆମେ ଫୋକସ୍ କରୁଛୁ।
ନୀତୀଶ କହିଛନ୍ତି, ଆମେ ମହିଳାଙ୍କ ବିକାଶ ପାଇଁ କାମ କରିଛୁ। ପୁଅ ହେଉ କିମ୍ବା ଝିଅ, କୌଣସି ଜାତି କିମ୍ବା ଧର୍ମର ହୁଅନ୍ତୁ, ଆମେ ସମସ୍ତଙ୍କ ପାଇଁ କାମ କରିଛୁ। ପୂର୍ବରୁ ହିନ୍ଦୁ-ମୁସଲମାନଙ୍କ ଭିତରେ କେତେ ବିବାଦ ହେଉଥିଲା। ଆମେ କ୍ଷମତାକୁ ଆସିବା ପରେ ଏବେ କେଉଁଠି ହିନ୍ଦୁ ମୁସଲମାନଙ୍କ ଭିତରେ ଝଗଡା ହେଉନି। ଆମେ ସମସ୍ତଙ୍କ ପାଇଁ କାମ କରୁଛୁ।