ଭୁବନେଶ୍ୱର,୧୯/୧୦: ମାଟି ଥୁଆ ହୋଇଛି । କୁମ୍ଭ ବି ସେମିତି ରହିଛି । ବସ୍ତାବସ୍ତା ଦୀପ ତଳେ ଗଡ଼ୁଛି । ଦୀପାବଳି ମୁଣ୍ଡ ଉପରେ । ହେଲେ ବେପାର ନାହିଁ । ଦୀପାବଳି ବେଳେ ହାତ ବାନ୍ଧି ବସିଛନ୍ତି କୁମ୍ଭକାର । ଲୋକେ ମାଟି ଦୀପ ଛାଡ଼ି ଚାଇନା ଲାଇଟ୍ କିଣୁଥିବାରୁ ତାର ପ୍ରଭାବ ଏବେ କୁମ୍ଭକାରଙ୍କ ଉପରେ ପଡ଼ିଛି । ଦୀପ ବିକ୍ରି ହେଉନଥିବାରୁ ପୁରୁଣା ଭୁବନେଶ୍ୱର ଅନ୍ତର୍ଗତ କପିଳେଶ୍ୱର ଅଞ୍ଚଳର କୁମ୍ଭକାରମାନେ ଏବେ ଚିନ୍ତାରେ । ଆଗଭଳି ଦୀପାବଳିରେ ବଜାରରେ ଗହଳଚହଳ ଅଛି । ବାଣ ସହ ଦୀପ କିଣିବାକୁ ଲୋକଙ୍କ ଭିଡ଼ ।
ତେବେ ଦୀପାବଳିରେ ଦୀପ ଜାଳିବା ପାଇଁ ପାରମ୍ପରିକ ମାଟି ନିର୍ମିତ ଦୀପ ବ୍ୟବହାର କରିବାର ପ୍ରାଚୀନ ପରମ୍ପରା ରହିଛି । ପୂର୍ବରୁ କେବଳ କୁମ୍ଭାର ସମ୍ପ୍ରଦାୟ କାରିଗର ତିଆରି କରୁଥିବା ମାଟି ଦୀପ ଦୀପାବଳିରେ ବ୍ୟବହାର ହେଉଥିଲା । ହେଲେ ପ୍ରଯୁକ୍ତିବିଦ୍ୟାର ବିକାଶ ହେବା ସହ ବଜାରରେ ମାଟି ଦୀପର ଅନେକ ବିକଳ୍ପ ଆସିଛି । ମାଟି ଦୀପ ନୁହେଁ ବରଂ ଫାନ୍ସି ଓ ବିଦ୍ୟୁତଚାଳିତ ଦୀପ କିଣୁଛନ୍ତି ଗ୍ରାହକ । ଫଳରେ କୁମ୍ଭାରମାନଙ୍କ ପ୍ରସ୍ତୁତ ମାଟି ଦୀପର ଚାହିଦା ହ୍ରାସ ପାଇଛି । କପିଳେଶ୍ୱର କୁମ୍ଭାର ସାହିରେ ମୋଟ ୨୬ ପରିବାର ମାଟି ତିଆରି କଳସ, ମାଠିଆ, ଦୀପ, ସରା ଆଦି ତିଆରି କରି ରୋଜଗାର କରନ୍ତି । ପ୍ରତିବର୍ଷ ଦୀପାବଳିର ପ୍ରାୟ ୬ ମାସ ପୂର୍ବରୁ ମହିଳା କୁମ୍ଭକାରମାନେ ବାହାରୁ ମାଟି, ନଡ଼ା ଆଣି ଏମାନେ ଦୀପ ତିଆରି କରି ବଜାରରେ ନେଇ ବିକ୍ରି କରିଥାନ୍ତି ।
ଗୋଟେ ପରିବାର ଦୀପ ବିକ୍ରି କରି ୧୫ହଜାର ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି । ହେଲେ ଏବେ ମାଟି ଦୀପର ବିକ୍ରି କମିଥିବାରୁ ଏହାର ସିଧାସଳଖ ପ୍ରଭାବ ଏହି କୁମ୍ଭକାରଙ୍କ ଜୀବନ, ଜୀବିକା ଉପରେ ପଡିଛି । ଫଳରେ କେତେକ ପରିବାର ବେଉସା ଛାଡିଦେଲେଣି । ଏବେ ୧୦ରୁ ୧୨ଟି ପରିବାର ଦୀପ ତିଆରି କରୁଛନ୍ତି । ଯେଉଁ ଦୀପ ବିକ୍ରି ହେଉଛି ସେଥିରେ ଲାଭ ମିଳୁନି । ବାଧ୍ୟ ହୋଇ ଟଙ୍କାଏ କି ଦୁଇଟଙ୍କାରେ ଏହାକୁ ବିକ୍ରି କରିବାକୁ ପଡ଼ୁଛି । ସମୁଦାୟ ବେପାର ବି ୫ହଜାର ଛୁଉଁନି । ଏ ସଂପର୍କରେ ବରିଷ୍ଠ କୁମ୍ଭକାର ଜଗନ୍ନାଥ ମୁଦୁଲି କହିଛନ୍ତି, ଦିନ ଥିଲା ଏଠାକାର ଦୀପ ଭୁବନେଶ୍ୱର ସହ ଆଖପାଖ ଅଞ୍ଚଳରେ ଭଲ ବିକ୍ରି ହେଉଥିଲା । ଏବେ ସବୁ କିଛି ମହଙ୍ଗା ହୋଇଗଲାଣି, ମାଟି ମିଳୁ ନାହିଁ କି କାଠ ମିଳୁନାହିଁ । ତଇାପି ପୂର୍ବପୁରୁଷଙ୍କ ପରମ୍ପରା ବଜାୟ ରଖିବାକୁ ବାଧ୍ୟ ହେଉଛୁ ।