ପାଟ୍ନା,୦୫/୦୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ବଡ଼ ଘୋଷଣା କରିଛନ୍ତି । ସୋସିଆଲ୍ ମିଡିଆ ଏକ୍ସରେ ସେ ଲେଖିଛନ୍ତି, ନଭେମ୍ବର ୨୦୦୫ରେ ସରକାର ଗଠନ ହେବା ପରେ ଆମେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଲାଗି ଲଗାତର କାମ କରୁଛୁ । ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଲାଗି ବ୍ୟାପକ ସଂଖ୍ୟାରେ ଶିକ୍ଷକଙ୍କ ନିଯୁକ୍ତି କରାଯାଇଛି । ଏବେ ରାଜ୍ୟରେ ସରକାରୀ ଶିକ୍ଷକ ନିଯୁକ୍ତି ସମୟରେ ଡୋମିସାଇଲ୍ ନୀତି (ବିହାରୀଙ୍କୁ ପ୍ରାଥମିକତା) ଲାଗୁ କରାଯିବ ।
ଏହି ବ୍ୟବସ୍ଥା ଆଗକୁ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତିରେ ଲାଗୁ ହେବ । ଏଥିଲାଗି ଶିକ୍ଷା ବିଭାଗକୁ ସମ୍ବନ୍ଧିତ ନିୟମରେ ଆବଶ୍ୟକୀୟ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆସନ୍ତାବର୍ଷ ପଞ୍ଚମ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହି ନୀତି ଲାଗୁ ହେବା ଅର୍ଥ କେବଳ ବିହାରୀମାନେ ହିଁ ଚତୁର୍ଥ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପରୀକ୍ଷା(ଟିଆର୍ଇ-୪) ପାଇଁ ଆବେଦନ କରିପାରିବେ ।