ନୂଆଦିଲ୍ଲୀ ୧୯/୦୨: ନିକଟରେ ଜାରି ହୋଇଥିବା ନୂଆ ଏପ୍ଷ୍ଟିନ୍ ଫାଇଲ୍ରେ ଜଣେ ନୋବେଲ ବିଜେତା ବୈଜ୍ଞାନିକଙ୍କ ନାଁ ରହିଛି । ଯୌନ ଅପରାଧୀ ଏପ୍ଷ୍ଟିନ୍ର ନ୍ୟୁୟର୍କ ସ୍ଥିତ ମହଲରେ ଥିବା ତାଙ୍କ ଫଟୋ ମିଳିଛି । ବୈଜ୍ଞାନିକଙ୍କ ନାଁ ଜେମ୍ସ ୱାଟ୍ସନ୍ । ଫଟୋରେ ଏପ୍ଷ୍ଟିନ୍ ନେଟ୍ୱର୍କରେ ସାମିଲ ୩ ଯୁବତୀଙ୍କୁ ୱାଟ୍ସନଙ୍କ ସହ ହସି ପୋଜ୍ ଦେଉଥିବା ଦେଖିବାକୁ ମିଳିଛି । ଆମେରିକାର ନ୍ୟାୟ ବିଭାଗ ତରଫରୁ ଜାରି ଏହି ଫଟୋରେ ୩ ଝିଅଙ୍କ ଚେହେରାକୁ ବ୍ଲର୍ କରାଯାଇଛି ।
ଜେମ୍ସ ୱାଟ୍ସନ ଜଣେ ଅସାଧାରଣ ବ୍ୟକ୍ତିତ୍ୱ । ଡିଏନ୍ଏର ଡବଲ ହେଲିକ୍ସ ସଂରଚନାର ଆବିଷ୍କାର ପାଇଁ ତାଙ୍କୁ ଜୀବ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିଥିଲା । ଏହି ଆବିଷ୍କାର ଇତିହାସର ଅନ୍ୟତମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଉପଲବ୍ଧି । କାରଣ ଏଥିରୁ ଜଣାପଡ଼ିଲା, ଡିଏନ୍ଏ ଏକ ଲମ୍ବା, ମୋଡ଼ା ମୋଡ଼ା ସିଡ଼ି ଭଳି ସଂରଚନା । ଏଥିରେ ଦୁଇଟି ସୂତା ପରସ୍ପର ସହ ଚତୁଃପାଶ୍ୱର୍ରେ ଗୁଡ଼ାଇ ହୋଇଥାନ୍ତି । ଏହି ଆବିଷ୍କାର ଜେନେଟିକ୍ସ ଦୁନିଆରେ କ୍ରାନ୍ତି ଆଣିଲା । କାରଣ ଏହା ମଣିଷର ଜେନେଟିକ୍ସ ସୂଚନାର ଆଧାର ।
୧୯୫୩ରେ ୱାଟ୍ସନ ଏହି ଆବିଷ୍କାର କରିଥିଲେ । ଏଥିପାଇଁ ବୈଜ୍ଞାନିକ ଫ୍ରାନ୍ସିସ କ୍ରିକ୍ଙ୍କ ସହ ତାଙ୍କୁ ୧୯୬୨ରେ ନୋବେଲ ପୁରସ୍କାର ମିଳିଥିଲା । ୨୦୨୫ରେ, ୯୭ ବର୍ଷ ବୟସରେ ୱାଟ୍ସନଙ୍କର ମୃତ୍ୟୁ ହୋଇଥିଲା । ଏବେ ଏପ୍ଷ୍ଟିନ ଫାଇଲ୍ରେ ତାଙ୍କ ଫଟୋ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ଚର୍ଚ୍ଚା ହେଉଛି । ତେବେ ତାଙ୍କ ଫଟୋକୁ କୌଣସି ଭୁଲ କାମର ପ୍ରମାଣ ବୋଲି ଧରାଯାଉ ନାହିଁ । ତଥାପି ବିବାଦ ସୃଷ୍ଟି ହୋଇଛି । ବ୍ରିଟେନର ଖବରକାଗଜ ଦ ଟେଲିଗ୍ରାଫ୍ରେ ଉଲ୍ଲେଖ ହୋଇଛି, ଫଟୋ କେଉଁ ମସିହାର ଜଣାପଡ଼ି ନାହିଁ, ତଥାପି ଏହା ୨୦୧୦ ମଧ୍ୟଭାଗରୁ ଶେଷ ସମୟର ବୋଲି ଅନୁମାନ କରାଯାଉଛି । ସେତେବେଳକୁ ଏପ୍ଷ୍ଟିନ ନାବାଳିକା ଯୌନ ଅପରାଧ ମାମଲାରେ ଜେଲରୁ ମୁକ୍ତ ହୋଇସାରିଥିଲା । ନ୍ୟାୟ ବିଭାଗ ପ୍ରଥମେ ଜାରି କରିଥିବା ଏପ୍ଷ୍ଟିନ ଫାଇଲ୍ରୁ ଏପ୍ଷ୍ଟିନ ଓ ୱାଟ୍ସନଙ୍କ ମଧ୍ୟରେ ବନ୍ଧୁତାର ସଙ୍କେତ ମିଳିଥିଲା । କିନ୍ତୁ ଫଟୋରେ ପ୍ରଥମ ଥର ୱାଟ୍ସନଙ୍କୁ ଏପ୍ଷ୍ଟିନର ଘରେ ଦେଖିବାକୁ ମିଳିଛି ।
ଆହୁରି ପଢ଼ନ୍ତୁ...ଏପ୍ଷ୍ଟିନ ଫାଇଲ୍ରେ ନୂଆ ଖୁଲାସା, ନିଶା ଦେବାକୁ ନର୍ସରୀରେ ଲଗାଇଥିଲା ଦୁଦୁରା ଗଛ
ୱାଟ୍ସନଙ୍କ ସହ ଫଟୋରେ ଜଣେ ମହିଳା ଅଛନ୍ତି, ଯିଏ ଏକ ଦସ୍ତାବିଜ ଧରିଛନ୍ତି । ତା’ର ଶୀର୍ଷକ ‘ଷ୍ଟପିଙ୍ଗ୍ ଇନ୍କ୍ୟୋରେବଲ୍ କ୍ୟାନ୍ସର୍ସ ଥ୍ରୁ ଏଲିମିନେଟିଂ ଦେୟାର ଆଣ୍ଟି-ଅକ୍ସିଡାଣ୍ଟ୍ସ’ । ୨୦୧୩ରେ ୱାଟ୍ସନ ଏହି ବିଷୟ ଉପରେ ଟିକିଏ ଭିନ୍ନ ନାଁରେ ଏକ ପେପର୍ ପ୍ରକାଶ କରିଥିଲେ । ଏଥିରୁ ଜଣାପଡ଼େ, ଏପ୍ଷ୍ଟିନ ୱାଟ୍ସନଙ୍କୁ ନିଜର ଅତି ଘନିଷ୍ଠ ଲୋକଙ୍କ ମଧ୍ୟରେ ସାମିଲ କରିଥିଲା । ଜେନେଟିକ୍ସରେ ଏପ୍ଷ୍ଟିନର ଗଭୀର ରୁଚିକୁ ମଧ୍ୟ ଏହା ଇଙ୍ଗିତ କରୁଛି । କୁହାଯାଏ, ଏପ୍ଷ୍ଟିନର ମାନବ ଜିନୋମ୍ ପ୍ରତି ଅଦ୍ଭୁତ ଆକର୍ଷଣ ଥିଲା ।