ଚନ୍ଦ୍ରଶେଖରପୁର, ୧୨।୨: ପ୍ରତିରକ୍ଷା ଉପକରଣ ନିର୍ମାତା ଆଇଜି ଡିଫେନ୍ସକୁ ଡ୍ରୋନ୍ କାରଖାନା ନିର୍ମାଣ କରିବାକୁ ରାଜ୍ୟ ସରକାର ଗଞ୍ଜାମରେ ୩୦ ଏକର ଜମି ଆବଣ୍ଟନ କରିଛନ୍ତି । ଦୁଇ ବର୍ଷରେ କାରଖାନା ନିର୍ମାଣ ହୋଇଯିବ ବୋଲି କମ୍ପାନିର ଉପାଧ୍ୟକ୍ଷ ମେଜର ଜେନେରାଲ ରମେଶ ଚନ୍ଦ୍ର ପାଢ଼ୀ କହିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପାଧ୍ୟକ୍ଷ କହିଛନ୍ତି ଯେ ୩୦୦ କୋଟି ଟଙ୍କାର ଏକ ଉନ୍ନତ ମାନର ମଲ୍ଟି-ଡ୍ରୋନ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଏହି କେନ୍ଦ୍ରରେ ମୁଖ୍ୟତଃ ଉନ୍ନତ ମାନର ଚାଳକବିହୀନ ଡ୍ରୋନ୍ ସହ ଅନ୍ୟାନ୍ୟ ପ୍ରତିରକ୍ଷା ସରଞ୍ଜାମ ତିଆରି କରାଯିବ । ଯେଉଁଥିରେ ଯୁଦ୍ଧ ପାଇଁ ଆବଶ୍ୟକ ହେଉଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଟାକ୍ଟିକାଲ୍ ଡ୍ରୋନ ଅନ୍ତର୍ଭୁକ୍ତ ହେବ ।

ଏହା ବି ପଢ଼ନ୍ତୁ... ଆଲିଙ୍ଗନ କରି ମନର କଥା କହିଲେ, ଆଜି କିସ୍ ଡେ' ପାଳିବେ ପ୍ରେମୀ ଯୁଗଳ

୨୦୧୮ରେ ସ୍ଥାପନ ହୋଇଥିବା ଆଇଜି ଡିଫେନ୍ସର ଏକ କାରଖାନା ନୋଏଡାରେ ରହିଛି । ଗତବର୍ଷ ଭାରତୀୟ ସେନାର ଅପରେସନ ସିନ୍ଦୂର ପାଇଁ କମ୍ପାନି କାମାକାଜି ଓ ଏଫ୍ ପିଭି ଭଳି ଦୁଇ ପ୍ରକାର ଡ୍ରୋନ ଯୋଗାଇଥିଲା । ଏହା ସହ ଅନେକ କ୍ଷେତ୍ରରେ ଏହାର ଡ୍ରୋନ୍ ଏବଂ କାଉଣ୍ଟର-ଡ୍ରୋନ ସଫଳତାର ସହ ପରୀକ୍ଷା କରାଯାଇଛି । ଏମାନଙ୍କର କିଛି ପ୍ୟାଟେଣ୍ଟପ୍ରାପ୍ତ ଡ୍ରୋନକୁ ଭାରତୀୟ ସେନା ଓ ନୌସେନାରେ ସାମିଲ କରାଯାଇଛି । ନିକଟରେ, ଆଇଜି ଡିଫେନ୍ସକୁ ବିଭିନ୍ନ ସୁରକ୍ଷା ବାହିନୀ ପକ୍ଷରୁ ୫,୦୦୦ରୁ ଅଧିକ ଏଫପିଭି କାମିକାଜେ ଷ୍ଟ୍ରାଇକର୍ ଡ୍ରୋନ୍ ଯୋଗାଇବା ପାଇଁ ଅର୍ଡର ମିଳିଛି । ଆମେ ରାଜ୍ୟ ସରକାରଙ୍କୁ ୧୦୦ ଏକର ଜାଗା ମାଗିଥିଲୁ । ପ୍ରାରମ୍ଭିକ ପର୍ଯ୍ୟାୟରେ ୩୦ ଏକର ଜାଗା ଦେବା ପାଇଁ ଅନୁମୋଦନ ମିଳିଛି । ୨୦୨୬-୨୭ରେ ବରାଦ ପରିମାଣ ୫୦୦ କୋଟି ଟଙ୍କା ଓ ପରବର୍ତ୍ତୀ ଆର୍ଥିକ ବର୍ଷରେ ୨୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଥିବା ଶ୍ରୀ ପାଢ଼ୀ କହିଛନ୍ତି ।