ଚନ୍ଦନେଶ୍ୱର,୦୧।୦୪ (ରାଧାକାନ୍ତ ପ୍ରଧାନ): ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୯ ବର୍ଷ ବିତିଥିଲେ ମଧ୍ୟ ଏବେବି ସୀମାନ୍ତରେ ଓଡ଼ିଆମାନେ ଠିକଣା ଖୋଜୁଛନ୍ତି । ଓଡ଼ିଆ ଶିକ୍ଷା ବ୍ୟବସ୍ଥା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ସୀମା ସମସ୍ୟା ଏବଂ ଭାଷା ପ୍ରୀତି ଆମ ଅସ୍ମିତାକୁ ସଙ୍କଟରେ ପକାଇ ଦେଉଛି । ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ଆଦର କମୁଥିବା ବେଳେ ସଂସ୍କୃତି ଓ ପରମ୍ପରା ହଜି ହଜି ଯାଉଛି । ତଥାପି ପଡ଼ିଶା ରାଜ୍ୟର ପିଲାମାନେ ଓଡ଼ିଆ ଭାଷା ପଢିବା ଆଗ୍ରହ ଆମକୁ ବେଶ ଗୌରବାନ୍ୱିତ କରୁଛି ।
ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ଜଳେଶ୍ୱର ତହସିଲର ୯୦ଟି ଉପାନ୍ତ ଗ୍ରାମ ସହିତ ପୂର୍ବ ଓ ପଶ୍ଚିମ ମେଦୀନିପୁର ଜିଲ୍ଲ୍ାର ୮୪ଟି ଗ୍ରାମର ସୀମାକୁ ଲାଗିଛି । ସ୍ଥାୟୀ ସୀମା ଚିହ୍ନଟ ହୋଇ ନଥିବାରୁ ବାରମ୍ବାର ବିବାଦ ଦେଖା ଦେଉଥିଲେ ମଧ୍ୟ ସୀମା ଏପାରି ଓ ସେପାରି ଗାଁର ଲୋକଙ୍କ ଭଲ ପାଇବା, ଆନ୍ତରିକତା କମିନାହିଁ । ଶିକ୍ଷାର ପ୍ରସାର ପ୍ରସାର ପାଇଁ ଉଭୟ ରାଜ୍ୟ ସରକାର ବିଭିନ୍ନ ସୁବିଧା ସୁଯୋଗ ଖଞ୍ଜି ଦେଇଛନ୍ତି । ଶିକ୍ଷାର ବିକାଶ ଲାଗି ରାଜ୍ୟ ସରକାର ପିଲାଙ୍କୁ ମାଗଣାରେ ବହି, ମଧ୍ୟାହ୍ନ ଭୋଜନ, ପୋଷାକ, ଜୋତା ଆଦି ଯୋଗାଇ ଦେଉଛନ୍ତି । ଏବେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ଖାଦ୍ୟ ଦେବା ଲାଗି ବ୍ୟବସ୍ଥା ହୋଇଛି ।
ଓଡ଼ିଆ ପାଠ ପ୍ରତି ପିଲା ଓ ଅଭିଭାବକଙ୍କ ଆଗ୍ରହ କମୁଛି । ବଢି ଚାଲିଛି ବେସରକାରୀ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ । ମାତୃଭାଷା ପ୍ରୀତି ହଜି ଯାଉଛି । ପଶ୍ଚିମବଙ୍ଗ ସରକାର ମଧ୍ୟ ବହି, ଖାଦ୍ୟ, ପୋଷାକ, ଜୋତା