କଟକ, ୧୪/୦୬: ରଜ ଆସିବା ମାସକ ପୂର୍ବରୁ ସାଙ୍ଗସାଥୀ ଓ ପରିବାର ବର୍ଗଙ୍କ ସହିତ ପ୍ରିୟ କଳାକାରଙ୍କ ସିନେମା ଦେଖିବା ପାଇଁ ଅପେକ୍ଷା କରିଥାନ୍ତି । ଦର୍ଶକଙ୍କ ଉତ୍ସାହକୁ ଦେଖି ପ୍ରଯୋଜକମାନେ ରଜ ସମୟରେ ୪/୫ଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରି ଲୋକଙ୍କୁ ଭେଟି ଦେଉଥିଲେ । ହଲ୍ମାନଙ୍କରେ ହାଉସ୍ଫୁଲ୍ ରହୁଥିବାବେଳେ ବ୍ଲାକ୍ ଟିକେଟ କିଣି ଦର୍ଶକ ସିନେମା ଦେଖୁଥିଲେ । ଉତ୍ଥାନ ପତନ ଭିତରେ ଓଡ଼ିଆ ସିନେମା ଜଗତ ପୁଣି କଡ଼ ଲେଉଟାଇବା ଆରମ୍ଭ କରିଛି । ହଲ୍ରୁ ମୁହଁ ଫେରାଉଥିବା ଦର୍ଶକ ପୁଣି ହଲ୍ରେ ମୁହାଁ ହୋଇଛନ୍ତି । ମାତ୍ର ଗତ କିଛି ବର୍ଷ ହେଲା ହଲ୍ର ଅଭାବ ଦର୍ଶକଙ୍କୁ ନିରାଶ କରିଛି ।
ଦିନଥିଲା କଟକ ସହରରେ ୧୨ରୁ ଅଧିକ ସିନେମା ହଲ ମୁଣ୍ଡ ଟେକିଥିଲା । ଏବେ କିନ୍ତୁ ହଲ୍ ସଂଖ୍ୟା ୩ରେ ପହଞ୍ଚିଛି । ଏବର୍ଷ ରଜରେ ଅନୁଭବଙ୍କ ‘ଛକିଶୂନ’, ଅମ୍ଳାନଙ୍କ ‘ଶିକାର’ ଏବଂ ଅର୍ଦ୍ଧେନ୍ଦୁଙ୍କ ‘ଡାଏରୀ’ ଚଳଚ୍ଚିତ୍ର ରିଲିଜ୍ ହୋଇଛି । ଅଧିକ ହଲ୍ ନଥିବାରୁ ଫିଲ୍ମପ୍ରେମୀଙ୍କ ମଧ୍ୟରେ ନିରାଶାଭାବ ଦେଖିବାକୁ ମିଳିଛି । ସହରରେ ପ୍ରଥମେ ବକ୍ସିବଜାର ବାରପଥର ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ‘ବି’ ଗ୍ରୁପ୍ ଭିତରେ ‘ହଲମୁଖ୍ ହଲ୍’ ପ୍ରତିଷ୍ଠାଲାଭ କରିଥିଲା । ଏହାର କିଛି ବର୍ଷ ଭିତରେ ଚୌଧୁରୀ ବଜାରରେ ଜନ୍ମ ନେଲା ‘ପାର୍ବତୀ ଟକିଜ୍’ । ଚାଳଘର ଭିତରେ ଏକକ ପରଦାରେ ସିନେମା ପ୍ରଦର୍ଶିତ ହେବା ସହ ଲୋକଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା । ସମୟ ବଦଳିବା ସହ କଟକ ସହରରେ ଗଢ଼ି ଉଠିଲା ୧୨ଟି ସିନେମା ହଲ୍ । ରାଣୀହାଟରେ ହିନ୍ଦ୍ ଟକିଜ୍, ଚାନ୍ଦିନୀଚୌକ୍ରେ ସୁରଜ୍, ବକ୍ସିବଜାରରେ ପ୍ରଭାତ ଓ ରାଜ ତରଙ୍ଗିଣୀ, ନୂଆବଜାର ଜ୍ୟୋତି ଓ ଶ୍ରୀ ଲକ୍ଷ୍ମୀ, ତିନିକୋଣିଆ ବଗିଚାରେ କ୍ୟାପିଟାଲ୍ ହଲ୍ ନିର୍ମାଣ ହୋଇଥିଲା ।
