ଭୁବନେଶ୍ୱର,୨୩/୦୬: ଜଣାଶୁଣା ଚଳଚ୍ଚିତ୍ର ତଥା ଥିଏଟର ହାସ୍ୟ ଅଭିନେତା ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ(ହାଡ଼ୁ) ତତଲା ତେଲ କଡ଼େଇରେ ପଡ଼ି ଗୁରୁତର ହୋଇଛନ୍ତି । ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଗୁରୁତର ଅବସ୍ଥାରେ ହାଡ଼ୁଙ୍କୁ ସମ୍ ହସ୍ପିଟାଲର ଜଳାପୋଡ଼ା(ବର୍ଣ୍ଣ) ୱାର୍ଡ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
ପୁତୁରା ଆକାଶ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ତାଙ୍କ ଶରୀରର ୨୮% ପୋଡ଼ିଯାଇଛି ବୋଲି ଡାକ୍ତର ରିପୋର୍ଟ ଦେଇଛନ୍ତି । ଆଖି ପତା ଓ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । କ୍ଷତ ସ୍ଥାନ ଷ୍ଟିଚ୍ କରାଯାଇଛି । ତାଙ୍କର ଉଚ୍ଚ ରକ୍ତଚାପ ଓ ମଧୁମେହ ରହିଛି । ସେଥିପାଇଁ ସୁସ୍ଥ ହେବାକୁ ୮ରୁ ୧୦ଦିନ ଲାଗିବ ।
ଶନିବାର ରାତି ପ୍ରାୟ ୮ଟାରେ ଏହି ଅଘଟଣ ଘଟିଥିଲା । ୟୁନିଟ-୧ରେ ଥିବା କ୍ୱାର୍ଟର୍ସରେ ରୋଷେଇ ବେଳେ ହାଡ଼ୁ ବାରଣ୍ଡାରେ ଯିବାଆସିବା କରୁଥିଲେ । ଚଟାଣରେ ତେଲ ପଡ଼ିଥିବାରୁ ତାଙ୍କ ଗୋଡ଼ ଖସିଯାଇଥିଲା । ସେ ସିଧା ତେଲ କଡ଼େଇରେ ପଡ଼ିଥିଲେ । ଗ୍ୟାସ୍ ବର୍ଣ୍ଣରରେ ତାଙ୍କ ମୁହଁ ବାଡେଇ ହୋଇଯାଇଥିଲା । ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଡାକ୍ତର ତାଙ୍କୁ କଟକ ଯିବାକୁ ପରାମର୍ଶ ଦେଇଥିଲେ । ହେଲେ ବାଟ ଦୂର ହେବାରୁ ତାଙ୍କୁ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପାଖରେ ପୁଅ ଆଦର୍ଶ ପଟ୍ଟନାୟକ, ଶାଳକ ଆଲୋକ ରାୟ ଉପସ୍ଥିତ ଅଛନ୍ତି । ଖବର ପାଇ ଭୁବନେଶ୍ୱରରେ ଥିବା ତାଙ୍କର ଶୁଭେଚ୍ଛୁ, ବନ୍ଧୁବାନ୍ଧବ, ଓଡିଆ ଫିଲ୍ମ ଓ ଟିଭି ଜଗତର ବହୁ କଳାକାର ପହଞ୍ଚି ଆଶୁଆରୋଗ୍ୟ କାମନା କରିଛନ୍ତି । ସେପଟେ ଆସନ୍ତା ବୁଧବାର ହାଡ଼ୁ ତାଙ୍କର ୨୫ତମ ବିବାହବାର୍ଷିକୀ ପାଳନ କରିଥାନ୍ତେ । ସେଥିପାଇଁ ପ୍ରସ୍ତୁତି କରୁଥିଲେ । ହେଲେ ଏହି ଅଘଟଣ ପାଇଁ ସେହି ଉତ୍ସବ ସ୍ଥଗିତ ରଖାଯାଇଛି ।
ପ୍ରକାଶ ଥାଉକି, ସମବାୟ ବିଭାଗରେ କିରାଣୀ ଭାବରେ କାର୍ଯ୍ୟରତ ହାଡ଼ୁ ୧୯୯୫ରେ ଦୂରଦର୍ଶନରେ ପ୍ରସାରିତ ‘ଛାନିଆ’ ସିରିଏଲରୁ କ୍ୟାରିଅର ଆରମ୍ଭ କରିଥିଲେ।