କଟକ ୧୬/୦୭: ପ୍ରଥମ ଥର ପାଇଁ ଅମ୍ଳାନଙ୍କ ନାୟିକା ଭାବେ ନଜର ଆସିବେ ଓଡ଼ିଆ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ଶୀତଲ । ଜୀ ସାର୍ଥକ ବ୍ୟାନରରେ ନିର୍ମାଣାଧୀନ ଏ ସିନେମାର ନାଁ ରହିଛି ‘ମିସ୍କଲ ଫ୍ରେଣ୍ଡ’ । ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ସାହୁ ।
ପୂର୍ବରୁ ‘ତୋର ଦିନେକୁ ମୋର ଦିନେ’ ସିନେମାରେ ଅମ୍ଳାନ ଓ ଶୀତଲ ଅଭିନୟ କରିଥିଲେ ହେଁ ଶୀତଲଙ୍କ ବିପକ୍ଷରେ ନାୟକ ନଥିଲେ ଅମ୍ଳାନ । ଶୀତଲଙ୍କ ନାୟକ ଥିଲେ ଅରିନ୍ଦମ । ‘ମିସ୍କଲ ଫ୍ରେଣ୍ଡ’ରେ ରୀୟା ଦେ ମଧ୍ୟ ଏକ ଦମ୍ଦାର ଚରିତ୍ରରେ ନଜର ଆସିବେ । ପ୍ରଜ୍ଞା ଓ ଅନ୍ୟ କିଛି କଳାକାର ଏ ଫିଲ୍ମର ସ୍ୱତନ୍ତ୍ର ଆକର୍ଷଣ । ଫିଲ୍ମର ସମସ୍ତ କାର୍ଯ୍ୟ ଶେଷ ହୋଇଛି, କେବଳ ରିଲିଜକୁ ଅପେକ୍ଷା ।
ଅମ୍ଳାନଙ୍କ ସହ ଦର୍ଶକ ତାଙ୍କୁ ଆଉ ଏକ ସିନେମାରେ ମଧ୍ୟ ଦେଖିବାକୁ ପାଇବେ ବୋଲି କହିଛନ୍ତି ଶୀତଲ । ତେବେ ଏ ଚଳଚ୍ଚିତ୍ରର ନାମ ଘୋଷଣା ହୋଇନାହିଁ । ଫିଲ୍ମ ‘ରାବଣ’ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ ଶୀତଲ। ଅନୁପମ ପଟ୍ଟନାୟକଙ୍କ ସହିତ କଥାବାର୍ତ୍ତା ମଧ୍ୟ ଚୂଡ଼ାନ୍ତ ହୋଇଥିଲା । ‘ରାବଣ’ ପାଇଁ ଦୁଇ ତିନିଟି ଫିଲ୍ମ ଓ ରିୟଲିଟି ସୋ’ର ଅଫର୍ ଛାଡ଼ିଥିଲେ ଶୀତଲ । କିନ୍ତୁ କେତେକ କାରଣରୁ ଅନୁପମ ‘ରାବଣ’ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ତେଣୁ ଶୀତଲ ବର୍ତ୍ତମାନ ଆଉ କିଛି ପ୍ରୋଜେକ୍ଟ ପାଇଁ ହଁ ଭରିଛନ୍ତି ବୋଲି କଥାବାର୍ତ୍ତାବେଳେ କହିଥିଲେ । ‘ମନ୍ତ୍ରମୁଗ୍ଧ’ରେ ଭୂମିକା କରିଥିବା ଚରିତ୍ର ତାଙ୍କୁ ଅଫର୍ ହୋଇଥିଲା । କିନ୍ତୁ ଏ ଫିଲ୍ମ କରିବା ପାଇଁ ସେ ମନା କରିଦେଇଛନ୍ତି । ଶେଷଥର ପାଇଁ ‘ଆଜିର ରେବତୀ’ରେ ନଜର ଆସିଥିଲେ ଶୀତଲ ।