ନୂଆଦିଲ୍ଲୀ, ୨୦।୮: ଜାତୀୟ ରାଜପଥକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଅସମ୍ପୂର୍ଣ୍ଣ, ଖାଲଢିପ କିମ୍ବା ଟ୍ରାଫିକ୍ ଜାମ୍ ଥିବା ରାଜପଥରେ ଟୋଲ୍ ଆଦାୟ ମନା । ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ, ଯାତ୍ରୀମାନଙ୍କୁ ଟୋଲ୍ ଟ୍ୟାକ୍ସ ଦେବାକୁ ବାଧ୍ୟ କରାଯାଇପାରିବ ନାହିଁ । ତ୍ରିସୁର ଜିଲ୍ଲାର ପାଲିୟେକ୍କାରା ପ୍ଲାଜାରେ ଟୋଲ୍ ଆଦାୟ ଉପରେ ରୋକ୍ ଲଗାଇବା ପାଇଁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କୋର୍ଟ ବଜାୟ ରଖିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭୂଷଣ ଆର ଗଭାଇଙ୍କ ଅଧ୍ୟକ୍ଷତାରେ ବିଚାରପତି କେ ବିନୋଦ ଚନ୍ଦ୍ରନ ଏବଂ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏବଂ ରିହାତି ପ୍ରଦାନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି । ଏହା ସହିତ ସ୍ଥଗିତ ଟୋଲ୍ ଆଦାୟ ଯୋଗୁଁ ହେଉଥିବା ଆର୍ଥିକ କ୍ଷତି ଅପେକ୍ଷା ନାଗରିକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି ।
କେରଳ ହାଇକୋର୍ଟ ରାୟ ଦେଇଥିଲେ ଯେ, ଏନଏଚଏଆଇ ବା ସେମାନଙ୍କ ଏଜେଣ୍ଟମାନେ ନିରବିଚ୍ଛିନ୍ନ, ନିରାପଦ ଏବଂ ନିୟମିତ ରାସ୍ତା ପ୍ରବେଶ ସୁନିଶ୍ଚିତ କରିବାରେ ବିଫଳ ହେବା ଜନସାଧାରଣଙ୍କ ଆଶାର ଉଲ୍ଲଘଂନ ସହିତ ସମାନ ଏବଂ ଏହା ଟୋଲ୍ ସିଷ୍ଟମର ମୂଳଦୂଆକୁ ଦୁର୍ବଳ କରୁଛି । ମଙ୍ଗଳବାର ସୁପ୍ରିମକୋର୍ଟ କହିଥିଲେ, "ଆମେ ହାଇକୋର୍ଟଙ୍କ ଯୁକ୍ତି ସହ ସହମତ । ଉପଭୋକ୍ତାମାନେ ଟ୍ୟାକ୍ସ ଦେବାର ଅର୍ଥ ସେମାନେ ଭଲ ରାସ୍ତାରେ ଯାତାୟାତ କରିବା ଉଟିତ୍ । ଏହା ସହିତ ଖଣ୍ଡପୀଠ ଏନଏଚଏଆଇର ଯୁକ୍ତିକୁ ଖାରଜ କରିଦେଇଥିଲେ । କେରଳ ହାଇକୋର୍ଟଙ୍କ ୬ ଅଗଷ୍ଟର ରାୟକୁ ସମର୍ଥନ କରି ସୁପ୍ରିମକୋର୍ଟଙ୍କ କହିଛନ୍ତି ଯେ, ନାଗରିକଙ୍କୁ ସେହି ରାସ୍ତାରେ ଯିବା-ଆସିବା କରିବା ଉଚିତ୍, ଯେଉଁ ରାସ୍ତା ପାଇଁ ସେମାନେ ପୂର୍ବରୁ ଟ୍ୟାକ୍ସ ଦେଇସାରିଛନ୍ତି ଏବଂ ଖାଲ-ଢିପ ରାସ୍ତା ଦେଇ ଯିବା ଆସିବା ଯାତ୍ରୀଙ୍କୁ ଆଉ ଟ୍ୟାକ୍ସ ପେମେଣ୍ଟ କରିବାକୁ ପଡ଼ିବନି ।