ଭୁବନେଶ୍ୱର, ୨୦/୧୨: ଶୁକ୍ରବାର ଫ୍ରାଇଡେ ରିଲିଜ୍ ଅବସରରେ ମୁକ୍ତିଲାଭ କରୁଛି ଦୁଇ ଓଡ଼ିଆ ସିନେମା ‘ପରବ୍’ ଓ ‘ଅକ୍ସିଜେନ୍’ । ଉଭୟର ପ୍ରିମିୟର୍ କଳାକାରମାନଙ୍କ ସହିତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଜାତୀୟ ପୁରସ୍କାରପ୍ରାପ୍ତ ‘ଦମନ’ର ଅପୂର୍ବ ସଫଳତା ପରେ ଜେପି ମୋସନ୍ ପିକ୍ଚର୍ସ ବ୍ୟାନରରେ ପ୍ରଯୋଜକ ଦିପେନ୍ଦ୍ର ସାମଲ ନିର୍ମାଣ କରିଛନ୍ତି ‘ପରବ୍’ । ଯାହା ଶୁକ୍ରବାର ୫୨ଟି ସିନେମା ହଲ୍ରେ ୧୧୫ଟି ସ୍କ୍ରିନ୍ରେ ମୁକ୍ତିଲାଭ କରିବ ।
ଓଡ଼ିଶା ଓ ଆନ୍ଧ୍ର ରାଜ୍ୟ ମଧ୍ୟରେ ପୂର୍ବରୁ କିପରି ବିବାଦ ରହିଥିଲା ଓ କି ପ୍ରକାରର ପରିସ୍ଥିତି ରାଜ୍ୟବାସୀଙ୍କୁ ସହିବାକୁ ପଡ଼ିଥିଲା ତାହା ହିଁ ଫିଲ୍ମର କାହାଣୀ ରହିଛି । ଏଥିରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଅନୁ ଚୌଧୁରୀ, ଦୀପନ୍ୱୀତ ଦାଶ ମହାପାତ୍ର, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ବରିଷ୍ଠ ଅଭିନେତା ଚୌଧୁରୀ ଜୟ ପ୍ରକାଶ ଦାସଙ୍କ ସମେତ ଅନେକ ପରିଚିତ କଳାକାର ଅଭିନୟ କରିଛନ୍ତି । ସିନେମା ସହ ଜଡ଼ିତ ପୂରା ଟିମ୍ ସଫଳତା ନେଇ ଆଶାବାଦୀ ଥିବାବେଳେ ଏଥିରୁ ଆୟ ଟଙ୍କାରୁ କିଛି ଅଂଶ ସମାଜ କଲ୍ୟାଣ ଲାଗି ଦାନ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ମିଡିଆ ପ୍ଲାନର୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।
ସେହିପରି ଅମ୍ଲଜାନର ଆବଶ୍ୟକତାକୁ ନେଇ ଆର୍ପି ପ୍ରଡକ୍ସନ୍ସ ବ୍ୟାନରରେ ପ୍ରଥମ ଥର ତିଆରି ହୋଇଛି ଓଡ଼ିଆ ଫିଲ୍ମ ‘ଅକ୍ସିଜେନ୍’ । ଏହା ସମ୍ପୂର୍ଣ୍ଣ ମନୋରଞ୍ଜନଭିତ୍ତିକ ନୂଆ କଣ୍ଟେଣ୍ଟର ଫିଲ୍ମଟିଏ । ସିନେମାଟି ରାଜ୍ୟର ୧୫ରୁ ଅଧିକ ହଲ୍ରେ ମୁକ୍ତିଲାଭ କରୁଛି । ଫିଲ୍ମର ମୁଖ୍ୟ ଭୂମିକାରେ ସମ୍ବିତ, ତମନ୍ନା ଏବଂ ବବି ମିଶ୍ର ଅଭିନୟ କରିଛନ୍ତି । ତାଙ୍କ ସହିତ ବାବୁ ପ୍ରଧାନ, ଡିସ୍କୋ ରେଡ୍ଡୀ, ତାନିଆ, ଥିନ୍, ଉମାକାନ୍ତ ମୁଦୁଲି, ନିଖିଳେଶ ଘୋଷ, କ୍ରିଷ୍ଣା, ଶ୍ରାବଣୀ, ରଶ୍ମି ପାଢ଼ୀ, ସୀମା, କମଲ, ପୃଥ୍ୱୀରାଜ, ପ୍ରସନ୍ନ ସାହୁ ଓ ଜଗନ୍ନାଥ ପ୍ରମୁଖ ବିଭିନ୍ନ ଚରିତ୍ରରେ ପରଦାରେ ଦେଖାଦେବେ। କାହାଣୀର ପ୍ରତିଟି ଚରିତ୍ରଙ୍କୁ ଜୀବନ୍ତ କରିବାର ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ । କଳାକାର ମାନଙ୍କର ଦମ୍ଦାର୍ ଅଭିନୟ ସାଙ୍ଗକୁ ଫିଲ୍ମର ଗୀତସବୁ ବହୁତ ମଧୁର ଏବଂ ଉଚ୍ଚକୋଟୀର ହୋଇଛି ।
ଗୀତସବୁ ପ୍ରତି ଓଡ଼ିଆ ଲୋକଙ୍କ ଘରେ ବାଜିବ ବୋଲି ପ୍ରଯୋଜକ ଶିବ ପ୍ରସାଦ ପଣ୍ଡା ଓ ସୁକେଶି ପଣ୍ଡା ଆଶା ରଖିଛନ୍ତି । କାହାଣୀ ଏବଂ ସଂଳାପ ଡ. ରଶ୍ମି ରଞ୍ଜନ ପଣ୍ଡା ଲେଖିଥିବା ବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମ୍ଦାର୍ । ଗୀତ ଲେଖିଛନ୍ତି ଡା. ନିର୍ମଳ ନାୟକ, ତପୁ ନାୟକ ଓ ସତ୍ୟରଞ୍ଜନ ବଳ ଏବଂ ଗାଇଛନ୍ତି ହ୍ୟୁମାନ୍ ସାଗର, ତାରିକ୍ ଅଜିଜ୍, ଅଭିଜିତ୍ ମଜୁମ୍ଦାର୍, ସତ୍ୟଜିତ୍ ପ୍ରଧାନ, ସ୍ମୃତି, ନେହା ନିହାରିକା ଓ ସୋନମ୍ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ ବୋଲି ପ୍ରଚାର, ପ୍ରସାର ଦାୟିତ୍ୱରେ ଥିବା ଅମରେଶ କହିଛନ୍ତି ।