ବ୍ୟତୀତ ପିଲାଙ୍କୁ ବ୍ୟାଗ୍, ଖାତା, ହରିଜନ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଶ୍ରୀ, ଉଚ୍ଚଶିକ୍ଷା ପାଇଁ କନ୍ୟାଶ୍ରୀ ଯୋଜନାରେ ଅର୍ଥ ମଧ୍ୟ ଯୋଗାଇ ଦେଉଛନ୍ତି । ତେବେ ପଶ୍ଚିମବଙ୍ଗ ସରକାର ଶିକ୍ଷା ଉପରେ ଯେତେ ଯତ୍ନଶୀଳ, ଓଡ଼ିଶା ସରକାର ନୁହନ୍ତି ବୋଲି କିଛି ଅଭିଭାବକ କହନ୍ତି । ବିଦ୍ୟାଳୟରେ ଶିକ୍ଷକ ଅଭାବ, ଆଞ୍ଚଳିକ ଭାଷା ଉପରେ ଗୁରୁତ୍ୱ କମ ଦେଇ ଇଂରାଜୀକୁ ପ୍ରାଧାନ୍ୟ ଦେବା, ବିଭିନ୍ନ ଅଣ ଶୈଖିକ କାର୍ଯ୍ୟ ଭାର ଆଦି ଶିକ୍ଷା ଦାନର ମାନକୁ ହ୍ରାସ କରୁଛି ବୋଲି ଓଡ଼ିଶାର କେତେକ ଶିକ୍ଷକ ପ୍ରତିକ୍ରିୟାରେ କହନ୍ତି ।
ଭୋଗରାଇର ଉପାନ୍ତ ଅଞ୍ଚଳରୁ ଆମ ମାତୃଭାଷା ଗୁରୁତ୍ୱ ହରାଉଛିା ଭାଷା ଗୋଟିଏ ଜାତିର ସ୍ପନ୍ଦନ ଓ ଜଣେ ବ୍ୟକ୍ତିର ସ୍ୱାଭିମାନ । ଭାଷା ଶିକ୍ଷାକୁ ସରଳ ତଥା ବୋଧଗମ୍ୟ କରିଥାଏ । କିନ୍ତୁ ଭୋଗରାଇର ଅଧିକାଂଶ ଘରେ ବିରଜା, ଖଡ଼ିରତ୍ନ, ଶ୍ରୀଜଗନ୍ନାଥ ଭଳି ଓଡ଼ିଆ ପଞ୍ଜିକା ପରିବର୍ତ୍ତେ ବେଣୀମାଧବ ଓ ପି.ଏନ ବାଗ୍ଚି ଭଳି ବଙ୍ଗଳା ପଞ୍ଜିକାର ଆଦର ବେଶି । ଓଡ଼ିଆଙ୍କ ଦେବତା ଜଗନ୍ନାଥ ଓ ବାର ମାସରେ ତେର ପର୍ବ ଓଡ଼ିଶା ସମେତ ବହୁ ରାଜ୍ୟରେ ଦୀର୍ଘ ବର୍ଷ ଧରି ବହୁ ଆଡ଼ମ୍ବରରେ ପାଳନ ହୋଇ ଆସୁଛି । ମାତ୍ର ଆମେ ଏହାକୁ ଅବମାନନା କରି ଆସୁଛୁ । ଭୋଗରାଇର ଅନଳିଆ ପଞ୍ଚାୟତର ଶଙ୍ଖାମେଦି ଏମିତି ଏକ ଗାଁ ଯାହା ପଶ୍ଚିମବଙ୍ଗ ଦଖଲରେ ରହିଛି । ୧୫୦ରୁ ଅଧିକ ପରିବାର ଓ ୫ଶହ ଲୋକଙ୍କୁ ନେଇ ଏହି ଗାଁ । ପ୍ରାୟ ୩ଶହ ଭୋଟର । ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଗାଁରେ ବିଦ୍ୟାଳୟ, ୩ଟି ନଳକୂଅ, ରାସ୍ତା, ୧୨୦ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ, ୨୮ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୨୦ପରିବାରକୁ ସ୍ୱଚ୍ଛ ଭାରତ ଅଭିଯାନର ଶୌଚାଳୟ ଆଦି ଯୋଗାଇ ଦିଆଯାଉଛି ।
