• ଆଇନ ଶୃଙ୍ଖଳା, ସୁରକ୍ଷାରେ କୌଣସି ସାଲିସ କରାଯିବ ନାହିଁ
  • ଭିଡ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ
  • ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ନିବେଦନ

ଭୁବନେଶ୍ବର, ୨୨/୦୭ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ସୁରୁଖୁରୁରେ ସଂପନ୍ନ କରିବାକୁ ସମସ୍ତେ ଯତ୍ନବାନ ରୁହ। ଭିଡ଼ ପରିଚାଳନା, ଠିକ ସମୟରେ ସୂଚନା ପ୍ରଦାନ ସହ ଆଇନ ଶୃଙ୍ଖଳା ଓ ସୁରକ୍ଷାରେ କୌଣସି ପ୍ରକାର ସାଲିସ କରନି। ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମୀକ୍ଷାରେ ଅଧିକାରୀମାନଙ୍କୁ ଏମିତି ପରାମର୍ଶ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ। ଶ୍ରଦ୍ଧାଳୁମାନେ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ସେ ନିବେଦନ ମଧ୍ୟ କରିଛନ୍ତି।

ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ହେବାକୁ  ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ହୋଇଥିବା ଆଲୋଚନାରୁ ଜଣା ଯାଇଛି ଯେ, ରଥଯାତ୍ରା ଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପ୍ରାୟତଃ ଠିକ୍ ଭାବରେ ପରିଚାଳିତ ହୋଇଛି। ଲଗାଣ ବର୍ଷା, ପ୍ରତିକୂଳ ପାଗ, ଗରମ ଓ ଗୁଳୁଗୁଳି ସତ୍ତ୍ବେ ଅଧିକାରୀ ଓ କର୍ମଚାରୀ ତଥା ଭକ୍ତମାନଙ୍କ ସେବା ଓ ସମର୍ପଣ କୌଣସି ମାତ୍ରାରେ ପ୍ରଭାବିତ ହୋଇନାହିଁ। ସେବାୟତମାନଙ୍କ ନିଷ୍ଠା ଓ ସମର୍ପଣ ମନୋଭାବର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ମହାପ୍ରଭୁଙ୍କ ସେବାରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଟିମ୍ ସ୍ପିରିଟ ନେଇ କାମ କରୁଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

ପୁରୀ ସହରରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସଜାଗ ରହି ସମସ୍ତ ବ୍ୟବସ୍ଥାର ନିୟମିତ ପରିଚାଳନା ଓ ତଦାରଖ କରୁଛନ୍ତି। ପହଣ୍ଡି, ରଥଟଣା, ଦକ୍ଷିଣି ମୋଡ, ଆଡପ ମଣ୍ଡପ ଦର୍ଶନ, ପ୍ରତ୍ୟେକ ସମୟରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିୟମିତ ତଦାରଖ କରୁଛନ୍ତି। ବୈଠକରେ ଭିଡ ପରିଚାଳନା ଓ ନିରନ୍ତର ସୂଚନା ପ୍ରଦାନ ଉପରେ ଅଧିକ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭିଡରେ ଜନଗହଳିକୁ ବୈଜ୍ଞାନିକ ପଦ୍ଧତିରେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,   CCTV ରୁ ମିଳୁଥିବା ସୂଚନାକୁ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ବ୍ୟବସ୍ଥା ଜରିଆରେ ସମସ୍ୟା ଥିବା ସ୍ଥାନକୁ ତୁରନ୍ତ ପ୍ରଦାନ କରାଗଲେ, ସମସ୍ୟାର ସମାଧାନ ହୋଇପାରିବ।   ଆଗକୁ ବାହୁଡା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନିଳାଦ୍ରୀବିଜେ ଅନୁଷ୍ଠିତ ହେବ। ତେଣୁ, ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ଧ୍ୟାନ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଆହୁରି ପଢନ୍ତୁ- ବାହୁଡା ଯାତ୍ରା ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ, ସୁରୁଖୁରୁରେ ଯାତ୍ରା ଶେଷ କରିବା ନେଇ ଆଲୋଚନା

ରଥଯାତ୍ରାରେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ, ଦୁଇଜଣ ଶ୍ରଦ୍ଧାଳୁଙ୍କ ଜୀବନହାନି ଯୋଗୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତ ଶ୍ରଦ୍ଧାଳୁଙ୍କ ପରିବାରବର୍ଗଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ଅଗ୍ନିଶମ ପୋଲିସ ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡ଼ଙ୍ଗୀ, ପୋଲିସ ମଡର୍ଣ୍ଣାଇଜେସନ୍‌ର ଅତିରିକ୍ତ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ପୋଲିସ ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।