ନୂଆପଡ଼ା ୦୮/୧୧( ରତନ କେତକି ଓ ମୁକେଶ ପରିଡ଼ା): ଯୁଆଡ଼େ ଆଖି ବୁଲାଇବେ ନେତା, କର୍ମୀ ମାଳମାଳ । ବିଜେଡି, ବିଜେପି ହେଉ କି କଂଗ୍ରେସ ସବୁ ଅଫିସ, ସବୁ ଶିବିର ଓ ସମସ୍ତ ପ୍ରଚାରରେ ରାଜ୍ୟସ୍ତରୀୟ ନେତା ଦେଖିବାକୁ ମିଳୁଛନ୍ତି । ସତେ ଯେମିତି ବିଧାନସଭାଟା ଉଠି ଆସିଛି ନୂଆପଡ଼ାକୁ । ଶୁକ୍ରବାର ଖରିଆର ରୋଡ୍ରେ ନବୀନଙ୍କ ରୋଡ ସୋ’ ବେଳେ ରାସ୍ତାରେ ଚାଲି ଚାଲି ବୁଲୁଥିଲେ ବିଜେଡିର ଟାଣୁଆ ନେତା ସଞ୍ଜୟ ଦାସବର୍ମା । ପୂରା ବ୍ୟସ୍ତ ବିବ୍ରତ ହୋଇ ସବୁ କଥା ବୁଝୁଥିଲେ ବିଜୟ ନାୟକ । ବିଜେଡିର ପୂରା ମିଡ଼ିଆ ସେଲ ବି ବୁଲି ବୁଲି ସବୁ ଦେଖୁଥିଲେ । ଖାଲି କ’ଣ ସେତିକି ବିଜେଡିର ପ୍ରାୟ ସବୁ ବିଧାୟକ ନୂଆପଡ଼ା ଗସ୍ତ କରି ସାରିଲେଣି । ସବୁ ଟାଣୁଆ ନେତା ଯେମିତି ଦେବୀ ମିଶ୍ର, ବବି ଦାସ, ପ୍ରତାପ ଜେନା, ଅରୁଣ ସାହୁ, ସଂଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ଟୁକୁନି ସାହୁଙ୍କ ସମେତ ସବୁ ଶ୍ରେଣୀର ନେତା ନୂଆପଡ଼ା ଗସ୍ତରେ ଅଛନ୍ତି । ବିଜେପି ଜିଲ୍ଲା ଅଫିସରେ ପ୍ରବଳ ଗହଳି, ଲାଗୁଥିଲା ଯେମିତି ମେଳା ଲାଗିଛି । ଟିକିଏ ଭିତରକୁ ପଶିଲାବେଳକୁ ଅତି ବ୍ୟସ୍ତତାର ସହ କିଛି ଗୁରୁତ୍ୱପୂର୍ଣ କଥା ହେଉଥାନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ।
ରାଜଧାନୀର ଜଣେ ବରିଷ୍ଠ ନେତାଙ୍କୁ ପଚାରିଲି, କିଏ କିଏ ଆସିଛନ୍ତି? ଉତ୍ତର ଆସିଲା କିଏ ନ ଆସିଛି କହୁନ?? କାଁ ଭାଁ କିଛି ନେତା ଓ ମନ୍ତ୍ରୀଙ୍କୁ କ୍ୟାପିଟାଲ ଏବଂ ହେଡ଼ ଅଫିସ ଜଗାଇ ସବୁ ନୂଆପଡ଼ା ଜଗୁଛନ୍ତି । ଆଉ କିଛି ଆସୁଛନ୍ତି, ଯାଉଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ତ ନୂଆପଡା ଛାଡି ଯାଇନାହାନ୍ତି । ଡେପୁଟି ସିଏମ୍ କେଭି ସିଂଦେଓ ବି ଜଗିଛନ୍ତି । ମନ୍ତ୍ରୀ ସମ୍ପଦ ସ୍ୱାଇଁ, ଗୋକୁଳାନନ୍ଦ ମଲ୍ଲିକ, ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ସାଂସଦ ସମ୍ବିତ ପାତ୍ର, ସିନେ ତାରକା ଅରିନ୍ଦମ ରାୟ ବି ସେଇଠି । ପ୍ରାୟ ୪୦ ବିଧାୟକ ଓ ମନ୍ତ୍ରୀ ସେଇଠି ପଡ଼ି ରହିଛନ୍ତି । ମିଡ଼ିଆ ସେଲ ଓ ମୁଖପାତ୍ର ଟିମ୍ ବି ସ୍ୱତନ୍ତ୍ର ଡେସ୍କ ଖୋଲି ବସିଛନ୍ତି । ବିଜେପି ଅଫିସ ଭିତରକୁ ପଶୁ ପଶୁ ଡାହାଣ ପାଖରେ ମିଡ଼ିଆ ବାଲାଙ୍କ ଭିଡ଼ । ଅନେକ ପରିଚିତ ମୁହଁ, ପ୍ରାୟତଃ ଭୁବନେଶ୍ୱରର । ଖାଲି କ’ଣ ସେତିକି!!! ଷ୍ଟେସନରୁ ନେଇ ରାସ୍ତା ଘାଟ, ବଜାର ଯାଏଁ ବୁଲି ଆସିଲେ ନିଶ୍ଚିତ ଭୁବନେଶ୍ୱର ସାମ୍ବାଦିକ ଦେଖା ହେବା ଥୟ । ଖାଲି ଖବର କାଗଜ କି ଟିଭି ନୁହେଁ, ପୋର୍ଟାଲ, ୟୁଟ୍ୟୁବର ବି ବୁମ୍ ଓ ମୋବାଇଲ ଧରି ବୁଲୁଛନ୍ତି ।
ନୂଆପଡ଼ାରୁ ଖରିଆର ରୋଡ୍ ଓ କୋମନା ଯାଏଁ । କଂଗ୍ରେସ ଜିଲ୍ଲା ଅଫିସରେ ରାଜଧାନୀର ନେତା, କର୍ମୀ ଓ ପିସିସି ଅଫିସ କର୍ମଚାରୀଙ୍କ ଗହଳି । ଭୁବନେଶ୍ୱରର ପ୍ରାୟ ସବୁ ଯୁବ କଂଗ୍ରେସ ନେତା ଏବେ ନୂଆପଡ଼ା ଡ୍ୟୁଟିରେ । ପିସିସି ସଭାପତି ଭକ୍ତ ଦାସଙ୍କ ସହ ପିସିସି ମିଡ଼ିଆ ଟିମ୍ ବି ଡେରା ପକାଇଛନ୍ତି । ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଙ୍କ ପରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବି କୁଦିଛନ୍ତି ପ୍ରଚାରକୁ । ଶ୍ରୀକାନ୍ତ ଜେନା ବି ଜଗିଛନ୍ତି । ଖାଲି କ’ଣ ସେତିକି, ହୋଟେଲ ହେଉ କି ଚା’ ଦୋକାନ, ଯୁଆଡ଼େ ଯିବେ ବିଭିନ୍ନ କୋଣ ଅନୁକୋଣରେ ନେତା, କର୍ମୀ ପାଇବେ । ନୂଆପଡ଼ା ଭୂଗୋଳ ଓ ସମୀକରଣ ଜଣା ଥାଉ କି ନ ଥାଉ ସବୁଠି ଚାଲିଛି ରାଜନୀତି ଗଣିତ ଚର୍ଚ୍ଚା ।