ପୁରୀ,୨୪/୦୧ (ରାଜଶ୍ରୀ ସାହୁ): ‘ଆମକୁ ପୁତ୍ର ସନ୍ତାନ ନୁହେଁ, କନ୍ୟା ସନ୍ତାନ ଦରକାର । ଆମେ ଝିଅକୁ ପାଳି ପୋଷି ବଡ଼ କରିବାକୁ ଚାହୁଁଛୁ । ଝିଅର ବାପା ମା’ ହେବାର ସୌଭାଗ୍ୟ ଅର୍ଜିବାକୁ ଚାହୁଁଛୁ ।’ ଏଭଳି କହିଛନ୍ତି ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଥିବା ଦମ୍ପତି । ଏବେ ପୁଅଠୁ ଅଧିକ ଝିଅକୁ ଚାହୁଁଛନ୍ତି ଲୋକେ । ପୁତ୍ର ସନ୍ତାନଠାରୁ ଅଧିକ କନ୍ୟା ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଗ୍ରହ ବୃଦ୍ଧି ପାଇଛି । ଜିଲ୍ଲାରେ ପୁଅଙ୍କ ତୁଳନାରେ ଅଧିକ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି । 

ଜାନୁଆରୀ ୨୪କୁ ସାରା ଦେଶରେ ଜାତୀୟ କନ୍ୟା ସନ୍ତାନ ଦିବସ ଭାବେ ପାଳନ କରାଯାଉଛି ।  ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଓ ଭରଣପୋଷଣ ଆଇନ ଅଧୀନରେ ହଜାର ହଜାର ପୁରୁଷ ଓ ମହିଳା ତଥା ନିଃସନ୍ତାନ ଦମ୍ପତି ଏବେ ପୋଷ୍ୟ ସନ୍ତାନ ପାଇଁ ଆବେଦନ କରୁଛନ୍ତି । ଷ୍ଟେଟ୍‌ ଆଡପ୍‌ସନ୍‌ ରିସୋର୍ସ ଏଜେନ୍ସି(ସାରା) ଏବଂ ସେଣ୍ଟ୍ରାଲ ଆଡପ୍‌ସନ୍‌ ରିସୋର୍ସ ଏଜେନ୍ସି(କାରା)ର ୱେବ୍‌ସାଇଟ୍‌ ମାଧ୍ୟମରେ ଏଥିନିମନ୍ତେ ବିଧିବଦ୍ଧ ଭାବେ ଆବେଦନ କରାଯାଉଛି । ୱେବ୍‌ସାଇଟ୍‌ରେ ପୋଷ୍ୟ ସନ୍ତାନ ପାଇଁ ଆବେଦନ କରିବା ସମୟରେ ପୁତ୍ର ସନ୍ତାନ କିମ୍ବା କନ୍ୟା ସନ୍ତାନକୁ ପୋଷ୍ୟ କରିବାକୁ ଚାହୁଁଛନ୍ତି ଏହା ସୂଚୀତ କରାଯାଇପାରିବ । ତଥ୍ୟ ମୁତାବକ ଅଧିକାଂଶ ଲୋକେ ପୁତ୍ର ଅପେକ୍ଷା କନ୍ୟା ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଗ୍ରହ ଦେଖାଉଛନ୍ତି । 

