ବାଲେଶ୍ୱର,୨୬/୧୧: ପ୍ରେମ ପାଇଁ ସାତ ଦରିଆ ପାର୍ ହୋଇ ପ୍ରେମିକ ପାଖକୁ ଧାଇଁ ଆସିଲେ । ଏହା କିନ୍ତୁ ଏତେ ସହଜ ନ ଥିଲା । ଏଥିପାଇଁ ରଚିଲେ ମିଛ ନାଟକ । ଓଡ଼ିଶାରୁ ପୋଷ୍ୟକନ୍ୟା ଭାବେ ନେଇଥିବା ଆମେରିକୀୟ ପାଳିତା ମା’ଙ୍କ ନାମରେ ନିର୍ଯାତନା ସହ ଧର୍ମ ପରିବର୍ତ୍ତନ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣି ଭିଡିଓ ପୋଷ୍ଟ୍ କରିଥିଲେ । ଏତିକିରେ କଥା ସରିଲାନି ସୁଦୂର ଆମେରିକାରୁ ଓଡ଼ିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କାନ୍ଦି କାନ୍ଦି ଗୁହାରି ବି କଲେ । ଶେଷରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଓଡ଼ିଶା ଫେରିଲେ । କିନ୍ତୁ ଓଡ଼ିଶାରେ ପାଦ ଦେବା ପରେ ପ୍ରେମିକ ପାଖକୁ ଆସିବା ପାଇଁ ମିଛ ନାଟକ ରଚିଥିବା ସ୍ୱୀକାର କଲେ ।
ତାଙ୍କ ପାଳିତା ମା’ ତାଙ୍କୁ କୌଣସି ନିର୍ଯାତନା ଦେଇ ନଥିବା ମଧ୍ୟ କହିଲେ । ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିବା ପରେ ଆମେରିକାରେ ରହୁଥିବା ୨୧ ବର୍ଷୀୟା ସେଜଲ ଜଜ୍ ଓରଫ୍ ପୂଜାଙ୍କ ଏହି ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ସେ ପହଞ୍ଚିବା ପରେ ପୁରୁଷ ବନ୍ଧୁ ବାଲେଶ୍ୱରର ଅମର ଦାସଙ୍କ ସହ ତାଙ୍କର ଭେଟ ହୋଇନି । ପ୍ରେମ ପାଇଁ ସୁଦୂର ଆମେରିକାରୁ ଚାଲିଆସିଥିବା ସେଜଲ୍ଙ୍କ ପ୍ରେମ ସଫଳ ହେବ କି ନାହିଁ, ଅମରଙ୍କ ସହ ତାଙ୍କର ବିବାହ କେମିତି ହେବ ସେନେଇ ବିଭିନ୍ନ ପ୍ରଶ୍ନ ଉଠିଛି । ସେଜଲ୍ କହିଛନ୍ତି, ବାଲେଶ୍ୱରର ଅମର ଦାସଙ୍କୁ ସେ ପ୍ରେମ କରୁଛନ୍ତି । ତାଙ୍କୁ ବିବାହ କରି ଏଠାରେ ରହିବା ପାଇଁ ଫେରିଥିବା କହିଛନ୍ତି । ଭୁବନେଶ୍ୱରର ନହରକଣ୍ଟାରେ ରହି ଚତୁର୍ଥ- ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ଅମରଙ୍କ ସହ ପରିଚୟ ହୋଇଥିଲା । ଅମର ତାଙ୍କ ବନ୍ଧୁ ଥିଲେ । ଆମେରିକା ଯିବା ପରେ ୨୦୨୪ରେ ଅମରଙ୍କ ସହ ପୁନଶ୍ଚ ସୋସିଆଲ୍ ମିଡିଆରେ ପରିଚୟ ହୋଇଥିଲା । ଆମେରିକାର ଲାଇଫ୍ ଷ୍ଟାଇଲ୍ ତାଙ୍କୁ ଭଲ ଲାଗୁନି । ସେ ଓଡ଼ିଶା ଫେରିବାକୁ ଚାହୁଁଥିଲେ । ସେଥିପାଇଁ ସେ ଏମିତି ନାଟକ କରିଥିଲେ ।
ପୂର୍ବରୁ ଭିଡିଓରେ ଯେଉଁ ସବୁ ଅଭିଯୋଗ ଆଣିଥିଲେ, ତାହା ସବୁ ମିଛ ଥିଲା । ତାଙ୍କର ପାଳିତା ମା’ ଆଦୌ ନିର୍ଯାତନା ଦେଉ ନ ଥିଲେ । ତାଙ୍କୁ ଭଲରେ ରଖିଥିଲେ । ପାଠ ପଢ଼ାଉଥିଲେ । ଓଡ଼ିଶା ଆସିବା ପାଇଁ ମିଛ ଭିଡିଓ କରିଥିବା କହିଥିଲେ । ଏଭଳି ସମୟରେ ତାଙ୍କ ପାଳିତା ମା’ ସେଠାରେ ବିଭିନ୍ନ ପ୍ରାଶାସନିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତାଙ୍କୁ ଅସୁବିଧାରେ ନ ପକାଇବା ପାଇଁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ଆସିବା ପୂର୍ବରୁ ସେ ଅମରଙ୍କ ସହ କଥା ହୋଇଥିଲେ । ଅମର ଭୁବନେଶ୍ୱର ଆସିଛନ୍ତି । ମାତ୍ର ତାଙ୍କୁ ଭେଟିବା ପାଇଁ ଦିଆଯାଉନି ବୋଲି ସେଜଲ୍ କହିଥିଲେ । