ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ରାତି ପାହିଲେ ନୂଆଁଖାଇ... ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ଉଠୁଛେ ପଡୁଛେ ଗାଁ ନୁ ସହର୍‌

Published By : Rasmita Pradhan | August 27, 2025 1:16 PM

ସମ୍ବଲପୁର, ୨୭/୦୮ : ପ୍ରବାସରେ ରହୁଥିବା ପୁଅ, ଝିଅ ଘରକୁ ଫେରିଛନ୍ତି । ଦାଦା, ଖୁଡ଼ି, ଭାଇ, ଭଉଣୀ ଏକାଠି ହୋଇଛନ୍ତି। ରାତିପାହିଲେ ହେଲା। କୃଷିଭିତ୍ତିକ ମହାନ ଗଣପର୍ବ ନୂଆଁଖାଇରେ ଏକାଠି ନବାନ୍ନ ଖାଇବେ ପରିବାର । ଏଥିପାଇଁ ଆଜିଠୁ ସମସ୍ତ ପ୍ରସ୍ତୁତି ସରିଛି । ପଶ୍ଚିମ ଓଡ଼ିଶାର ଆଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ସମସ୍ତେ ନୂଆଁ ଖାଇବେ । ଏହି ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ । 

ଏପଟେ, ଆରାଧ୍ୟ ଦେବୀ ମା’ସମଲେଶ୍ୱରୀଙ୍କ ପୀଠରେ ପ୍ରଥମ ନବାନ୍ନ ଲାଗି ହେବାକୁ ଥିବାରୁ ସେଠାରେ ବି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସମଲେଶ୍ୱରୀ ମନ୍ଦିରରେ ରଙ୍ଗକାମଠୁ ନେଇ ମରାମତି ଓ ଗହଣ ସଫେଇ ଜୋରସୋର୍‌ରେ ଚାଲିଛି । ସୁବ୍ୟବସ୍ଥିତ କରିବାକୁ ସମସ୍ତ ପୂଜା ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ । ଗତ ୩ ଦିନ ମଧ୍ୟରେ ମନ୍ଦିର ମରାମତି କାମ ଜୋରସୋର୍‌ରେ ଚାଲିଛି । ମନ୍ଦିର ଭିତରେ ଫାଟିଥିବା ଟାଇଲ୍‌ ଓ ମାର୍ବଲ୍‌ କାମ ତିଆରି ସରିଛି । ମନ୍ଦିର ଭିତର ପାର୍ଶ୍ୱ ନୂଆଁ ରଙ୍ଗ କାମ ହୋଇଛି । ମା’ଙ୍କ ଅଳଙ୍କାର ସଫେଇ କରାଯାଇଛି । ପାର୍ଶ୍ୱ ଦେବଦେବୀଙ୍କ ସିନ୍ଦୂର ଲଗା ସରିଛି । ଭକ୍ତଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ନୂଆଁଖାଇର ପୂଜାର୍ଚ୍ଚନା ସକାଶେ ମଧ୍ୟ ପ୍ରସ୍ତୁତି ଚାଲିଛି । 

ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରେ ବି ବଲବସପୁରରୁ ଆସିଥିବା ନୂଆଁ ଧାନରୁ ନବାନ୍ନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ଗୁରୁବାର (୨୮ ତାରିଖ) ସକାଳ ୧୦ଟା ୩୩ରୁ ୧୦ଟା ୫୫ମଧ୍ୟରେ ମା’ଙ୍କ ଠାରେ ନବାନ୍ନ ଲାଗିହେବ । ନୂଆଁଖାଇରେ ସାମିଲ ହେବାକୁ ପରିବାରର ସଦସ୍ୟ ଘରମୁହାଁ ହୋଇଛନ୍ତି । ରେଳ ଷ୍ଟେସନରୁ ଆରମ୍ଭ କରି ବସଷ୍ଟାଣ୍ଡ ଯାଏ ଲୋକାରଣ୍ୟ ହୋଇଯାଇଛି । ପୂରା ପରିବାର ଏକାଠି ହେବା ପରେ ଘର ଉତ୍ସାହରେ ଫାଟି ପଡୁଛି । ଭଳିକି ଭଳି ପିଠାପଣାର ଆସରରେ ଘର ମହକି ଉଠୁଛି । ଅପରପକ୍ଷେ, କୃଷିଭିତ୍ତିକ ପର୍ବ ହୋଇଥିବାରୁ ବେଶ୍‌ କିଛିଦିନ ହେଲା ଚାଷୀ ଭାଇ ତାର ପ୍ରସ୍ତୁତି ଚଲାଇଥିଲା । ହଳ ବଳଦ ଧୁଆରୁ ଆରମ୍ଭ କରି ଗୁହାଳ ସଫା ଯାଏ କାମରେ ବ୍ୟସ୍ତ ରହିଥିଲା । ଘରର ସ୍ତ୍ରୀ ଲୋକମାନେ ଘର ଲିପାପୋଛାରୁ ଆରମ୍ଭ କରି ଚୁନା ପ୍ରସ୍ତୁତି ଯାଏ କାମରେ ବ୍ୟସ୍ତ ଥିବା ବେଳେ ଏବେ ସବୁ କାମ ବି ଶେଷ ହୋଇଛି । ସେହିପରି ବିଭିନ୍ନ ଜାତିର ଲୋକ ବିଭିନ୍ନ ପତ୍ରରେ ନବାନ୍ନ ଭକ୍ଷଣ କରିଥାନ୍ତି । ଏଥିପାଇଁ ଜାତି ଅନୁସାରେ କୁରେ, ମହୁଲ, ଶାଳ ଆଦି ବିଭିନ୍ନ ପତ୍ର ସଂଗ୍ରହ କରି ଦନା ପ୍ରସ୍ତୁତି ବି ଶେଷ ହୋଇଛି । ଅନ୍ୟପଟେ, ଗତମାସରେ ବର୍ଷା ଅଭାବରୁ ଧାନ ହୋଇପାରିନି । ତେଣୁ ଆଜି ସମ୍ବଲପୁର ସହରରେ ବସିଥିବା ହାଟରେ ପ୍ରବଳ ଭିଡ଼ ହୋଇଥିଲା । ନୂଆଁ ଧାନ, ପତ୍ର ଏବଂ ଅନ୍ୟ ସାମଗ୍ରୀ କିଣି ଘରକୁ ନେଇଛନ୍ତି । ଆଜି ସହରର ଲକ୍ଷ୍ମୀଟକିଜରୁ ଗୋଲବଜାର ଛକରେ ପ୍ରବଳ ଭିଡ଼ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.