ପାଟ୍‌ନା,୦୫/୦୮: ବିହାର ବିଧାନସଭା ନିର୍ବାଚନ  ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ବଡ଼  ଘୋଷଣା କରିଛନ୍ତି । ସୋସିଆଲ୍‌ ମିଡିଆ ଏକ୍ସରେ ସେ  ଲେଖିଛନ୍ତି, ନଭେମ୍ବର ୨୦୦୫ରେ ସରକାର ଗଠନ ହେବା  ପରେ ଆମେ ଶିକ୍ଷା ବ୍ୟବସ୍ଥାରେ  ସୁଧାର ଲାଗି ଲଗାତର କାମ  କରୁଛୁ । ଶିକ୍ଷା ବ୍ୟବସ୍ଥାର  ସୁଦୃଢ଼ୀକରଣ ଲାଗି ବ୍ୟାପକ ସଂଖ୍ୟାରେ ଶିକ୍ଷକଙ୍କ ନିଯୁକ୍ତି  କରାଯାଇଛି । ଏବେ ରାଜ୍ୟରେ ସରକାରୀ ଶିକ୍ଷକ ନିଯୁକ୍ତି  ସମୟରେ ଡୋମିସାଇଲ୍‌ ନୀତି (ବିହାରୀଙ୍କୁ ପ୍ରାଥମିକତା)  ଲାଗୁ କରାଯିବ ।

 ଏହି ବ୍ୟବସ୍ଥା ଆଗକୁ ହେବାକୁ ଥିବା ଚତୁର୍ଥ  ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତିରେ ଲାଗୁ ହେବ । ଏଥିଲାଗି ଶିକ୍ଷା  ବିଭାଗକୁ ସମ୍ବନ୍ଧିତ ନିୟମରେ ଆବଶ୍ୟକୀୟ ସଂଶୋଧନ  କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆସନ୍ତାବର୍ଷ  ପଞ୍ଚମ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବ  ବୋଲି ସେ ସୂଚନା ଦେଇଛନ୍ତି । ଏହି ନୀତି ଲାଗୁ ହେବା ଅର୍ଥ  କେବଳ ବିହାରୀମାନେ ହିଁ ଚତୁର୍ଥ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପରୀକ୍ଷା(ଟିଆର୍‌ଇ-୪) ପାଇଁ ଆବେଦନ କରିପାରିବେ ।