ପ୍ରମୂଖ ଖବର

ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା

Published By : Ankita S | July 17, 2025 10:56 AM

ସାଲେପୁର,୧୭/୦୭: ଏଫଏମ୍ ଛାତ୍ରୀ ସୌମ୍ୟାଶ୍ରୀଙ୍କ ନ୍ୟାୟ ଦାବିରେ ଆଜି ଓଡ଼ିଶା ବନ୍ଦ ହୋଇଛି । କଂଗ୍ରେସ ସମେତ ୮ ରାଜନୈତିକ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଅଖ ଚକ ବନ୍ଦ, ଦୋକାନ ବଜାରରେ ତାଲା ଝୁଲୁଛି । ବନ୍ଦ ପାଳନ ସମୟରେ ନିଜନିଜର ପତିଆରା ଜାହିର ପାଇଁ ସାଲେପୁରରେ କଂଗ୍ରେସ ଦୁଇଗୋଷ୍ଠୀ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି ।

ବାଲେଶ୍ୱର ଫକୀରମୋହନ ସ୍ୱଂୟ ଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ପ୍ରତିବାଦ ସମୟରେ ସାଲେପୁରେ ଆଜି କଂଗ୍ରେସ ଦଳର ଦୁଇଗୋଷ୍ଠୀ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସାଲେପୁର  କୁଆପାଳ ଛକରେ ରାସ୍ତା ରୋକ ବେଳେ କଂଗ୍ରେସ ନେତା ଆକ୍ୟୁବ ଖାଁ ଓ ଯୁବନେତା ହରିବନ୍ଧୁ ଶତପଥିଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ପରିସ୍ଥିତି ଦେଖିବାକୁ ମିଳିଥିଲା । ଉଭୟ ଗୋଷ୍ଠୀର ସମର୍ଥକମାନେ ପୃଥକ ପୃଥକ ଭାବେ ରାସ୍ତା ଉପରେ ପାଲ ପକାଇ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

କଂଗ୍ରେସ ନେତା ଆକ୍ୟୁବ ଖାଁ ବର୍ଷ ବର୍ଷ ଧରି ସାଲେପୁରରେ ସଂଗଠନକୁ ମଜବୁତ୍‌ କରି ଆସୁଛନ୍ତି । ଏବେ ନୂଆ କରି ସାଲେପୁର କଂଗ୍ରେସ ସଂଗଠନର ମଙ୍ଗ ଧରିବାକୁ ହରିବନ୍ଧୁ ଆଗକୁ ଆସିଛନ୍ତି । ଏବେ କଂଗ୍ରେସ କମିଟିର ଦୁଇଗୋଷ୍ଠୀ ପକ୍ଷରୁ ପୃଥକ ପୃଥକ ଭାବେ ଓଡ଼ିଶା ବନ୍ଦ କରାଯାଉ ଥିବାରୁ ସାଲେପୁର କଂଗ୍ରେସରେ ଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.