ନୂଆଦିଲ୍ଲୀ ୨୧/୦୩: ଯୌନ ଅପରାଧୀ ଜେଫରୀ ଏପ୍‌ଷ୍ଟିନ୍‌ ସହ ଜଣେ ହେଭିୱେଟ୍‌ଙ୍କ ସମ୍ପର୍କ ବେଶ ଚର୍ଚ୍ଚାରେ ରହିଛି । ନରୱେ ରାଜକୁମାରୀ ମେଟ-ମାରିଟ୍ ଏପ୍‌ଷ୍ଟିନ ସହ ବନ୍ଧୁତାକୁ ନେଇ ଗଣମାଧ୍ୟମର ଶିରୋନାମା ହୋଇଛନ୍ତି । ଏଥପାଇଁ ପଶ୍ଚାତାପ କରୁଥିବା ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ଗତ ଶୁକ୍ରବାର ସେ ସ୍ପଷ୍ଟ କରିଛନ୍ତି । ଏପ୍‌ଷ୍ଟିନ ଦ୍ୱାରା ପ୍ରତାରଣା ଓ ଜାଲିଆତିର ଶିକାର ହୋଇଥିଲେ ବୋଲି ସେ କହିଛନ୍ତି । ତାଙ୍କ କହିବା ଅନୁସାରେ, ୨୦୧୩ରେ ଫ୍ଲୋରିଡ଼ାର ପାମ୍ ବିଚ୍ ସ୍ଥିତ ମାନ୍‌ସନ୍‌ରେ ଏପ୍‌ଷ୍ଟିନ୍‌ ସହ ତାଙ୍କର ସାକ୍ଷାତ ହୋଇଥିଲା । ଏହି ସମୟରେ ମାରିଟ୍ ନିଜକୁ ଅସୁରକ୍ଷିତ ଅନୁଭବ କରିଥିଲେ ।

ନରୱେର ଏନ୍ଆର୍‌କେ ଚ୍ୟାନେଲ ସହ ସାକ୍ଷାତକାରରେ ମାରିଟ୍ କହିଛନ୍ତି, ୨୦୧୧ରୁ ୨୦୧୪ ମଧ୍ୟରେ ବଦ୍‌ନାମ ଫାଇନାନ୍ସର ଏପ୍‌ଷ୍ଟିନ୍‌ ବିରୋଧରେ ମକଦ୍ଦମା ଚାଲିଥିବାବେଳେ ଉଭୟଙ୍କ ମଧ୍ୟରେ ଅନେକ ଥର ଇ-ମେଲ୍ ଆଦାନପ୍ରଦାନ ହୋଇଥିଲା । ଏହା ସତ୍ତେ୍ୱ ଏପ୍‌ଷ୍ଟିନ୍‌ ଜଣେ ଯୌନ ଅପରାଧୀ ଥିଲା ବୋଲି ସେ ଜାଣିନଥିଲେ । ଏପ୍‌ଷ୍ଟିନ୍‌ ୨୦୦୮ରେ ପ୍ରଥମ ଥର ଫ୍ଲୋରିଡ଼ାଠାରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ୧୮ ବର୍ଷରୁ କମ୍ ବୟସ୍କ ଜଣେ ଝିଅଙ୍କୁ ଦେହଜୀବୀ କାମରେ ଲଗାଉଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୧୩ ମାସ କାଉଣ୍ଟି ଜେଲରେ ରହିଥିଲା । ଏଥିପାଇଁ ସେ ଯୌନ ଅପରାଧୀ ଭାବେ ପରିଚିତ ହେଲା । ଚଳିତ ବର୍ଷ ଆରମ୍ଭରେ ଆମେରିକୀୟ ନ୍ୟାୟ ବିଭାଗ ଦ୍ୱାରା ଏପ୍‌ଷ୍ଟିନ୍‌ ଫାଇଲ ଜାରି ହୋଇଥିଲା । ଏଥିରେ ନରୱେ ରାଜକୁମାରୀ ମାରିଟ୍‌ଙ୍କ ନାଁ ୧୦୦୦ରୁ ଅଧିକ ଥର ଉଲ୍ଲେଖ ହୋଇଥିଲା ।

ମାରିଟ୍ ନରୱେ ସିଂହାସନର ଉତ୍ତରାଧିକାରୀ ରାଜକୁମାର ହାକନ୍‌ଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତି ଗଣମାଧ୍ୟମକୁ ୨୦ ମିନିଟ୍‌ର ସାକ୍ଷାତକାର ଦେଇଥିଲେ । ଏହି ଦିନ ଉଭୟଙ୍କ ପୁଅ ମାରିୟସ ବୋଗ୍ ହା ଆଇବିଙ୍କ ବିରୋଧରେ ଅପରାଧିକ ମକଦ୍ଦମା ଶେଷ ହୋଇଥିଲା । ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଥିବା ହା ଆଇବିଙ୍କ ବିରୋଧରେ ଅଭିଯୋଗକର୍ତ୍ତା ୭ ବର୍ଷ ୭ ମାସର ଜେଲଦଣ୍ଡ ଦାବି କରିଛନ୍ତି । ସେ ମାରିଟ୍‌ଙ୍କ ପୂର୍ବ ସମ୍ପର୍କର ପୁଅ । ଜୁନ୍ ଆରମ୍ଭରେ ତାଙ୍କ ମାମଲାର ଶୁଣାଣି ହେବ । ସୂଚନାଯୋଗ୍ୟ, ଏପ୍‌ଷ୍ଟିନ୍‌ ସହ ସମ୍ପର୍କ ଯୋଗୁ ରାଜ ପରିବାର ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା, ସେଥିପାଇଁ ମାରିଟ୍ ପୂର୍ବରୁ କ୍ଷମା ପ୍ରାର୍ଥନା କରିଥିଲେ ।

ଆହୁରି ପଢ଼ନ୍ତୁ...ସଙ୍କଟ ଘେରରେ ନରୱେର ରାଜ ପରିବାର: ଏପଷ୍ଟିନ୍ ‘ରେପ୍ ଭିଲା’ରେ ୪ ଦିନ ବିତାଇଥିଲେ ଭାବି ରାଣୀ, ପୁଅ ଉପରେ ବି ଗମ୍ଭୀର ଅଭିଯୋଗ