ଭୁବନେଶ୍ୱର,୧୩/୦୫: ସୀମାନ୍ତରେ ପାକିସ୍ତାନୀ ସେନା ଦ୍ୱାରା ବୃଦ୍ଧି ପାଉଥିବା ଆକ୍ରମଣ ପ୍ରତ୍ୟେକ ଭାରତୀୟଙ୍କୁ କ୍ରୋଧିତ କରିଛି । ହେଲେ ନିଜ ଜୀବନକୁ ବାଜି ଲଗାଇ ଶତ୍ରୁର ସବୁ ମନ୍ଦ ପ୍ରୟାସକୁ  ବିଫଳ କରୁଥିବା ଆମ ସାହସୀ ଭାରତୀୟ ସେନା  ପାଇଁ ଆମେ ଗର୍ବିତ । ଏହିଭଳି ଏକ ସମ୍ବେଦନଶୀଳ  ମୁହୂର୍ତ୍ତକୁ ଆଖିରେ ରଖି ଆମେ ଆମ ଆଗାମୀ  ଚଳଚ୍ଚିତ୍ର "ରାଣ୍ଡୀପୁଅ ଅନନ୍ତା’ର ସମସ୍ତ ପ୍ରଚାର,  ପ୍ରସାର କାର୍ଯ୍ୟକୁ ବନ୍ଦ କରୁଛୁ ବୋଲି ମୁଖ୍ୟ ଅଭିନେତା  ସବ୍ୟସାଚୀ ମିଶ୍ର କହିଛନ୍ତି । 

ସେ କହିଛନ୍ତି, ମାଟି ଓ  ମା’କୁ ରକ୍ଷା କରିବା ପାଇଁ ଦରକାର ପଡ଼ିଲେ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇବାକୁ ପଡୋ ସେଇ  ବାର୍ତ୍ତା ସମାଜକୁ ଦେବା ପାଇଁ ବ୍ୟାସ କବି ଲେଖିଥିଲେ  "ରାଣ୍ଡୀପୁଅ ଅନନ୍ତା’ ।  ଆଜି ଠିକ୍‌ ସେହିପରି ଭାରତର ବୀର ଯବାନ  ଜୀବନକୁ ଖାତିର ନ କରି ପାକିସ୍ଥାନର ଗୁଳିର ଜବାବ ବିନାଶକାରୀ ଗୋଳାରେ ଦେଇ ଶତ୍ରୁର ଆଡ୍ଡା ଧ୍ୱଂସ  କରିଦେଇଛନ୍ତି । ସେମିତି ସାହସୀ ସେନାକୁ ଆମେ ନମନ କରୁଛୁ । "ଅନନ୍ତା’ ଏକ ଚିନ୍ତାଧାରା, ଏକ  କ୍ରାନ୍ତି ଯାହା ଆମ ସମସ୍ତଙ୍କ ଭିତରେ ଅଛି । ଆବଶ୍ୟକ  ପଡ଼ିଲେ ଆମେ ସମସ୍ତେ ଜୀବନ ଦେଇପାରିବା ମାଟି  ଓ ମା’ ପାଇଁ । ଆସନ୍ତା ରଜରେ ଚଳଚ୍ଚିତ୍ରରେ ଆମେ  ଆସିବୁ ଏବଂ ଖୁବ୍‌ଶୀଘ୍ର ସବୁ ପ୍ରଚାର, ପ୍ରସାର ଆରମ୍ଭ  କରିବୁ । ଆସନ୍ତୁ ଆମ ବୀର ଯବାନ ଏବଂ ଏଲ୍‌ଓସି  ନିକଟରେ ରହୁଥିବା ନିରୀହ ଲୋକଙ୍କ ପାଇଁ ପ୍ରାର୍ଥନା  କରିବା ବୋଲି ସବ୍ୟସାଚୀ କହିଛନ୍ତି ।