ନୂଆଦିଲ୍ଲୀ : ବ୍ୟାଙ୍କ ହେଉ କି ଅନ୍ୟ କେଉଁ ଅଫିସ ହେଉ , ଦେଖିବେ ଲୋକଙ୍କ କାମ କରିବା ପାଇଁ ନାକେଦମ କରି ଦିଅନ୍ତି କର୍ମଚାରୀ ମାନେ। ଅନେକ ବସି ଗପୁ ଥିବେ ,ମୋବାଇଲ ଦେଖୁଥିବେ , ହେଲେ ଗ୍ରାହକଙ୍କ କାମକୁ କେମିତି ଶୀଘ୍ର ସାରିବା , ସେ କଥାକୁ ଅଣଦେଖା କରି ଦିଅନ୍ତି। କହିଲେ କଡ଼ା ସ୍ୱରରେ ଜବାବ। ଏହା ଏବେ ଯେମିତି ନିତି ଦିନିଆ ଘଟଣା ପାଲଟି ଯାଇଛି। ଏଥିପ୍ରତି ସଂପୃକ୍ତ ଅଫିସର ବା ବିଭାଗର ଉପରିସ୍ଥ ଅଫିସରମାନେ ଦେଖିବା କଥା। ଏବେ ଏମିତି ଏକ ଘଟଣା ଘଟିଛି ନୋଏଡାରେ। ନୋଏଡା ପ୍ରାଧିକରଣର ସିଇଓ ଲୋକେଶ ଏମ୍‌ କିନ୍ତୁ ଏଥିପ୍ରତି କଡ଼ା ପଦକ୍ଷେପ ନେଇଛନ୍ତି।

ସିଇଓ ଲୋକେଶ ଏମ୍‌ ନିଜ ଅଫିସରେ କର୍ମଚାରୀଙ୍କୁ ବାଟକୁ ଆଣିବାକୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। କାମ ପାଇଁ କାର୍ଯ୍ୟାଳୟ ଆସୁଥିବା ଲୋକଙ୍କର ଉଚିତ୍‌ ଉପାୟରେ ଦେଖାଶୁଣା କରିବା ନେଇ ଏକ ସ୍ୱତନ୍ତ୍ର ଉପାୟ ବାଛିଛନ୍ତି। ନିକଟରେ ପାଖାପାଖି ୧୬ ଜଣ କର୍ମଚାରୀଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି , ଯେଉଁଥିରେ ସେମାନେ ୩୦ ମିନିଟ୍‌ ଯାଏ ନିଜ ନିଜର ଡେସ୍କରେ ଠିଆ ହୋଇ ରହିଥିଲେ। ରିପୋର୍ଟ ଅନୁସାରେ, ନୋଏଡା ପ୍ରାଧିକରଣର ସିଇଓ ଲୋକେଶ ଏମ୍‌ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରାଇବା ପରେ ନିଜ କର୍ମଚାରୀଙ୍କୁ ଦଣ୍ଡ ପୂର୍ବକ ଡେସ୍କରେ ଠିଆ ହୋଇ ନିଜ କାମ କରିବାକୁ କହି ଥିଲେ।


ଏକ୍ସରେ ଏକ ଭିଡ଼ିଓ ସେୟାର କରି ଜଣେ ୟୁଜର କହିଛନ୍ତି , ଅବହେଳା ପ୍ରଦର୍ଶନ ବିରୋଧରେ ଏହି ପ୍ରକାରର ତୁରନ୍ତ ଆକ୍ସନ ବାସ୍ତବରେ ପ୍ରଶଂସନୀୟ।

ଜଣେ ୟୁଜର କହିଛନ୍ତି , ନୋଏଡା ଅଥୋରିଟିରେ ଜଣେ ବୟସ୍କ ଦମ୍ପତି ଫାଇଲ୍‌ ପାସ୍‌ କରାଇବା ପାଇଁ ଘୂରି ବୁଲୁ ଥିଲେ। କିନ୍ତୁ ଶୁଣାଣି ହୋଇ ପାରୁ ନଥିଲା। ଏହାକୁ ଦେଖି ସିଇଓ ସବୁ କର୍ମଚାରୀଙ୍କୁ ୩୦ ମିନିଟ୍‌ ଯାଏ ଠିଆ ହୋଇ କାମ କରିବାର ସଜା ଶୁଣାଇ ଥିଲେ। ଯଦି ଅନ୍ୟ ଅଫିସରେ ମଧ୍ୟ ଏହି ପରି ସଜା ଦିଆ ଯାଏ ତ ଗ୍ରାହକଙ୍କୁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ। ଏଥିପାଇଁ ଅଫିସର ସବୁ କର୍ମଚାରୀ ଦାୟୀ, ତାହା ବ୍ୟାଙ୍କ ହେଉ କି ଅନ୍ୟ କୌଣସି ବିଭାଗ ହେଉ। ଏମିତି ହିଁ ଘଟଣା ପ୍ରତିଦିନ ସବୁ ସ୍ଥାନରେ ଘଟୁଛି ଏବ କେହି ତାଙ୍କର କଥା ଶୁଣନ୍ତି ନାହିଁ। ସୂଚନା ଅନୁସାରେ , ପାଖାପାଖି ୧୦୦୦ ଲୋକେ ନିତି ସେକ୍ଟର-୬ ଅଫିସକୁ ଆସିଥାନ୍ତି । କର୍ମଚାରୀଙ୍କର ଏପରି ଅନିୟମିତତା ବ୍ୟବହାର ନେଇ ଅନେକ ସମୟରେ ଅଭିଯୋଗ କରିଥାନ୍ତି। 

ଅନ୍ୟପଟେ ସିଇଓଙ୍କୁ ପ୍ରଶଂସା କରି , ଏକ୍ସରେ ଜଣେ ୟୁଜର କହିଛନ୍ତି ଯେ, ତାଙ୍କୁ ଲୋକେଶ ଏମ୍‌ଙ୍କ ଉପରେ ଗର୍ବ ଅନୁଭବ ହେଉଛି, ଯିଏକି ନୋଏଡାରେ ସକାରାତ୍ମକ ପରିବର୍ତ୍ତନ ଆଣୁଛନ୍ତି। ସେ କହିଛନ୍ତି , ତାଙ୍କର ଦୂରଦର୍ଶିତା ଓ ସମର୍ପଣ ଭାବ ନୋଏଡାକୁ ଏକ ଉଚ୍ଚ ସ୍ତରକୁ ନେଇଛି।