କଟକ ୧୬/୦୭: ପ୍ରଥମ ଥର ପାଇଁ ଅମ୍ଳାନଙ୍କ ନାୟିକା ଭାବେ ନଜର ଆସିବେ ଓଡ଼ିଆ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ଶୀତଲ । ଜୀ ସାର୍ଥକ ବ୍ୟାନରରେ ନିର୍ମାଣାଧୀନ ଏ ସିନେମାର ନାଁ ରହିଛି  ‘ମିସ୍‌କଲ ଫ୍ରେଣ୍ଡ’ । ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ସାହୁ । 

ପୂର୍ବରୁ ‘ତୋର ଦିନେକୁ ମୋର ଦିନେ’ ସିନେମାରେ ଅମ୍ଳାନ ଓ ଶୀତଲ ଅଭିନୟ କରିଥିଲେ ହେଁ ଶୀତଲଙ୍କ ବିପକ୍ଷରେ ନାୟକ ନଥିଲେ ଅମ୍ଳାନ । ଶୀତଲଙ୍କ ନାୟକ ଥିଲେ ଅରିନ୍ଦମ । ‘ମିସ୍‌କଲ ଫ୍ରେଣ୍ଡ’ରେ ରୀୟା ଦେ ମଧ୍ୟ ଏକ ଦମ୍‌ଦାର ଚରିତ୍ରରେ ନଜର ଆସିବେ । ପ୍ରଜ୍ଞା ଓ ଅନ୍ୟ କିଛି କଳାକାର  ଏ ଫିଲ୍ମର ସ୍ୱତନ୍ତ୍ର ଆକର୍ଷଣ । ଫିଲ୍ମର ସମସ୍ତ କାର୍ଯ୍ୟ ଶେଷ ହୋଇଛି,  କେବଳ ରିଲିଜକୁ ଅପେକ୍ଷା । 

ଅମ୍ଳାନଙ୍କ ସହ ଦର୍ଶକ ତାଙ୍କୁ ଆଉ ଏକ ସିନେମାରେ ମଧ୍ୟ ଦେଖିବାକୁ ପାଇବେ ବୋଲି କହିଛନ୍ତି ଶୀତଲ ।  ତେବେ ଏ ଚଳଚ୍ଚିତ୍ରର ନାମ ଘୋଷଣା ହୋଇନାହିଁ । ଫିଲ୍ମ ‘ରାବଣ’ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ ଶୀତଲ।  ଅନୁପମ ପଟ୍ଟନାୟକଙ୍କ ସହିତ କଥାବାର୍ତ୍ତା ମଧ୍ୟ  ଚୂଡ଼ାନ୍ତ ହୋଇଥିଲା । ‘ରାବଣ’ ପାଇଁ ଦୁଇ  ତିନିଟି ଫିଲ୍ମ ଓ ରିୟଲିଟି ସୋ’ର ଅଫର୍‌  ଛାଡ଼ିଥିଲେ ଶୀତଲ । କିନ୍ତୁ କେତେକ  କାରଣରୁ ଅନୁପମ ‘ରାବଣ’ କରିବେ  ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।  ତେଣୁ ଶୀତଲ ବର୍ତ୍ତମାନ ଆଉ  କିଛି ପ୍ରୋଜେକ୍ଟ ପାଇଁ ହଁ  ଭରିଛନ୍ତି ବୋଲି କଥାବାର୍ତ୍ତାବେଳେ  କହିଥିଲେ । ‘ମନ୍ତ୍ରମୁଗ୍ଧ’ରେ ଭୂମିକା  କରିଥିବା ଚରିତ୍ର ତାଙ୍କୁ ଅଫର୍‌  ହୋଇଥିଲା । କିନ୍ତୁ ଏ ଫିଲ୍ମ କରିବା  ପାଇଁ ସେ ମନା କରିଦେଇଛନ୍ତି ।  ଶେଷଥର ପାଇଁ ‘ଆଜିର  ରେବତୀ’ରେ ନଜର  ଆସିଥିଲେ ଶୀତଲ ।