ଭୁବନେଶ୍ୱର,୨୩/୦୬: ଜଣାଶୁଣା  ଚଳଚ୍ଚିତ୍ର ତଥା ଥିଏଟର ହାସ୍ୟ ଅଭିନେତା  ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ(ହାଡ଼ୁ)  ତତଲା ତେଲ କଡ଼େଇରେ ପଡ଼ି ଗୁରୁତର ହୋଇଛନ୍ତି । ତାଙ୍କ ମୁହଁ ଓ ଶରୀରର  ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି  ହୋଇଛି । ଗୁରୁତର ଅବସ୍ଥାରେ ହାଡ଼ୁଙ୍କୁ ସମ୍‌ ହସ୍ପିଟାଲର ଜଳାପୋଡ଼ା(ବର୍ଣ୍ଣ) ୱାର୍ଡ  ଆଇସିୟୁରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । 

ପୁତୁରା ଆକାଶ  ପଟ୍ଟନାୟକଙ୍କ ସୂଚନା ଅନୁସାରେ, ତାଙ୍କ ଶରୀରର ୨୮% ପୋଡ଼ିଯାଇଛି ବୋଲି ଡାକ୍ତର ରିପୋର୍ଟ ଦେଇଛନ୍ତି । ଆଖି ପତା  ଓ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । କ୍ଷତ ସ୍ଥାନ ଷ୍ଟିଚ୍‌ କରାଯାଇଛି । ତାଙ୍କର ଉଚ୍ଚ  ରକ୍ତଚାପ ଓ ମଧୁମେହ ରହିଛି । ସେଥିପାଇଁ  ସୁସ୍ଥ ହେବାକୁ ୮ରୁ ୧୦ଦିନ ଲାଗିବ । 

ଶନିବାର ରାତି ପ୍ରାୟ ୮ଟାରେ ଏହି  ଅଘଟଣ ଘଟିଥିଲା । ୟୁନିଟ-୧ରେ ଥିବା  କ୍ୱାର୍ଟର୍ସରେ ରୋଷେଇ ବେଳେ ହାଡ଼ୁ  ବାରଣ୍ଡାରେ ଯିବାଆସିବା କରୁଥିଲେ । ଚଟାଣରେ ତେଲ ପଡ଼ିଥିବାରୁ ତାଙ୍କ ଗୋଡ଼  ଖସିଯାଇଥିଲା । ସେ ସିଧା ତେଲ କଡ଼େଇରେ ପଡ଼ିଥିଲେ । ଗ୍ୟାସ୍‌ ବର୍ଣ୍ଣରରେ ତାଙ୍କ ମୁହଁ  ବାଡେଇ ହୋଇଯାଇଥିଲା । ତାଙ୍କୁ ଉଦ୍ଧାର  କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।  ହେଲେ ସେଠାରେ ବର୍ଣ୍ଣ ୟୁନିଟ୍‌ ନଥିବାରୁ ଡାକ୍ତର ତାଙ୍କୁ କଟକ ଯିବାକୁ ପରାମର୍ଶ  ଦେଇଥିଲେ । ହେଲେ ବାଟ ଦୂର ହେବାରୁ ତାଙ୍କୁ ସମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପାଖରେ ପୁଅ ଆଦର୍ଶ ପଟ୍ଟନାୟକ, ଶାଳକ  ଆଲୋକ ରାୟ ଉପସ୍ଥିତ ଅଛନ୍ତି । ଖବର ପାଇ  ଭୁବନେଶ୍ୱରରେ ଥିବା ତାଙ୍କର ଶୁଭେଚ୍ଛୁ,  ବନ୍ଧୁବାନ୍ଧବ, ଓଡିଆ ଫିଲ୍ମ ଓ ଟିଭି ଜଗତର  ବହୁ କଳାକାର ପହଞ୍ଚି ଆଶୁଆରୋଗ୍ୟ କାମନା  କରିଛନ୍ତି । ସେପଟେ ଆସନ୍ତା ବୁଧବାର  ହାଡ଼ୁ ତାଙ୍କର ୨୫ତମ ବିବାହବାର୍ଷିକୀ  ପାଳନ କରିଥାନ୍ତେ । ସେଥିପାଇଁ ପ୍ରସ୍ତୁତି  କରୁଥିଲେ । ହେଲେ ଏହି ଅଘଟଣ ପାଇଁ  ସେହି ଉତ୍ସବ ସ୍ଥଗିତ ରଖାଯାଇଛି । 

ପ୍ରକାଶ  ଥାଉକି, ସମବାୟ ବିଭାଗରେ କିରାଣୀ  ଭାବରେ କାର୍ଯ୍ୟରତ ହାଡ଼ୁ ୧୯୯୫ରେ  ଦୂରଦର୍ଶନରେ ପ୍ରସାରିତ ‘ଛାନିଆ’  ସିରିଏଲରୁ କ୍ୟାରିଅର ଆରମ୍ଭ କରିଥିଲେ।