ପୁରୀ ଜିଲ୍ଲାରେ ଗତ ୫ ବର୍ଷ ମଧ୍ୟରେ ସମୁଦାୟ ୨୯ ଜଣ ଶିଶୁ ନୂଆ ପରିବାର ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୮ ଜଣ କନ୍ୟା ଓ ୧୧ ଜଣ ପୁତ୍ର ସନ୍ତାନ ରହିଛନ୍ତି । କେବଳ ଜିଲ୍ଲାରେ ନୁହେଁ ସାରା ଦେଶରେ ତଥା ସାରା ରାଜ୍ୟରେ ମଧ୍ୟ କନ୍ୟା ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିବାର ଧାରା ଅଧିକ ରହିଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୨୧ରୁ ୨୦୨୩ ମଧ୍ୟରେ ଦେଶରେ ସମୁଦାୟ ୧୫,୪୮୬ ସନ୍ତାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି । ଏମାନଙ୍କ ମଧ୍ୟରୁ କନ୍ୟାଙ୍କ ସଂଖ୍ୟା ୯,୪୭୪ ହୋଇଥିବା ବେଳେ ପୁତ୍ରଙ୍କ ସଂଖ୍ୟା ୬,୦୧୨ ରହିଛ ।  କନ୍ୟା ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଜଣେ ମହିଳା ନିଜର ନାମ ଗୋପନ ରଖି କହିଛନ୍ତି, ମୁଁ ଏବଂ ମୋ ସ୍ୱାମୀ ପ୍ରଥମରୁ ଝିଅଟିଏ ଚାହୁଁଥିଲୁ । ହେଲେ ଶିଶୁ ଜନ୍ମ କଲେ ପୁଅ ହେବ କି ଝିଅ ଜଣା ନଥିଲା । ଏଣୁ ଆମେ ଏକ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆବେଦନ କରିଥିଲୁ । ଆବେଦନ କରିବାର ୪ ବର୍ଷ ପରେ ଆମକୁ ଏକ କନ୍ୟା ସନ୍ତାନ ପୋଷ୍ୟ ଭାବେ ମିଳିଥିଲା । ଏବେ ସେ ନବମ ଶ୍ରେଣୀରେ ପଢୁଛି । 

ଆଜିକାଲି ଝିଅମାନେ ପୁଅଙ୍କ ତୁଳନାରେ କୌଣସି ଗୁଣରେ କମ୍‌ ନୁହନ୍ତି । ବରଂ ପୁଅଟିଏ ତୁଳନାରେ ଝିଅ ମନ କଥାକୁ ଅଧିକ ବୁଝିପାରେ । ଏହା ଭାବି ଆମେ ଝିଅକୁ ପୋଷ୍ୟ କରିଥିଲୁ । ଆମ ଝିଅ ଆମ ଭାବନାଠାରୁ ମଧ୍ୟ ଅଧିକ ଭଲ ବୋଲି ସେ କହିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ କହିଛନ୍ତି, ପୂର୍ବେ ସମାଜରେ ପୁଅ-ଝିଅଙ୍କ ମଧ୍ୟରେ ପାତରଅନ୍ତର କରୁଥିଲେ । ଏବେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି । ସରକାରୀ ସ୍ତରରେ ମଧ୍ୟ ଏନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ହେଉଛି । ଦେଶର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଅନେକ ବଡ଼ ପଦପଦବିରେ ଝିଅମାନେ ନିଜର ଦକ୍ଷତା ପ୍ରମାଣ କରିପାରିଛନ୍ତି । ଯାହାକୁ ଦେଖି ଅଭିଭାବକମାନେ ଝିଅଙ୍କୁ ଅଧିକ ଚାହୁଁଛନ୍ତି ।  

ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଜିତ ମହାପାତ୍ର କହିଛନ୍ତି, ପୂର୍ବେ ଝିଅଟିଏ ଜନ୍ମ ହେଲେ ବାପା-ମା’ ତାକୁ ରାସ୍ତାଘାଟରେ ଛାଡ଼ି ଚାଲିଯାଉଥିବାର ଅନେକ ଘଟଣା ସାମ୍ନାକୁ ଆସୁଥିଲା । ହେଲେ ଏବେ ମାନସିକତାରେ ପରିବର୍ତ୍ତନ ହୋଇଛି । ବିଭିନ୍ନ କାରଣରୁ ଉଭୟ ପୁତ୍ର ଓ କନ୍ୟା ସନ୍ତାନମାନଙ୍କୁ ବାପା-ମା ଏବେ ବି ଆମ ହେପାଜତରେ ଛାଡ଼ି ଦେଉଛନ୍ତି । ତେବେ କନ୍ୟାଟିଏ ବୋଲି ଘୃଣା କରି ଛାଡ଼ିଦେବା ଭଳି ଘଟଣା ଆଉ ନଜର ଆସୁନାହିଁ । ସନ୍ତାନ ଚାହୁଁ ନଥିବା ଅଭିଭାବକ ନିଜର ନବଜାତ ଶିଶୁକୁ ଏଣେତେଣେ ନଛାଡ଼ି ଶିଶୁ ମଙ୍ଗଳ କମିଟିର ହେପାଜତରେ ଦେଲେ ସେ ଏକ ନୂଆ ଜୀବନ ଓ ନୂଆ ପରିବାର ପାଇପାରିବ ।