ନୂଆପଡ଼ା,୨୩/୧୦:ନୂଆପଡ଼ା ଉପନିର୍ବାଚନ ପାଇଁ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ସରିଛି । ୧୯ ଆଶାୟୀଙ୍କ ମଧ୍ୟରୁ ୫ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି । ୬ଜଣ ଦଳୀୟ ଓ ୮ଜଣ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ସମୁଦାୟ ୧୪ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟରେ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ସମସ୍ତ ପ୍ରାର୍ଥୀ ଏବଂ ସେମାନଙ୍କ ପ୍ରତିନିଧିମାନେ ପହଞ୍ଚିଥିଲେ । ଅପରାହ୍ନ ସୁଦ୍ଧା ସମସ୍ତ ପ୍ରାର୍ଥିପତ୍ର ଯାଞ୍ଚ ସରିଥିଲା । ଏହାପରେ ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା, ସ୍ୱାଧୀନ ପ୍ରାର୍ଥୀ କମଲ କୁମାର ଛତ୍ରିଆ, ପୁରୁଷୋତ୍ତମ ବେହେରା, ଭୁଜବଳ ଆଡବଙ୍ଗଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବା ଘୋଷଣା କରାଯାଇଥିଲା । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତିପାର୍ଟିର ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନାଙ୍କ ପ୍ରାର୍ଥିତ୍ୱ କାଏମ ରହିଛି । ସେହିପରି ସ୍ୱାଧୀନ ପ୍ରାର୍ଥୀ ତଥା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସାଧାରଣ ସମ୍ପାଦକ ଭକ୍ତବନ୍ଧୁ ଧରୁଆ, ଡିଫାଇନ କଳାହାଣ୍ଡି ସମର୍ଥନରେ ନିର୍ବାଚନ ଲଢୁଥିବା ଆଇନଜୀବୀ ନୀତା ବାଗ, ଅବସରପ୍ରାପ୍ତ ଯବାନ ଇଂ. ଚକ୍ରାନ୍ତ ଜେନା, ଆଶ୍ରୟ ମହାନନ୍ଦ, ଭୁବନଲାଲ ସାହୁ, ଲୋଚନ ମାଝି, କିଶୋର କୁମାର ବାଗ, ଲକ୍ଷ୍ମୀକାନ୍ତ ତାଣ୍ଡି ପ୍ରମୁଖଙ୍କ ନାମାଙ୍କନ ପତ୍ର ମଧ୍ୟ କାଏମ ରହିଛି । ଗତ ମଙ୍ଗଳବାର କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କ ସତ୍ୟପାଠରେ ତଥ୍ୟ ଲୁଚାଯାଇଥିବା ବିଜେପି ଅଭିଯୋଗ ଆଣିଥିଲା । ହେଲେ ଯାଞ୍ଚପରେ ଶ୍ରୀ ମାଝିଙ୍କ ପ୍ରାର୍ଥିପତ୍ର କାଏମ ରହିଛି ।
ସୂଚନାଯୋଗ୍ୟ, ଅକ୍ଟୋବର ୨୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିନ ଧାର୍ଯ୍ୟ କରାଯାଇଛି । ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ନଭେମ୍ବର ୧୧ରେ ଭୋଟଗ୍ରହଣ ଓ ୧୪ରେ ଗଣତି ହୋଇ ଫଳାଫଳ ପ୍ରକାଶିତ ହେବ ।