ଭୁବନେଶ୍ୱର,୧୭/୦୨: ବିଧାନସଭା ଅଧିବେଶନ ବେଳେ ସୁରକ୍ଷା ଦୃଷ୍ଟି କୋଣରୁ ବିଧାନସଭା ଚାରିପାଖ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି ହୋଇଛି । ବିଧାନସଭାକୁ ସଂଯୋଗ କରୁଥିବା ୫ଟି ରୁଟ୍‌କୁ ଡାଇଭର୍ଟ କରାଯାଇଛି । ଆଜିଠୁ ୨୪ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ ତାରିଖ ଯାଏଁ ଛୁଟିଦିନକୁ ଛାଡି ଏହି କଟକଣା ବଳବତ୍ତର ରହିବ । ଓଡିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ ଓ କମିଶନରେଟ୍ ପୁଲିସ ଟ୍ରାଫିକ ଓ ପବ୍ଲିକ ଅର୍ଡର ଓ ରେଗୁଲେସନ ୨୦୦୮ ଧାରା ୩୭ ଅନୁସାରେ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି ।

ପୁଲିସ ଜାରି କରିଥିବା କଟକଣା ଅନୁସାରେ, ଏଜି ଛକରୁ କେଶରୀ ଟକିଜ୍, ୧୨୦ ବାଟାଲିୟନ ଛକଠାରୁ ରବୀନ୍ଦ୍ର ମଣ୍ଡପ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ କରିପାରିବେନି । ହାଉସିଂ ବୋର୍ଡ ପଟୁ ରବୀନ୍ଦ୍ର ମଣ୍ଡପ ଆଡକୁ ଗାଡ଼ି ଆସିଲେ, କେଶରୀ ଟକିଜ୍‌ ଠାରୁ ବାମପାର୍ଶ୍ବ  ଦେଇ ଗନ୍ତବ୍ୟସ୍ଥଳକୁ ଯାଇପାରିବେ । ଏଜି ଛକ ପଟୁ ଆସିଲେ, ଜୟଦେବ ଭବନ ନିକଟରେ ଡାହାଣ ପାର୍ଶ୍ବ  ଦେଇ ଇନ୍ଦିରା ଗାନ୍ଧୀ ପାର୍କ ଗଳି ରାସ୍ତା ଦେଇ ଆର୍ବିଆଇ ପଛ ପଟେ ବାହାରି ପାରିବେ । ମାଷ୍ଟରକ୍ୟାଣ୍ଟିନ ପଛପାର୍ଶ୍ବରୁ  ଆସୁଥିବା ଗାଡି କଂଗ୍ରେସ ଭବନ ନିକଟ ଲୋୟର ପିଏମ୍‌ଜିରୁ ବାମପାର୍ଶ୍ବରୁ କିମ୍ବା ଡାହାଣ ପାର୍ଶ୍ବ ଦେଇ ଯାଇପାରିବେ । ଲୋକଭବନ ଛକ ପଟୁ ଏମ୍ଏଲ୍ଏ କଲୋନି କିମ୍ବା ରବିନ୍ଦ୍ର ମଣ୍ଡପ ଆଡ଼କୁ କେହି ଯିବାକୁ ଚାହିଁଲେ, ଶାସ୍ତ୍ରୀ ନଗର ଛକ ଦେଇ ଯାଇପାରିବେ ।

ଆହୁରି ପଢ଼ନ୍ତୁ :- ଆଜିଠୁ ବଜେଟ୍ ଅଧିବେଶନ, ଅଭିଭାଷଣ ରଖିବେ ରାଜ୍ୟପାଳ