ଭୁବନେଶ୍ୱର,୧୨/୧୨: ଏବେ ବ୍ରେନ ଟ୍ୟୁମର ଏକ ଭୟଙ୍କର ରୋଗ  ଭାବେ ଉଭା ହୋଇଛି । ତେବେ ବ୍ରେନ୍‌  ଟ୍ୟୁମର ସହ ମୁକାବିଲା କରିବାକୁ  କୃତ୍ରିମ ବୁଦ୍ଧିମତା(ଏଆଇ)ର ବ୍ୟବହାର  କରାଯିବ । ବଡ଼ କଥା ହେଉଛି, ଏହାରି  ଉପରେ ଗବେଷଣା କରୁଛନ୍ତି ଜଣେ  ଓଡ଼ିଆ ପୁଅ । ସେ ହେଲେ ଆମେରିକାରେ  ଅବସ୍ଥାପିତ କଟକର ବାସିନ୍ଦା ଅଭିଜିତ୍‌  ପରିଡ଼ା । ବାଙ୍କୀ ବ୍ଲକ ଚକୁଳେଶ୍ୱର  ଗ୍ରାମର ବାସିନ୍ଦା କମାଣ୍ଡର ଅବକାଶ  ପରିଡ଼ା ଓ ପ୍ରମୋଦିନୀଙ୍କ ପୁଅ ଅଭିଜିତ  କହନ୍ତି, ଗବେଷଣା ମାଧ୍ୟମରେ ରୋଗୀର  ରୋଗକୁ ଚିହ୍ନଟ କରାଯିବା ସହ କମ୍‌ ଖର୍ଚ୍ଚରେ ଏମ୍‌ଆର୍‌ଆଇ ଟେକ୍ନୋଲୋଜି  ବ୍ୟବହାର କରାଯାଇ ଚିକିତ୍ସା ଯୋଗାଇ  ଦିଆଯିବ । କେବଳ ସେତିକି ନୁହେଁ,  ଅଙ୍କୋଲୋଜିଷ୍ଟମାନଙ୍କୁ ଅଭିଜିତ୍‌ଙ୍କ  ଗବେଷଣା ସାହାଯ୍ୟ କରିବ । ଏବେ  ୱାସିଂଟନ୍‌ ଡିସିରେ ଶିଶୁମାନଙ୍କ ଚିକିତ୍ସା  ପାଇଁ ଥିବା ଜାତୀୟ ହସ୍ପିଟାଲରେ  ଅଭିଜିତ୍‌ଙ୍କ ସହ ଡାନିଏଲ କ୍ୟାପେଲାନ  ମାର୍ଟିନ, ଡା. ଜିଫାନ ଜିଆଙ୍ଗ, ଡା.  ଅଷ୍ଟିନ୍‌ ଟାପ, ଡା. ଜିନୟାଙ୍ଗ ଲିୟୁ,  ପ୍ରଫେସର ମାରିଆ ଲେଦେସମା  କାର୍ବାୟୋ, ପ୍ରଫେସର ସୟଦ୍‌ ମହମ୍ମଦ  ଅନୱାର ଓ ପ୍ରଫେସର ମାରିଅସ ଜର୍ଜ  ଲିଙ୍ଗୁରାରୁ ଏଆଇ ଉପରେ ଗବେଷଣା  କରୁଛନ୍ତି । ଏହାପୂର୍ବରୁ ଆଫ୍ରିକାରେ ବ୍ରେନ  ଟ୍ୟୁମର ସେଗମେଣ୍ଟେସନ ଚାଲେଞ୍ଜରେ  ଅଭିଜିତଙ୍କ ଟିମ୍‌ ଶୀର୍ଷ ସ୍ଥାନ ଅଧିକାର  କରିଥିଲା । ଅଭିଜିତ କହିଛନ୍ତି, ଭାରତରେ  ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇର ପ୍ରୟୋଗ  ଦ୍ୱାରା ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ  ପରିବର୍ତ୍ତନ ଆସିବ । ଯାହାଫଳରେ  ଦେଶର ଅନେକ ଗ୍ରାମାଞ୍ଚଳରେ ରୋଗୀ  ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ତାର ମଧ୍ୟ ଉନ୍ନତିକରଣ ହୋଇପାରିବ ।