ଭୁବନେଶ୍ୱର, ୦୧/୦୭: ଦୋଷୀ  ଯେତେ ପ୍ରଭାବଶାଳୀ ହୋଇଥାଆନ୍ତୁ ନା,  କାହିଁକି ତାଙ୍କୁ କଠୋର ଦଣ୍ଡ ଦିଆଯିବ ।  ଓଏଏସ୍‌ ଅଧିକାରୀଙ୍କୁ ଆକ୍ରମଣକାରୀ  ଓ ଏହା ପଛରେ ଯେଉଁମାନେ ବି  ରହିଛନ୍ତି ସମସ୍ତଙ୍କୁ ଜେଲ୍‌ରେ ପୂରାଇବୁ ।  ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବୁ, କାହାକୁ ଛାଡ଼ିବୁନି । ବିଏମ୍‌ସି  ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ  ଆକ୍ରମଣ ଘଟଣାରେ ଓଡ଼ିଶା ପ୍ରଶାସନିକ  ସେବା(ଓଏଏସ୍‌) ସଂଘର ପ୍ରତିନିଧି  ଦଳକୁ ଏଭଳି ଆଶ୍ୱାସନା ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ସୋମବାର ରାତି ପ୍ରାୟ ୧୧ଟାରେ ଓଏଏସ୍‌  ସଂଘର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ  ଭେଟିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଏହି  ଘଟଣାରେ ପୁଲିସ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ  ନେଇ ୩ଜଣଙ୍କୁ ଗିରଫ କରିଛି । ଅନ୍ୟ  ଅଭିଯୁକ୍ତଙ୍କୁ ଗିରଫ ପାଇଁ ଖୋଜା ଚାଲିଛି ।  ଓଏଏସ୍‌ମାନେ ମଙ୍ଗଳବାରଠାରୁ ସମୂହ  ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲେ । ଏ ସମ୍ପର୍କରେ ଅବଗତ ହେବା ପରେ  ମୁଖ୍ୟମନ୍ତ୍ରୀ ଛୁଟିରେ ନ ଯିବାକୁ ଅନୁରୋଧ କରିଛନ୍ତି । ମୋ ଉପରେ  ଆସ୍ଥା ରଖନ୍ତୁ । ମୁଁ ନିଶ୍ଚୟ ପଦକ୍ଷେପ  ନେବି ବୋଲି ସଂଘକୁ କହିଛନ୍ତି ।  

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ  ଆହୁଜା, ପୁଲିସ ଡିଜି ୱାଇବି ଖୁରାନିଆ, ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଓ ପୁଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ  ଅନୁରୋଧ ପରେ ଓଏଏସ୍‌ ସଂଘ ସମୂହ ଛୁଟି ନିଷ୍ପତ୍ତିକୁ  ସ୍ଥଗିତ ରଖିଛି । ତେବେ ପ୍ରତି ଜିଲ୍ଲା ପ୍ରଶାସନିକ ସେବା  ସଂଘ ଓ ରାଜ୍ୟ ପ୍ରଶାସନିକ ସେବା ସଂଘର ସଦସ୍ୟମାନେ  ଏକାଠି ହୋଇ ଏହି ଘଟଣାର ନିନ୍ଦା କରନ୍ତୁ ।  ଏ ସମ୍ପର୍କରେ ପ୍ରସ୍ତାବ ପାରିତ କରି ରାଜ୍ୟ ସଂଘକୁ  ପଠାଇବାକୁ ଓଏଏସ୍‌ ସଂଘ ପକ୍ଷରୁ ଅପିଲ୍‌ କରାଯାଇଛି ।  


