ସାନଖେମୁଣ୍ଡି, ୧୭/୧୧: ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଓ ମାତା ସୀତାଙ୍କ ଗାଥାକୁ ନେଇ ରାମାୟଣ ନାଟକ ପରିବେଷଣ କରାଯାଉଥିବା ବେଳେ ଏହି ଚରିତ୍ରରେ ଥିବା କଳାକାରଙ୍କୁ ନେଇ ଲୋକଙ୍କ ଭିତରେ ଧର୍ମୀୟ ଭାବନା ରହିଥାଏ । ହେଲେ ରାମାୟଣ ନାଟକ ପରିବେଷଣ ବେଳେ ଦେଖିବାକୁ ମିଳିଛି ଅଶ୍ଲୀଳତା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ତଥା ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ଗାଁ ଯାତ୍ରାରେ ଦୁଇଟି ନାଟକ ଦଳ ମଧ୍ୟରେ ପ୍ରତିଯୋଗିତା କରି ପରିବେଷଣ ବେଳେ ଦେଖିବାକୁ ମିଳିଛି ପରମ୍ପରା ଓ ସଂସ୍କୃତିକୁ ନଷ୍ଟ କଲା ଭଳି ଅଶ୍ଲୀଳତା, ଆଇଟମ୍ ଡ୍ୟାନ୍ସ ଓ ବିପଦଜନକ ଷ୍ଟଣ୍ଟ୍ । ଏହାର ଭିଡିଓ ଭାଇରାଲ୍ ହେବା ପରେ ନାଟ୍ୟପ୍ରେମୀ, ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଶୁକ୍ରବାର- ଶନିବାର ଯାତ୍ରା ଅବସରରେ ଜୁରା ଓ ଚିକିଲି ଗ୍ରୁପ୍ ମଧ୍ୟରେ ନାଟକ ପରିବେଷଣକୁ ନେଇ ପ୍ରତିଯୋଗିତା ଚାଲିଥିଲା । ଉଭୟ ଦଳ ବିଜେତା ହେବା ପାଇଁ ସଂସ୍କୃତି ପରମ୍ପରାକୁ ମଧ୍ୟ ଭୁଲିଗଲେ । ରାମାୟଣର ପବିତ୍ରତାକୁ ଛାରଖାର କରିଦେଲେ । ଚିକିଲି ନାଟକ ଦଳର ମାତା ସୀତା ଓ ଦେବମତିଙ୍କୁ ରାବଣ ହରଣ କରିବା ଦୃଶ୍ୟ ଅଭିନୟ ବେଳେ ଦେଖିବାକୁ ମିଳିଥିଲା ଅପସଂସ୍କୃତି । ନାରୀ ଚରିତ୍ରଙ୍କୁ ଉଲଗ୍ନ କରିବା ସହ ଶରୀରର ଅନେକ ସ୍ଥାନକୁ କାମୁଡ଼ିବା ଦୃଶ୍ୟ ଦେଖି କିଛି ଦର୍ଶକ ନିରବ ବସିଥିବା ବେଳେ ଆଉ କିଛି ବିରୋଧ କରିଥିଲେ । ସେପଟେ ଜୁରା ଗ୍ରୁପ୍ରେ କିଛି ମହିଳା କଳାକାର ବାନର ଅଭିନୟ କରୁଥିଲେ । ସେମାନେ ଛୋଟ ପୋଷାକ ପିନ୍ଧି ଶଗଡ଼ ଚକ ବୁଲାଇବା ସହ ଅଶ୍ଳୀଳତା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ।
ଆହୁରି ମଧ୍ୟ ରାମାୟଣ ନାଟକ ମଞ୍ଚରେ ଜଣେ ଚର୍ଚ୍ଚିତ ଆଇଟମ୍ ଗାର୍ଲ ଅଶ୍ଲୀଳ ନୃତ୍ୟ ପରିବେଷଣ କରିଥିଲେ । ନାଟକ ୨୪ ଘଣ୍ଟା ଅଭିନୟ ପାଇଁ ଚୁକ୍ତିନାମା ହୋଇଥିଲେ ହେଁ ୬୦ ଘଣ୍ଟା କାଳ ପରିବେଷଣ କରି ଅଶ୍ଲୀଳ ନୃତ୍ୟ ପ୍ରଦର୍ଶିତ କରାଯାଇଥିଲା । ଉଭୟ ଦଳ କୋଡିଏରୁ ଊଦ୍ଧ୍ୱର୍ ଆଇଟମ ଡ୍ୟାନ୍ସର ସହ ୫୦ରୁ ଅଧିକ କିନ୍ନରଙ୍କୁ ମଞ୍ଚରେ ନଚାଇଥିଲେ । ଏଭଳି ପରିବେଷଣ ରାମାୟଣ ସଂସ୍କୃତିକୁ ବଦନାମ କରିଥିବା ଅଭିଯୋଗ ହୋଇଛି । ରାମାୟଣ ମଞ୍ଚରେ ଘୋଡ଼ା, ଓଟ ସହ ଜେସିବି କ୍ରେନ୍ ବ୍ୟବହାର କରି ଜୀବନକୁ ବାଜି ଲଗାଇ ବାନରଙ୍କ ଅଭିନୟ ଦୃଶ୍ୟ ବି ଦେଖିବାକୁ ମିଳିଥିଲା । ଏହାର ଭିଡିଓ ଭାଇରାଲ୍ ହେବା ପରେ ସାମାଜିକ ନାଟକରେ ଅଶ୍ଲୀଳତାକୁ ବାରଣ କରାଯାଇଥିବା ସ୍ଥଳେ ପୌରାଣିକ ନାଟକରେ ଏଭଳି ଦୃଶ୍ୟ ନାଟକପ୍ରେମୀ ଓ କଳାକାରଙ୍କ ମନକୁ ଆଘାତ ଦେଇଛି ।