ନୂଆଦିଲ୍ଲୀ,୧୩/୦୪; ଦରମା ବଢାଇବା ଦାବିରେ ଉଗ୍ର ହେଲା ଆନ୍ଦୋଳନ । ପୁଲିସ୍-ଶ୍ରମିକ ମୁହାଁମୁହିଁ । ଗାଡ଼ି ଭାଙ୍ଗିବା ସହ ପୋଡାଜଳା । ଗ୍ରେଟର ନୋଏଡାରେ ଦରମା ବୃଦ୍ଧି ସହିତ ବିଭିନ୍ନ ଦାବିକୁ ନେଇ ଶ୍ରମିକଙ୍କ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି । ଘରୋଇ କମ୍ପାନୀଗୁଡିକର କର୍ମଚାରୀଙ୍କ ପ୍ରତିବାଦ ତୀବ୍ର ହୋଇଛି । ପୁଲିସ ଏବଂ ଶ୍ରମିକଙ୍କ ମଧ୍ୟରେ ସଂଘର୍ଷ ଫଳରେ ଭଙ୍ଗାରୁଜା ଏବଂ ପୋଡ଼ାଜଳା ହୋଇଛି । ପୁଲିସ୍ ଗାଡି ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ ଶ୍ରମିକ । ଯାହା ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ ସ୍ପ୍ରେ କରିଛି ।

ନୋଏଡାର ଫେଜ୍ ୨ ଅଞ୍ଚଳରେ ଘରୋଇ କମ୍ପାନୀଗୁଡିକର କର୍ମଚାରୀମାନଙ୍କ ଦ୍ୱାରା ଚାଲିଥିବା ୩ ଦିନିଆ ପ୍ରତିବାଦ ହଠାତ୍ ହିଂସାତ୍ମକ ରୂପ ନେଇଛି । ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ପାଇଁ ସକାଳୁ ବହୁ ସଂଖ୍ୟକ କର୍ମଚାରୀ ରାସ୍ତାକୁ ଓହ୍ଲାଇଛନ୍ତି । ପୁଲିସ୍ ଭିଡ ନିୟନ୍ତ୍ରଣ ପାଇଁ ବଳ ପ୍ରୟୋଗ କରିଥିଲା । ହେଲେ ଉତ୍ତେଜନା କମିବା ପରିବର୍ତ୍ତେ ବଢିଥିଲା । ଉତ୍ତ୍ୟକ୍ତ ପ୍ରଦର୍ଶନକାରୀମାନେ ଗାଡି ଭଙ୍ଗାରୁଜା କରିବା ସହିତ ଅନେକ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ସେକ୍ଟର ୮୪ରେ ଦୁଇଟି ଗାଡି ଜାଳି ଦିଆଯାଇଛି । ଫେଜ ୨ରେ ବିଭିନ୍ନ ଅଞ୍ଚଳରେ କର୍ମଚାରୀମାନେ ରାସ୍ତା ଅବରୋଧ କରି ପ୍ରତିବାଦକୁ ତୀବ୍ର କରିଛନ୍ତି ।

ଆନ୍ଦୋଳନକାରୀ ଦୀର୍ଘ ଦିନ ଧରି ଦରମା ବୃଦ୍ଧି ଏବଂ କାର୍ଯ୍ୟ ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଦାବି କରି ଆସୁଛନ୍ତି । ସେମାନେ କହିଛନ୍ତି ଯେ ମୁଦ୍ରସ୍ପୀତି ସମ୍ମୁଖରେ ସେମାନଙ୍କର ବର୍ତ୍ତମାନର ଦମରା ପର୍ଯ୍ୟାପ୍ତ ନୁହେଁ, ଯାହା ସେମାନଙ୍କ ଜୀବିକାକୁ ପ୍ରଭାବିତ କରୁଛି । ପରିସ୍ଥିତି ଉତ୍ତେଜେନାପୂର୍ଣ୍ଣ ଦେବା ପରେ ପୁଲିସ ଏବଂ ପ୍ରଶାସନ ତତ୍ପର ହୋଇ ଉଠିଥିଲେ । ଘଟଣାସ୍ଥଳରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ପ୍ରଦର୍ଶନକାରୀଙ୍କୁ ଶାନ୍ତ କରିବାକୁ ପ୍ରାୟସ କରାଯାଇଥିଲା । କିନ୍ତୁ ଭିଡ ନିୟନ୍ତ୍ରଣ ବାହାରକୁ ଯାଇଥିଲା । ପୁଲିସ୍ ବଳ ପ୍ରୟୋଗ କରିଥିଲା । ଅନେକ ଅଞ୍ଚଳରେ ପରସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହୋଇଥିଲା କିନ୍ତୁ କିଛି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି । ଗୋଟିଏ ଦିନ ପୂର୍ବରୁ ଜିଲ୍ଲା  ପ୍ରଶାସନ, ପୁଲିସ୍ ଏବଂ କର୍ତ୍ତୃପକ୍ଷ କର୍ମଚାରୀ ପ୍ରତିନିଧିମାନଙ୍କ ସହିତ ଏକ ବୈଠକ କରିଥିଲେ । ଶାନ୍ତି ପାଇଁ ନିବେଦନ କରିଥିଲେ ।

ଏହା ବି ପଢନ୍ତୁ...ବ୍ୟାକ୍ ଟୁ ୱାର ! ଇରାନ ଉପରେ ପୁଣି ଆକ୍ରମଣ ନିର୍ଦ୍ଦେଶ ଦେଇପାରନ୍ତି ଟ୍ରମ୍ପ, WSJ ରିପୋର୍ଟରେ ଦାବି  

​​​​​​​ଅଭିଯୋଗ ହୋଇଛି ଯେ, ଉତ୍ତ୍ୟକ୍ତ କର୍ମୀମାନେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ ଏବଂ ଘଟଣାସ୍ଥଳରେ ଠିଆ ହୋଇଥିବା ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହା ବ୍ୟତୀତ, ଗୋଟିଏ ପୁଲିସ ଗାଡ଼ି ଓଲଟି ପଡ଼ିଥିଲା । ପ୍ରତିବାଦ ସମୟରେ କିଛି ସ୍ଥାନରେ ପୋଡ଼ାଜଳା ଘଟଣା ମଧ୍ୟ ଘଟିଥିବା ରିପୋର୍ଟ ହସ୍ତଗତ ହୋଇଛି । ଯାହା ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି । ପରିସ୍ଥିତି ଖରାପ ହେଉଥିବା ଦେଖି, ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଥିଲା। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ୍ ସେଲ୍ ଫୁଟାଇଥିଲେ । ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା ଏବଂ ପରିସ୍ଥିତିକୁ ଧୀରେ ଧୀରେ ନିୟନ୍ତ୍ରଣ କରାଯାଇଥିଲା ।