ଭୁବନେଶ୍ୱର,୦୮/୦୯: ସାତ ଦିନ ହେଲାଣି ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ସରିଲାଣି । ନା ନୂଆ କୁଳପତି ନିଯୁକ୍ତି ହେଲେ ନା କାହାକୁ ଭାରପ୍ରାପ୍ତ ଦାୟିତ୍ୱ ମିଳିଲା । ଏପରିକି ପୂର୍ବ କୁଳପତିଙ୍କ କାର୍ଯ୍ୟକାଳ ବି ବୃଦ୍ଧି କରାଗଲାନି । ସଂପୂର୍ଣ୍ଣ ଭାବେ ମୁରବିଶୂନ୍ୟ ହୋଇ ପଡ଼ିରହିଛି ବିଶ୍ୱବିଦ୍ୟାଳୟ । ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗର ଚିନ୍ତା ନାହିଁ ।
ଓଡ଼ିଆ ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ ପ୍ରଫେସର ସବିତା ପ୍ରଧାନଙ୍କୁ ୨ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା । ୨୦୨୩ ଅଗଷ୍ଟ ୨୮ ତାରିଖରେ ତତ୍କାଳୀନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ନିଯୁକ୍ତ କରିଥିଲେ । ଗତ ଅଗଷ୍ଟ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ସେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଦାୟିତ୍ୱ କୁଳସଚିବଙ୍କୁ ହସ୍ତାନ୍ତର କରିଦେଇଥିଲେ ।
ଗତ ୪ ତାରିଖରୁ ସେ ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟ(ବିଶ୍ୱ ଭାରତୀ)ରେ ନିଯୁକ୍ତି ପାଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଠି ଆଶ୍ଚର୍ଯ୍ୟର କଥା, କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବାର ଢେର ଆଗରୁ ଅର୍ଥାତ୍ ମେ ୧୩ରେ ଖୋଦ୍ ଉଚ୍ଚଶିକ୍ଷା ବିଭାଗ ନୂଆ କୁଳପତି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା । ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଆଗେଇ ନାହାନ୍ତି ସରକାର ।
ଅନ୍ୟପଟେ ଓଡ଼ିଆ ବିଶ୍ୱବିଦ୍ୟାଳୟ ୱେବ୍ସାଇଟ୍ରୁ ମଧ୍ୟ ପ୍ରଫେସର ପ୍ରଧାନଙ୍କ ନାମକୁ ହଟେଇ ଦିଆଯାଇଛି । ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତି ନା ଆଗଉଛି ନା କାହାକୁ ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଉଛି । ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ କୁଳପତି ଚୟନ ପ୍ରକ୍ରିୟା ଆଗେଇ ପାରିନାହିଁ । ଏହି ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ଓ ରାଜ୍ୟବାହାରର ପ୍ରାୟ ୨୮ ଜଣ ପ୍ରଫେସର କୁଳପତି ପଦବି ପାଇଁ ଆବେଦନ କରିଛନ୍ତି ।