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ସେଜଲ୍ଙ୍କୁ ବାଲେଶ୍ୱର ଅଣାଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ମହାନ୍ତିଙ୍କ ତତ୍ତ୍ୱାବଧାନରେ ତାଙ୍କୁ ନାରୀସଂଘରେ ରଖାଯାଇଛି । ଏନେଇ ଶ୍ରୀମତୀ ମହାନ୍ତି କହିଛନ୍ତି ସେଜଲ୍ଙ୍କୁ ଏବେ ଅବ୍ଜରଭେସନ୍ରେ ରଖାଯିବ । ତାଙ୍କୁ ବିଭିନ୍ନ ପ୍ରକାରର କାଉନ୍ସେଲିଂ କରାଯିବ । ଆମେରିକାର ଲାଇଫ୍ ଷ୍ଟାଇଲ୍ ଭଲ ନ ଲାଗିବାରୁ ସେଜଲ୍ ଓଡ଼ିଶା ଆସିଥିବା କହୁଛନ୍ତି । ଏଥିପାଇଁ ଅମରଙ୍କ ସହ ବୋଧହୁଏ ସମ୍ପର୍କ ତିଆରି କରିଛନ୍ତି । ଯଦି ସେଜଲ୍ ଏଠାରେ ରହିବାକୁ ଚାହାନ୍ତି ତେବେ ତାଙ୍କର ସମସ୍ତ ବ୍ୟବସ୍ଥା କରାଯିବ । ସେ ପାଠ ପଢ଼ିଥିବାରୁ କେମିତି କର୍ମ ନିଯୁକ୍ତି ପାଇପାରିବେ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଜ୍ୟୋତ୍ସ୍ନା ମହାନ୍ତି କହିଛନ୍ତି ।
ଅନ୍ୟପଟେ ବାଲେଶ୍ୱର ଉପକଣ୍ଠ ଖାନନଗର ନିକଟସ୍ଥ ଆଳଦା ଅଞ୍ଚଳର ସେଜଲ୍ଙ୍କ ପୁରୁଷ ବନ୍ଧୁ ଅମର ଦାସ ଗଣମାଧ୍ୟମକୁ କହିଛନ୍ତି, ସେଜଲ୍ ମିଛ ଭିଡିଓ କରିଥିଲେ ବୋଲି ମୁଁ ଜାଣି ନଥିଲି । ଏଭଳି ନିଷ୍ପତ୍ତି ନେବେ ବୋଲି ମୁଁ ଜାଣିନି । ସେ କଷ୍ଟରେ ଥିବା କହିବାରୁ ମୁଁ କେବଳ ତାଙ୍କୁ ସାହାଯ୍ୟ କରିଥିଲି । ଏବେ ସେ ଯଦି କହୁଛନ୍ତି ମୋତେ ବିବାହ କରିବାକୁ ଚାହୁଁଛନ୍ତି, ତେବେ ମୁଁ ବି ରାଜି ଅଛି । ଆମ ଘରେ ବି ରାଜି ଅଛନ୍ତି ବୋଲି ଅମର କହିଛନ୍ତି । ସୂଚନାଯୋଗ୍ୟ, ସେଜଲ୍ ପିଲାବେଳେ ଓଡ଼ିଶାରେ ରହୁଥିଲେ । ପୂର୍ବରୁ ତାଙ୍କ ନାଁ ପୂଜା ନାୟକ ଥିଲା । ଛୋଟବେଳେ ଟ୍ରେନ୍ରେ ଯାତ୍ରା ସମୟରେ ସେ ବାପା, ମା’ଙ୍କଠୁ ଅଲଗା ହୋଇଯାଇଥିଲେ । ଚାଇଲ୍ଡ ଲାଇନ୍ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନୀଳଗିରି ଓ ପରେ ଭୁବନେଶ୍ୱର ନହରକଣ୍ଟାସ୍ଥିତ କନ୍ୟାଶ୍ରମରେ ରଖାଯାଇଥିଲା । ସେଠାରେ ଥିବା ବେଳେ ୨୦୧୮ରେ ଏକ ଆମେରିକୀୟ ଦମ୍ପତି ତାଙ୍କୁ ପୋଷ୍ୟକନ୍ୟା ଭାବେ ନେଇଯାଇଥିଲେ । ସେଠାରେ ପାଳିତ ମା’ ତାଙ୍କୁ ବିଭିନ୍ନ ନିର୍ଯାତନା ଦେଉଥିବା, ଧର୍ମ ପରିବର୍ତ୍ତନ କରିବାକୁ କହୁଥିବା ଅଭିଯୋଗ କରିଥିଲେ ସେଜଲ୍ । ଏନେଇ ଏକ ଭିଡିଓ ବାର୍ତ୍ତା ଗତ ୯ ତାରିଖରେ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ ।