ଭୁବନେଶ୍ୱର,୦୨/୦୬: ଚଳିତ ରଜରେ ଦର୍ଶକଙ୍କୁ ମନୋରଞ୍ଜନର ଡବଲ୍ ଡୋଜ୍ ଦେବାକୁ ପ୍ରସ୍ତୁତ ଓଲିଉଡ୍ ସୁପର୍ଷ୍ଟାର୍ ଅନୁଭବ ମହାନ୍ତି । ତାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ "ଛକି ଶୂନ' ଆସନ୍ତା ଜୁନ୍ ୧୨ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ଷ୍ଟୁଡିଓ ଭର୍ସନ୍ ଗୀତ "ଆମେ ବାଳୁଙ୍ଗା ଟୋକା' ମୁକ୍ତିଲାଭ କରିଥିବା ବେଳେ ଏହା ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି । ଗୀତଟିକୁ ନିଜେ ଅନୁଭବ ମହାନ୍ତି ଗାଇଥିବା ବେଳେ ତାଙ୍କ ସହ ଅଭିନେତା ପପୁ ପମ୍ପମ୍ ମଧ୍ୟ କଣ୍ଠଦାନ କରିଛନ୍ତି । ଏହି ଗୀତ ରଜକୁ ଆହୁରି ରଙ୍ଗୀନ କରିବ ବୋଲି ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଗୀତଟି ରିଲିଜ୍ ହେବାର ମାତ୍ର କେତେ ଘଣ୍ଟା ମଧ୍ୟରେ ଲକ୍ଷାଧିକ ଭ୍ୟୁ ପାଇଥିବା ବେଳେ ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ବଢ଼ି ଚାଲିଛି । ଗୀତଟି ସେୟାର୍ କରି ନିର୍ମାତା କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘ବର୍ଷର ସବୁଠାରୁ ପ୍ରତୀକ୍ଷିତ ଗୀତ "ଆମେ ବାଳୁଙ୍ଗା ଟୋକା' ଏବେ ଆପଣଙ୍କ ସମ୍ମୁଖରେ । ସୁପର୍‌ଷ୍ଟାର୍ ଅନୁଭବ ମହାନ୍ତିଙ୍କ କଣ୍ଠରେ ଏହି ଗୀତ ପ୍ରତ୍ୟେକଙ୍କ ହୃଦୟରେ ରାଜ୍ କରିବାକୁ ପ୍ରସ୍ତୁତ । ପ୍ରମୋଦ ପରିଡ଼ା ଗୀତ ରଚନା କରିଥିବା ବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ପୂର୍ବରୁ "ବାଳୁଙ୍ଗା ଟୋକା' ଫିଲ୍ମର ଶୀର୍ଷକ ସଙ୍ଗୀତ ଦର୍ଶକଙ୍କ ମନ ଜିଣିଥିଲା । ଏବେ ପୁଣି ସେହି ଗୀତକୁ ନୂଆ ଶୈଳୀରେ ନେଇଆସିଛନ୍ତି ଅନୁଭବ । ପୂର୍ବ ଗୀତଟିକୁ ଡା. ନିର୍ମଳ ନାୟକ ଲେଖିଥିବା ବେଳେ ସ୍ୱର୍ଗତ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର୍ ସଙ୍ଗୀତ ଦେଇଥିଲେ । ବଲିଉଡ୍ ପ୍ରଛଦପଟ୍ଟ ଗାୟକ ବିନୋଦ ରାଠାର ଏହାକୁ କଣ୍ଠଦାନ କରିଥିଲେ । ସେହି ଗୀତ ଆଜି ବି ଦର୍ଶକଙ୍କ ପସନ୍ଦର ତାଲିକାରେ ରହିଛି । ଏ ସମ୍ପର୍କରେ ଅନୁଭବ କହିଛନ୍ତି, ‘ଆମ ଟିମ୍ ପକ୍ଷରୁ ସମ୍ମାନନୀୟ ଅଭିଜିତ୍ ମଜୁମ୍ଦାର୍ ଦାଦା ଏବଂ ପ୍ରିୟର ହ୍ୟୁମାନ୍ ସାଗରଙ୍କ ସ୍ମୃତିରେ ଏହି ସିନେମାର ସମସ୍ତ ଗୀତକୁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଛି । ମୁଁ ଆଦୌ ଜଣେ ଗାୟକ ନୁହେଁ । କିନ୍ତୁ ପୂଜ୍ୟ ଦାଦା ଓ ପ୍ରିୟ ହ୍ୟୁମାନ୍‌ଙ୍କ  ପ୍ରତି ମୋର ଭଲପାଇବା ଏବଂ କୃତଜ୍ଞତା ଜଣାଇବା ପାଇଁ ମୁଁ "ବାଲୁଙ୍ଗା ଟୋକା ୨.୦' ଗୀତଟି ଗାଇବାକୁ ଏକ କ୍ଷୁଦ୍ର ପ୍ରୟାସ କରିଛି । ସମ୍ମାନନୀୟ ବୈଦ୍ୟନାଥ ଭାଇ, ମିଲନ ବାବୁ, ମାନସ ଭାଇ, ଜିତୁ ଭାଇ, ଦେବାଶିଷ ବାବୁ ଏବଂ ପ୍ରିୟ ଜାଗୃତିଙ୍କ ସହଯୋଗ ଯୋଗୁ ହିଁ ଏହା ସମ୍ଭବ ହୋଇପାରିଛି । ଏହି ଗୀତରେ ସମ୍ମାନନୀୟ ପ୍ରଭାସ ବାବୁ, ପପୁ ପମ୍ ପମ୍ ଭାଇ, ନିର୍ମଳ ବାବୁ ଏବଂ ୨୦୧୧ର ଏହି ସୁପର୍ହିଟ୍ ଗୀତର ସମସ୍ତ ସ୍ରଷ୍ଟାମାନଙ୍କର ଆଶୀର୍ବାଦ ରହିଛି। ଆପଣ ସମସ୍ତଙ୍କର ସ୍ନେହ ଓ ଆଶୀର୍ବାଦ ମୋର ଏହି ପ୍ରୟାସ ପାଇଁ କାମନା କରୁଛି । ଜଣେ ଗାୟକ ହିସାବରେ ମୋର ତ୍ରୁଟିଗୁଡ଼ିକୁ କ୍ଷମା କରି, ଏହାକୁ ହୃଦୟର ଏକ ଶ୍ରଦ୍ଧାଞ୍ଜଳି ଭାବେ ଗ୍ରହଣ କରିବେ ବୋଲି ଆଶା’ ।

ଅଧିକ ପଢ଼ନ୍ତୁ :- ସପ୍ତାହେ ଆଗରୁ ଆସିବ ବହୁ- ପତୀକ୍ଷିତ ଆକ୍ସନ୍ ଏଣ୍ଟରଟେନର୍ ‘ଆଲ୍ଫା ‘, ଏହି ଦିନ ହେବ ରିଲିଜ

ମିଡିଆ ପ୍ଲାନର୍ ପ୍ରଣୟ ଜେଠୀ କହିଛନ୍ତି, ଆମର ଷ୍ଟୁଡିଓ ଏବଂ ୨୯ ଟୁ ନାଇନ୍ ଫିଲ୍ମସ୍ ପକ୍ଷରୁ ଓ ଏସ୍ଏମ୍ ଏଣ୍ଟରଟେନ୍‌ମେଣ୍ଟ ପ୍ରେଜେଣ୍ଟସ୍ ସହଯୋଗରେ ନିର୍ମିତ ଏହି ଫିଲ୍ମର କାହାଣୀ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ମାନସ ପଢ଼ିଆରୀ । ନବୀନ ଭଣ୍ଡାରୀ, ଜାଗୃତି, ଅନୁଭବ, ଶୁଭମ୍ ମହାନ୍ତି ଓ ସୂରଜ ମହନତ ଏହାର ପ୍ରଯାଜନା ଦାୟିତ୍ୱ ନେଇଛନ୍ତି । ସିନେମାଟୋଗ୍ରାଫିରେ ଦୀପକ କୁମାର, ସମ୍ପାଦନାରେ ରଶ୍ମିରଞ୍ଜନ ଦାଶ, ସାଉଣ୍ଡ୍ ଡିଜାଇନ୍‌ରେ ଶକ୍ତି ସ୍ୱରୂପ ଦ୍ୱିବେଦୀ, ବ୍ୟାକ୍‌ଗ୍ରାଉଣ୍ଡ୍ ସ୍କୋର୍‌ରେ କିଶଳୟ ରୟ କାର୍ଯ୍ୟ କରିଛନ୍ତି । ଫିଲ୍ମରେ ଅନୁଭବ ମହାନ୍ତିଙ୍କ ସହ ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ସୁକୁମାର ଟୁଡୁ, ସୁକାନ୍ତ ରଥ, ନିତୁ ସିଂ, ବିଜିନୀ ମିଶ୍ର, ଉଦିତ ଗୁରୁ, ତାପସ ସରଘରିଆ, ଜିତୁ ମଙ୍ଗରାଜ, ବିନ୍ଦୁ, ରାକା, ଦୀପୁ ଓ ସୁଜିତ ପ୍ରମୁଖ ଅଭିନୟ କରିଛନ୍ତି ।