ବାଲେଶ୍ୱର,୧୦/୧୧: ମୋତେ ଯଥାଶୀଘ୍ର ଓଡ଼ିଶା ଫେରେଇ ନିଅନ୍ତୁ । ଏଠି ବହୁତ ନିର୍ଯାତନା ଦିଆଯାଉଛି । ଅତ୍ୟାଚାର କରୁଛନ୍ତି । ବହୁତ କାମ କରିବାକୁ କହୁଛନ୍ତି । ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଛନ୍ତି । ମୁଁ ଓଡ଼ିଶାରେ ଖୁସିରେ ଥିଲି, ଏଠି ବହୁତ କଷ୍ଟରେ ରହୁଛି । ମୁଖ୍ୟମନ୍ତ୍ରୀ ମୋହନ ବାବୁ ମୋତେ ଓଡ଼ିଶା ଫେରେଇ ନିଅନ୍ତୁ... ସୁଦୂର ଆମେରିକାରୁ ଜଣେ ଓଡ଼ିଆ ଯୁବତୀଙ୍କ ଏଭଳି ଆକୁଳ ନିବେଦନ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ପୋଷ୍ୟ କନ୍ୟା ଭାବେ ନେଇଥିବା ମହିଳା ତାଙ୍କୁ ସେଠାରେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ୨୧ ବର୍ଷିୟା ସେଜଲ ଜନ୍ । ପ୍ରାୟ ମାସକ ପୂର୍ବରୁ ସେଜଲ୍ ନିଜ ବନ୍ଧୁଙ୍କୁ ପଠାଇଥିବା ଭିଡିଓ ବାର୍ତ୍ତା ଏବେ ଆଲୋଡ଼ନ ସୃଷ୍ଟି କରିଛି । ସେଜଲ୍ ଏବେ ଆମେରିକାର ମେରିଲ୍ୟାଣ୍ଡ୍ରେ ରହୁଛନ୍ତି ।
ସେଜଲ୍ଙ୍କର ବାଲେଶ୍ୱର ଉପକଣ୍ଠ ଖାନନଗର ନିକଟସ୍ଥ ଆଳଦା ଅଞ୍ଚଳର ଅମର ଦାସ ନାମକ ଜଣେ ଯୁବକଙ୍କ ସହ ଫେସ୍ବୁକ୍ରେ ୨୦୨୪ରେ ବନ୍ଧୁତା ହୋଇଥିଲା । ଅମର ବାଲେଶ୍ୱରର ଜାଣିବା ପରେ ସେଜଲ୍ ତାଙ୍କୁ ମେସେଜ୍ ଦେବା ସହ ସେଠାକାର ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ । ସେଠାରେ ତାଙ୍କ ପାଳିତା ମାଆ ସୁଜି ଜନ୍ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଏନେଇ ସେଜଲ୍ ଉଭୟ ଇଂରାଜୀ ଓ ଓଡ଼ିଆରେ ଦୁଇଟି ଭିଡିଓ ବାର୍ତ୍ତା ଅମରଙ୍କୁ ପଠାଇଥିଲେ ।
ଭିଡିଓ ବାର୍ତ୍ତା ଅନୁଯାୟୀ ସେଜଲ୍ ପିଲାବେଳେ ଓଡ଼ିଶାରେ ରହୁଥିଲେ । ପୂର୍ବରୁ ତାଙ୍କ ନାଁ ପୂଜା ନାୟକ ଥିଲା । ଛୋଟବେଳେ ଟ୍ରେନ୍ରେ ଯାତ୍ରା ସମୟରେ ସେ ବାପା, ମା’ଙ୍କଠୁ ଅଲଗା ହୋଇଯାଇଥିଲେ । ଚାଇଲ୍ଡ ଲାଇନ୍ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନୀଳଗିରି ଓ ପରେ ଭୁବନେଶ୍ୱର ନହରକଣ୍ଟାସ୍ଥିତ କନ୍ୟାଶ୍ରମରେ ରଖାଯାଇଥିଲା ।
ସେଠାରେ ଥିବା ବେଳେ ୨୦୧୮ରେ ଏକ ଆମେରିକୀୟ ଦମ୍ପତି ତାଙ୍କୁ ପୋଷ୍ୟ କନ୍ୟା ଭାବେ ନେଇଯାଇଥିଲେ । ସେଠାରେ ପାଳିତ ମା’ ତାଙ୍କୁ ବିଭିନ୍ନ ନିର୍ଯାତନା ଦେଉଛନ୍ତି ।ବିଭିନ୍ନ କାମରେ ଲଗାଉଛନ୍ତି । ଧର୍ମ ପରିବର୍ତ୍ତନ କରିବାକୁ କହୁଛନ୍ତି । କାମ କରି ରଖିଥିବା ୧୦ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଛନ୍ତି । ତାଙ୍କ ପାସ୍ପୋର୍ଟ ଅବଧି ୨୦୨୩ରୁ ଶେଷ ହୋଇଯାଇଛି ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ସେଜଲ୍ ।
ଭିଡିଓ ବାର୍ତ୍ତାରେ ତାଙ୍କୁ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସେ ନିବେଦନ କରିଛନ୍ତି । ସେ କହିଛନ୍ତି³ ମୁଁ ଓଡ଼ିଶା ଫେରି ବାପା-ମା’ଙ୍କୁ ଭେଟିବାକୁ ଚାହେଁ । ଓଡ଼ିଶାରେ ଖୁସିରେ ଥିଲି । ଏଠି ମୋତେ ନିର୍ଯାତନା ଦିଆଯାଉଛି । ଏଠାକାର ପ୍ରଶାସନକୁ ଭେଟିଲେ କୌଣସି ସାହାଯ୍ୟ ମିଳୁନି । ମୋ ଜୀବନ ଏବେ ବିପଦରେ ଅଛି । ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାର ମୋତେ ଆମେରିକାରୁ ନେଇଯାଆନ୍ତୁ ବୋଲି ସେଜଲ୍ ଜଣାଇଛନ୍ତି ।
ତେବେ ସେଜଲ୍ଙ୍କ ଘର ଓଡ଼ିଶାରେ କେଉଁଠି ତାହା ସ୍ପଷ୍ଟ ଜଣାପଡ଼ି ନ ଥିବା ବେଳେ ଘଟଣା ସମ୍ପର୍କରେ ଡିସିପିଓ ଘାସିରାମ ଗହୀରଙ୍କୁ ପଚାରିବାରୁ, ଏନେଇ କୌଣସି ସୂଚନା ତାଙ୍କ ନିକଟରେ ନ ଥିବା କହିଛନ୍ତି ।