ସେହିପରି ମହତାବ ରୋଡ୍ରେ ଗ୍ରାଣ୍ଡ୍, ସଂଗମ୍, ମଧୁପାଟଣାରେ ସମ୍ରାଟ୍, ଲିଙ୍କ୍ରୋଡ୍ରେ ନିଶାମଣି, ବାଦାମବାଡ଼ିରେ ଜୟଶ୍ରୀ, ଟାଉନ୍ହଲ୍ ରୋଡ୍ରେ ଦେବିଦୁର୍ଗା ଓ ବଜ୍ରକବାଟିରେ ବୃନ୍ଦାବନ ସିନେମା ହଲ୍ ଗଢ଼ି ଉଠିବା ସହ ଦର୍ଶକ ଭରପୂର ମନୋରଞ୍ଜନ ପାଇଥିଲେ । ଧୀରେ ଧୀରେ ଚଳଚ୍ଚିତ୍ର ସଂଖ୍ୟା କମିବା ସହ ଦର୍ଶକ ହଲ୍ମୁହାଁ ନହେବାରୁ ଫିଲ୍ମର ଚାହିଦା କମିବାରେ ଲାଗିଲା । ବ୍ୟବସାୟ ଭଲ ନହେବାରୁ ଅନେକ ମାଲିକ ହଲ୍ ବନ୍ଦ୍ କରିଦେଲେ । ଅନେକ ଘାତ ପ୍ରତିଘାତ ପରେ ପୁଣି ଓଡ଼ିଆ ସିନେମା ମୁଣ୍ଡ ଟେକିବା ଆରମ୍ଭ କରିଛି । ‘ପ୍ରତୀକ୍ଷା’, ‘ଦମନ’ ଓ ‘ବୋଉ ବୁଟୁ ଭୂତ’ ପରି ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ।
ଏବେ ବର୍ଷକୁ ୩୫ରୁ ଅଧିକ ସିନେମା ନିର୍ମାଣ ହେଉଥିବା ବେଳେ କଟକରେ ସଙ୍ଗମ୍, ବୃନ୍ଦାବନ ଓ ଆଇନକ୍ସ୍ରେ ଦର୍ଶକ ଫିଲ୍ମ ଦେଖୁଛନ୍ତି । ଏ ସଂପର୍କରେ ଅଭିନେତା କୁନା ତ୍ରିପାଠୀ କହିଛନ୍ତି, ସୋସିଆଲ୍ ମିଡିଆ ଆସିବା ପରେ ଦର୍ଶକମାନେ କପି ସିନେମା ସଂପର୍କରେ ଜାଣିଥିଲେ । ଏହାପରେ ଧୀରେ ଧୀରେ ହଲ୍ ଯିବା ବନ୍ଦ କରିଦେଲେ । ଫଳରେ ଦର୍ଶକଙ୍କର ଓଡ଼ିଆ ସିନେମା ପ୍ରତି ଥିବା ଭଲ ପାଇବା କମିକମି ଗଲା । ଏବେ ନୂଆ ନୂଆ ଧରଣର ଚଳଚ୍ଚିତ୍ର ନିର୍ମାଣ ହେଲାଣି । ଯାହା ଫଳରେ ଦର୍ଶକ ପୁଣି ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଭଲ ପାଇବା ଦେଇଛନ୍ତି । ସେହିପରି ପ୍ରଯୋଜକ ବାପୁ ଲେଙ୍କା କହିଛନ୍ତି, ପୂର୍ବ ସରକାର ପ୍ରତିଶ୍ରୁତି ଦେଇଥିଲେ ଓଡ଼ିଆ ଚଳଚ୍ଚିତ୍ର ନୀତି ପ୍ରଣୟନ ହେବ ଏବଂ ପ୍ରତି ବ୍ଲକ୍ରେ ସିଙ୍ଗିଲ୍ ସ୍କ୍ରିନ୍ ସିନେମା ହଲ୍ ତିଆରି ହେବ । କିଛି ବ୍ଲକ୍ରେ ଏହି ନୀତି କାର୍ଯ୍ୟକାରୀ ହୋଇଥିବା ବେଳେ ଆଗକୁ କିଭଳି ସବୁଠି ପ୍ରଣୟନ ହେବ ସେଦିଗରେ ସରକାର ଦୃଷ୍ଟି ଦିଅନ୍ତୁ । ସେହିପରି ସହରରେ ଅଧିକ ସିନେମା ହଲ୍ ନଥିବାରୁ ଅଳ୍ପ କିଛିଦିନ ଫିଲ୍ମ ହଲ୍ରେ ଚାଲିବା ପରେ ଉଠି ଯାଉଛି ।
ଅଧିକ ପଢନ୍ତୁ- ନେଟଫ୍ଲିକ୍ସରେ ଏହି ଦିନ ଆସିବ ସନି ଦେଓଲ ଏବଂ ଅକ୍ଷୟ ଖନ୍ନାଙ୍କ ଇକ୍କା, ଧୁରଂଧର ପରେ ରହମାନ ଡକାୟତଙ୍କ ପ୍ରଥମ ଫିଲ୍ମ