ଆହୁରି ପଢନ୍ତୁ-ବଡ଼ଦାଣ୍ଡରେ ହଜିଛି ଓଡ଼ିଆ ପ୍ରୀତି, ଯୁଆଡ଼େ ଦେଖିଲେ ମାଳମାଳ ଇଂରାଜୀ ଫଳକ
ମାତ୍ର ସେହି ଗାଁର ପିଲାମାନେ ବଙ୍ଗଳା ଭାଷାରେ ପାଠ ପଢିବା ସହିତ ୧୯୮୪ ମସିହାରୁ ଏପର୍ଯ୍ୟନ୍ତ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ନିର୍ବାଚନରେ ମତଦାନ ସାବ୍ୟସ୍ତ କରି ଆସୁଛନ୍ତି । ୨୦୨୦ ନଭେମ୍ବର ୬ରେ ପଶ୍ଚିମବଙ୍ଗ ପ୍ରଶାସନ ସାହାବାଜିପୁର ଗାଁକୁ ଧସେଇ ପଶି ଜେସିବି ଲଗାଇ ଗାଁ ଲୋକଙ୍କୁ ଉଚ୍ଛେଦ ଉଦ୍ୟମ ସେମାନଙ୍କ ଦାଦାଗିରିର ପରିଚୟ ଦେଇଥିଲେ । ଗତ ୨୦୨୧ ସେପ୍ଟେମ୍ବର ୭ରେ ଉଦୟପୁର ବେଳାଭୂମିରେ ବଙ୍ଗ ପ୍ରଶାସନ ବେଆଇନ ତଟ ସୁରକ୍ଷା ପ୍ରାଚୀର ନିର୍ମାଣ କଲେ । ଅତୀତରେ ପଡ଼ୋଶୀ ରାଜ୍ୟର ପଦିମା ଗ୍ରାମକୁ ବିଦ୍ୟୁତ୍ ତାର ଟଣାଯିବାବେଳେ ଭୀଷଣ ଗଣ୍ଡଗୋଳ ହୋଇଥିଲା । ଏହାଛଡ଼ା ତାଳସାରୀ ସାମୁଦ୍ରିକ ଥାନା, ଶୌଚାଳୟ ଆଦି ନିର୍ମାଣକୁ ବିରୋଧ କରି ଆସିଛନ୍ତି ପଶ୍ଚିମବଙ୍ଗ ପ୍ରଶାସନ ।
ବ୍ୟାସକବି ଫକୀର ମୋହନ ସେନାପତି ତାଙ୍କ ଆତ୍ମଜୀବନୀରେ ଓଡ଼ିଶା ଏକ ଭାଷା ଭିତ୍ତିକ ରାଜ୍ୟ ହୋଇଥିଲେ ମଧ୍ୟ ଏହାର ୨୮୦୦ ବର୍ଗ ମାଇଲ ଅଞ୍ଚଳ ପଶ୍ଚିମବଙ୍ଗରେ ରହିଥିବାର ଉଲ୍ଲେଖ କରିଛନ୍ତି । ଆମ ରାଜ୍ୟ ସରକାର, ଉତ୍କଳ ସମ୍ମିଳନୀ, ଭାଷା ସୁରକ୍ଷା ମଞ୍ଚ ଭଳି ସଂଗଠନ ଏ ଦିଗରେ ଉଚିତ୍ ପଦକ୍ଷେପ ନ ନେଲେ ଷଢେଇକଳା, ଖରସୁଆଁ ଭଳି ଶଙ୍ଖାମେଦିକୁ ସବୁଦିନ ପାଇଁ ହରାଇବାକୁ ପଡ଼ିବ ଏବଂ ଚନ୍ଦନେଶ୍ୱର ଅଞ୍ଚଳରୁ ଓଡ଼ିଆ ଭାଷାର ଦିନେ ନା ଦିନେ ବିଲୁପ୍ତି ଘଟିବ³ ଏଥିରେ କୌଣସି ସନ୍ଦେହ ନାହିଁ । ତେଣୁ ୯୦ତମ ଉତ୍କଳ ଦିବସ ପାଳନ ଅବସରରେ ଆମେ ଶପଥ ନେବା ଆଜିଠାରୁ ଆମେ ମାତୃଭୂମି ଓ ମାତୃଭାଷାର ସୁରକ୍ଷା ପାଇଁ ଓଡ଼ିଆକୁ ଅଧିକ ଗୁରୁତ୍ୱ ଦେବା।