ଆଳି,୧୬/୧ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସଂସିଧା ପଞ୍ଚାୟତ ଠାକୁରପାଟଣା ଗ୍ରାମର ସର୍ବେଶ୍ୱର ପରିଡ଼ାଙ୍କ ୩୨ବର୍ଷୀୟ ପୁଅ ଅବିନାଶ ପରିଡ଼ାଙ୍କୁ ତେଲେଙ୍ଗାନା କୋକାପେଟ ଅଞ୍ଚଳରେ ତିନି ଜଣ ଦୁର୍ବୃତ୍ତ ଅତି ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅବିନାଶଙ୍କ ସାନ ଭାଇ ଅଭିଷେକ ପରିଡ଼ା ଥାନାରେ ଏତଲା ଦେଇଛନ୍ତି l ଉଲ୍ଲେଖଯୋଗ୍ୟ ଯେ, ଗତ ୧୪ତାରିଖ ମକର ସଂକ୍ରାନ୍ତି ଦିନ ତେଲେଙ୍ଗାନାର କୋକାପେଟ ଗୋଶାଳା ଲେବର କଲୋନୀରୁ ବାହାରି ଗାନ୍ଧୀପେଟଠାରେ ଆୟୋଜିତ ଅଲେଖ ମେଳା ଦେଖିବାକୁ ଯାଇଥିଲେ l ମେଳା ଦେଖି କଲୋନୀକୁ ଫେରିବା ସମୟରେ ତିନି ଜଣ ଅଜଣା ଦୁର୍ବୃର୍ତ୍ତ ଅବିନାଶଙ୍କଠାରୁ ମୋବାଇଲ ପର୍ସ ଆଦି ଲୁଟି ନେବା ପରେ ମାରି ଦେବାକୁ ଧମକ ଦେବା ସହ ଭୟଭୀତ କରିଥିଲେ l
ଏଥିରେ ଭୟଭୀତ ହୋଇ ଅବିନାଶ ରାସ୍ତାରେ ଯାଉଥିବା ଗାଡ଼ିକୁ ସହାୟତା ମାଗିଥିଲେ ମଧ୍ୟ ସହାୟତା ପାଇ ନ ଥିଲେ l ଏହାର କିଛି ସମୟ ପରେ ଗାନ୍ଧୀପେଟର ଗୋଶାଳା ନିକଟରୁ ଅବିନାଶ ମୃତଦେହ ଉଦ୍ଧାର ହୋଇଥିଲା l ଅବିନାଶଙ୍କୁ ଉକ୍ତ ତିନି ଅଜଣା ବ୍ୟକ୍ତି ଅତି ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅବିନାଶଙ୍କ ଭାଇ ଅଭିଷେକ ପରିଡ଼ା ତେଲେଙ୍ଗାନା ନରସିଂହ ଥାନାରେ ଏତଲାରେ ଦର୍ଶାଇଛନ୍ତି l ଘଟଣା ଘଟିବାର ତିନି ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାକାରୀଙ୍କ କୌଣସି ସୂଚନା ମିଳି ନ ଥିବା ନେଇ ସୂଚନା ମିଳିଛି l ଠାକୁରପାଟଣା ଗାଁ ସାରା ଶୋକର ଛାୟା ଖେଳି ଯାଇଥିବାବେଳେ ଏ ନେଇ ନ୍ୟାୟ ପାଇଁ ପରିବାର ଲୋକେ ସରକାରଙ୍କ ସହାୟତା ଲୋଡିଛନ୍ତି l ପ୍ରକାଶ ଯେ, ତେଲେଙ୍ଗାନାରେ ଅବିନାଶଙ୍କର ଶବ ବ୍ୟବଚ୍ଛେଦ କରାଯାଇ ଶବ ସଂସ୍କାର କରାଯାଇଥିବା ଜଣାପଡ଼ିଛି l