ସନ୍ଧ୍ୟାରେ ଓଏଏସ୍‌ ସଂଘର ପ୍ରତିନିଧି ଦଳ  ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୁଲିସ  ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କୁ ଭେଟି ସମୂହ  ଛୁଟି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ ।  ଓଏଏସ୍‌ ସଂଘ କହିଛି, କେବଳ ଏହି ଗୋଟିଏ ଘଟଣା  ନୁହେଁ, ବର୍ଷେ ହେଲାଣି ସରକାରୀ ଅଧିକାରୀଙ୍କୁ  ଅପମାନିତ କରିବାକୁ ଲଗାତର ଅପପ୍ରୟାସ ଚାଲିଛି ।  ଏଥିପାଇଁ ଅନେକ ମିଛ କାହାଣୀ ସୃଷ୍ଟି କରାଯାଉଛି । ଅଧିକାରୀମାନେ ଶାରୀରିକ ଆଘାତ ଓ ଅସଦାଚରଣ  ସହିତ ମାନସିକ ଯନ୍ତ୍ରଣାକୁ ସାମ୍ନା କରୁଛନ୍ତି । ଏଭଳି  ମାନସିକତା ଦୁର୍ଭାଗ୍ୟଜନକ ଓ ଗଭୀର ଚିନ୍ତାଜନକ ।  ରାଜ୍ୟରେ କାମ କରୁଥିବା ସବୁ ସରକାରୀ ଅଧିକାରୀଙ୍କ  ସୁରକ୍ଷା ଓ ସମ୍ମାନ ପ୍ରତି ଏହା ଭୟଙ୍କର ବିପଦ  ସୃଷ୍ଟି କରୁଛି । କାର୍ଯ୍ୟରତ ସରକାରୀ ଅଧିକାରୀଙ୍କ  ଉପରେ ଆକ୍ରମଣର ଅର୍ଥ ପ୍ରଶାସନିକ ଢାଞ୍ଚା ଉପରେ  ସିଧାସଳଖ ଆକ୍ରମଣ ।

ସଂଘ ଏହାକୁ କଠୋର  ନିନ୍ଦା କରିବା ସହ ଆକ୍ରମଣର ଶିକାର ଅଧିକାରୀଙ୍କ ପ୍ରତି ଅକୁଣ୍ଠ ସମର୍ଥନ ଜଣାଉଛି । କର୍ତ୍ତୃପକ୍ଷ ଏହି  ଘଟଣାରେ ତତ୍କାଳ ଓ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ  ନେବାକୁ ସଂଘ ଦାବି କରିଛି । କାର୍ଯ୍ୟରତ ସମସ୍ତ  ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ଦାବି ହୋଇଛି । ସେବେ ଯାଏ ସବୁ ଓଏଏସ୍‌ ଛୁଟିରେ ରୁହନ୍ତୁ ବୋଲି  ସଂଘ ପୂର୍ବରୁ ଅପିଲ୍‌ କରିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ଏହାକୁ ସ୍ଥଗିତ ରଖାଯାଇଛି । ସଂଘର ସାଧାରଣ ସମ୍ପାଦକ ସାଧାରଣ ସମ୍ପାଦକ  ବିଜୟ ସ୍ୱାଇଁ କହିଛନ୍ତି, ଆକ୍ରମଣର ଶିକାର ରତ୍ନାକର  ସାହୁଙ୍କ ପୂରା ଚାକିରୀ କାଳ କେବିକେ ଅଞ୍ଚଳରେ  କଟିଛି । ସେଠାରେ ନିଷ୍ଠାପର ଭାବେ କାମ କରି  ନିକଟରେ ବିଏମ୍‌ସି ଆସିଛନ୍ତି । କିନ୍ତୁ ତାଙ୍କ ଉପରେ   ଯେଭଳି ଅମାନୁଷିକ ଆକ୍ରମଣ ହେଲା ତାହା  ନିନ୍ଦନୀୟ । ଏଭଳି ଘଟଣା ଯୋଗୁ ନିଷ୍ଠାପର ଭାବେ  ସରକାରୀ ସେବା କରୁଥିବା ଅଧିକାରୀଙ୍କ ମନୋବଳ  ଭାଙ୍ଗିଯିବ । ଏହାକୁ ଆମେ ଦୃଢ଼ ବିରୋଧ କରୁଛୁ ।