ଭୁବନେଶ୍ୱର,୦୮/୦୩: ବଡ଼ ବଜେଟ୍ ସିନେମାର ଆକର୍ଷଣକୁ ନଜରରେ ରଖି ଏବେ ଓଡ଼ିଆ ସିନେ ଦୁନିଆ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବା ପାଇଁ ପ୍ରସ୍ତୁତ ହେଉଛି । ଆକ୍ସନ୍ ଓ ନୂଆ ବୈଷୟିକ ଜ୍ଞାନକୌଶଳର ସମ୍ମିଶ୍ରଣରେ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ଆସନ୍ତା ଦୁର୍ଗାପୂଜା ଦଶହରା ପାଇଁ ପ୍ରସ୍ତୁତ ହେଉଛି ନୂଆ ଓଡ଼ିଆ ସିନେମା "ମୋନଷ୍ଟର୍: ଦ ଅଲ୍ଟିମେଟ୍’ । ସିନେମା ସହ ଓଲିଉଡର ଭବିଷ୍ୟତ ଯୁବ ପ୍ରତିଭା ଆଦିତ୍ୟ ବଡ଼ ଧରଣର ସଜବାଜ ସହ ଧମାକା କରିବାକୁ ପୁଣି ଏକ ନୂଆ ସିନେମା ସହ ଫେରୁଛନ୍ତି ।
ଏହି ସିନେମାର ବିଶେଷତା ହେଉଛି³ ଏଥିରେ ଅଧିକରୁ ଅଧିକ ଆଧୁନିକ ବୈଷୟିକ ଜ୍ଞାନକୌଶଳକୁ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ଥର ପାଇଁ ଦର୍ଶକ ଦେଖିବେ ରୋବୋଟିକ୍ ଆର୍ମ ମେସିନ୍ର ବ୍ୟବହାର । ଯାହା ଓଲିଉଡ୍ରେ ନୂଆ ପ୍ରୟୋଗ । ଗୋପୀନାଥ ମୋସନ୍ ପିକ୍ଚର୍ସ ନିବେଦିତ ଏହି ଆକ୍ସନ୍ ଫିଲ୍ମଟି ଦର୍ଶକଙ୍କୁ ଚମତ୍କାରୀ ଅନୁଭବ ଦେବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି । ଓଡ଼ିଆ ସିନେମା "ଆଇ ଲଭ୍ ୟୁ–୨' ପରେ ସାମୟିକ ବିରତି ସହ ଅଭିନେତା ଆଦିତ୍ୟ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ଆକ୍ସନ୍, ଥ୍ରଲର୍ "ମୋନଷ୍ଟର୍: ଦ ଅଲ୍ଟିମେଟ୍’ । ବିଭିନ୍ନ ଦୃଷ୍ଟିକୋଣରୁ ଫିଲ୍ମର ନିର୍ମାଣକୁ ବଳିଷ୍ଠ କରାଯାଉଥିଲା ବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅନୁଭବୀ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ। ଆଦିତ୍ୟଙ୍କ ନାୟିକା ଭୂମିକାରେ ଦିବ୍ୟଜ୍ୟୋତି ତ୍ରିପାଠୀ ଥିଲା ବେଳେ ବରିଷ୍ଠ ତଥା ଅଭିଜ୍ଞତାସମ୍ପନ୍ନ ଅଭିନେତ୍ରୀ ମହାଶ୍ୱେତା ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି । ଇଣ୍ଡଷ୍ଟ୍ରିର ଅନ୍ୟାନ୍ୟ ଜଣାଶୁଣା ଓ ପରିଚିତ କଳାକାରମାନେ ବି ବିଭିନ୍ନ ଚରିତ୍ରରେ ରହିଛନ୍ତି । ପ୍ରଯୋଜନା ଦେବରାଜ ବିଧାର କରିଥିଲା ବେଳେ କାହାଣୀ ଓ ଚିତ୍ରନାଟ୍ୟ ଆଦିତ୍ୟ ନିଜେ ଲେଖିଛନ୍ତି । କ୍ୟାରିଅରର ଦ୍ୱିତୀୟ ସିନେମାରୁ ସେ ନିଜକୁ କେବଳ ଅଭିନୟରେ ସମୀତି ନରଖି ଏକ ଭିନ୍ନ ଦୁନିଆରେ ନିଜକୁ ଉପସ୍ଥାପିତ କରିଛନ୍ତି । ଯାହାକୁ ନେଇ ସେ ଆଶାବାଦୀ ସହ ବେଶ୍ ଖୁସି ରହିଛନ୍ତି । ସିନେମାର ସଂଳାପ ଅମିତ କୁମାର ଦାଶ ଓ ପ୍ରଣବ ପ୍ରସନ୍ନ ରଥ ଲେଖିଥିଲା ବେଳେ ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାଶ ଓ ଆଶିଷ ପ୍ରଧାନ । ସିନେମାଟୋଗ୍ରାଫି ଦାୟିତ୍ୱ ସମ୍ଭାଳିଛନ୍ତି ଦୀପକ କୁମାର ।