ଭୁବନେଶ୍ୱର,୧୯/୦୨: ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର "କାନ୍ଦ ମାଷ୍ଟ୍ରେ’ର ଅଡିଓ ଏବଂ ଟ୍ରେଲର୍ ମହାଆଡମ୍ବରରେ ରିଲିଜ୍ ହୋଇଛି । ଏହି ଅବସରରେ ସିନେମାର ପ୍ରଯୋଜକଙ୍କ ସହ ସମସ୍ତ କର୍ମକର୍ତ୍ତା, କଳାକାର ପ୍ରମୁଖ ଉପସ୍ଥିତ ଥିଲେ । ସିନେମାର କାହାଣୀ କହେ, ସାରା ବିଶ୍ୱରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଓଡ଼ିଶାରେ ଝିଅମାନେ ବିବାହ ବିଦାୟୀ ବେଳେ ବାପା, ମାଆ, ବନ୍ଧୁବାନ୍ଧବଙ୍କୁ ଧରି ବିଭିନ୍ନ କଥାକୁ ପଦ୍ୟରେ ଗାଇ କାନ୍ଦିଥାନ୍ତି । ଏବେ ପ୍ରାୟତଃ ଆଉ କାନ୍ଦଣା ଦେଖିବାକୁ ମିଳୁ ନାହିଁ । ଏପରି ଏକ କହାଣୀକୁ ନେଇ ‘କାନ୍ଦ ମାଷ୍ଟ୍ରେ' ଚଳଚ୍ଚିତ୍ର ଚିତ୍ରଣ ହୋଇଛି ।

ଆହୁରି ପଢ଼ନ୍ତୁ :- ‘ଦ ବ୍ଲଫ୍’ର ୱର୍ଲଡ ପ୍ରିମିୟର୍, ରେଡ୍ କାର୍ପେଟ୍ରେ ଜଲୱା ଦେଖାଇଲେ ଦେଶୀ ଗର୍ଲ​​​​​​​

ଓଡ଼ିଶାର ଆଗଧାଡ଼ିର ନାଟ୍ୟକାର ତଥା ସାହିତ୍ୟିକ ଜାକିର ଖାନ୍‌ଙ୍କ ସଫଳ ନାଟକକୁ ନେଇ ସିନେମା ନିର୍ମାଣ ହୋଇଛି । ପ୍ରଯୋଜନା ସହିତ ନିର୍ଦ୍ଦେଶନା ବିଶ୍ୱଜିତ ପଣ୍ଡା ଦେଇଥିଲା ବେଳେ କହାଣୀ ଓ ସଂଳାପ ଜାକିର ଖାନ୍ ଲେଖିଛନ୍ତି । ଉଭୟେ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି । ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଲିପ୍ସା ମିଶ୍ର, ବିଭୁ ପ୍ରସାଦ, ପୃଥ୍ୱୀରାଜ ନାୟକ, ଧରିତ୍ରୀ ଖଣ୍ଡୁଆଳ, ଶ୍ୱେତାଶ୍ରୀ ପାଢ଼ୀ ପ୍ରମୁଖ ଅଭିନୟ କରିଛନ୍ତି। ଚିତ୍ର ଉତ୍ତୋଲନରେ ସ୍ୱର୍ଣ୍ଣପ୍ରସାଦ, ସମ୍ପାଦନାରେ କୃତାର୍ଥ ଚିତ୍ତରଞ୍ଜନ ନାଟେକର ଓ ମଣ୍ଟୁ, ସାଉଣ୍ଡ୍ରେ ଅଜେଶ ମିଶ୍ର ଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ ଓ ଶାନ୍ତନୁ ନାୟକ । ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ ଏବଂ ସନ୍ତୋଷ ନାୟକ । କ୍ରିଏଟିଭ ପ୍ରଡ୍ୟୁସର୍ ରହିଛନ୍ତି ଇତିଶ୍ରୀ ପାଣିଗ୍ରାହୀ ।

ଚଳଚ୍ଚିତ୍ରଟି ଚଳିତ ଫେବ୍ରୁଆରୀ ୨୭ ତାରିଖରେ ରାଜ୍ୟରେ ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ଦେଇଛି । ଲଗାତାର ଭାବେ ଓଡ଼ିଆ ଚଳଚ୍ଚିତ୍ରକୁ ଯେମିତି ଦର୍ଶକଙ୍କ ଭଲପାଇବା ମିଳି ଚାଲିଛି ଠିକ୍ ସେହିପରି ‘କାନ୍ଦ ମାଷ୍ଟ୍ରେ'କୁ ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।