ଭୁବନେଶ୍ୱର,୩୧/୦୮: ମହାନଦୀ ଜଳ ବିବାଦର ଆପୋସ ସମାଧାନ କରିବାକୁ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ସରକାରୀସ୍ତରରେ ଆଗ୍ରହ ପ୍ରକାଶ ପାଇଛି । ଦୀର୍ଘଦିନର ଏ ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ବାଟ ବାହାର କରିବାକୁ ସହମତ ହୋଇଛନ୍ତି । ଏପରିକି ଆସନ୍ତା ଡିସେମ୍ବର ମାସରେ ଏ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବୈଠକରେ ଏକାଠି ହୋଇପାରନ୍ତି ।
Odisha & Chhattisgarh move forward on Mahanadi talks
— CMO Odisha (@CMO_Odisha) August 30, 2025
The Chief Secretaries of Odisha & Chhattisgarh, along with senior Water Resources officials met to deliberate on the Mahanadi water issue. Both States agreed to work sincerely & amicably towards a mutually beneficial…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ଏକ୍ସ’ରେ ଦେଇଥିବା ସୂଚନା ଅନୁସାରେ, ଏ ଦିଗରେ ଦୁଇ ରାଜ୍ୟ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି । ଓଡ଼ିଶା ଓ ଛତିଶଗଡ଼ ସରକାର ଦୀର୍ଘ ଦିନର ବିବାଦର ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଶନିବାର ଅନୁଷ୍ଠିତ ବୈଠକରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ବିଭାଗୀୟ ଅଧିକାରୀମାନେ ମିଳିତ ଭାବେ ବିବାଦର ସମାଧାନ ପାଇଁ ଆଲୋଚନା କରିଛନ୍ତି । ଉଭୟ ରାଜ୍ୟ ଆପୋସ ବୁଝାମଣାରେ ଲୋକମାନଙ୍କ ହିତରେ ଉଚିତ ସମାଧାନ ବାଟ ଖୋଜିବାକୁ ସହମତ ହୋଇଛନ୍ତି ।
ଏଥିପାଇଁ ସେପ୍ଟେମ୍ବର ମାସରେ ପ୍ରତ୍ୟେକ ରାଜ୍ୟର ଇଆଇସିଙ୍କ ନେତୃତ୍ୱରେ ଗଠିତ ବୈଷୟିକ କମିଟିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସପ୍ତାହକୁ ଥରେ ବୈଠକ କରିବେ । ଏହି କମିଟି ଦ୍ୱାରା ମହାନଦୀ ଜଳ ବଣ୍ଟନରେ ଦୁଇ ରାଜ୍ୟରେ ଅଧିକ ସମନ୍ୱୟ ପାଇଁ ଏକ ଢାଞ୍ଚା ପ୍ରସ୍ତୁତ କରିବା ନେଇ ମଧ୍ୟ ଆଲୋଚନା ହେବ । ଅକ୍ଟୋବର ମାସରେ ଆଉଥରେ ମୁଖ୍ୟ ସଚିବ ଓ ଜଳସମ୍ପଦ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ ।
ଡିସେମ୍ବର ମାସରେ, ସୁବିଧା ଅନୁସାରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହେବେ । ଉଭୟ ରାଜ୍ୟର ଲୋକମାନଙ୍କ ହିତରେ ଦୀର୍ଘକାଳୀନ ଭାବରେ ସହମତିଭିତ୍ତିରେ ସମାଧାନ ପାଇଁ ବାଟ ବାହାର କରିବେ । ଓଡ଼ିଶା ସରକାର ସମସ୍ତଙ୍କ ପାଇଁ ଏକ ସମାବେଶୀ ତଥା ପାରସ୍ପରିକ ହିତକାରୀ ସମାଧାନ ପାଇଁ ଖୋଲା ମନରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ଦୁଇ ରାଜ୍ୟ ଏ ବିବାଦର ସମାଧାନ ପାଇଁ ଅଣ୍ଟା ଭିଡ଼ିଥିବାରୁ ଆଗାମୀ ଦିନରେ କି ବାଟ ଫିଟୁଛି ତାହାକୁ ସମସ୍ତଙ୍କ ଅପେକ୍ଷା।