ଭୁବନେଶ୍ୱର, ୧।୧ : ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ। ସବୁ କ୍ଷେତ୍ରରେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରି ଓଡ଼ିଆ ଜାତି ଏକ ସମୃଦ୍ଧ ରାଜ୍ୟ ଭାବରେ ଦେଶର ଏକ ଗ୍ରୋଥ୍ ଇଞ୍ଜିନ ହୋଇ ବିଶ୍ବ ପଟଳରେ ଭାରତର ମର୍ଯ୍ୟାଦାକୁ ବୃଦ୍ଧି କରିବ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଓଡିଶାର ଜନସାଧାରଣ ତଥା ଯୁବପିଢିଙ୍କୁ ବରପୁତ୍ର ମାନଙ୍କ ସ୍ମୃତି ସହିତ ଯୋଡି ରଖିବାକୁ ଏବଂ ସେମାନଙ୍କ ତ୍ୟାଗ ଓ ବଳିଦାନରେ ଅନୁପ୍ରେରିତ ହେବା ପାଇଁ ଏହି କାର୍ଯ୍ୟକ୍ରମକୁ ବରପୁତ୍ର ମାନଙ୍କ ଜନ୍ମସ୍ଥାନରେ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁଆଣ୍ଡୋରେ ରାଜ୍ୟସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ସାଧାରଣ ସ୍ଥାନରେ ଜନ୍ମହୋଇ, ଅସାଧାରଣ କାମ କରି ମଣିଷ କିପରି ଇଶ୍ବରତୁଲ୍ୟ ହୋଇପାରେ, ତା’ର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଉତ୍କଳମଣି । ଗୋପବନ୍ଧୁଙ୍କ ଦୁଃଖ, କଷ୍ଟ ଓ ତ୍ୟାଗ ଆଜି ଓଡ଼ିଆ ଜାତିର ଭାଗ୍ୟକୁ ବଦଳାଇ ଦେଇଛି ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁଙ୍କ ଅମ୍ଲାନ ସ୍ମୃତିକୁ ଆହୁରି ଦୀପ୍ତିମାନ କରିବା ପାଇଁ ତାଙ୍କ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ଏହି ଅବସରରେ ସତ୍ୟବାଦୀ ମହୋତ୍ସବ ସମୟରେ ସେ କରିଥିବା ଘୋଷଣା ବିଷୟରେ ମୁଖ୍ୟମନ୍ତ୍ରୀ ଦୋହରାଇଥିଲେ।
ସେ କହିଥିଲେ ଯେ ଗୋଟିଏ ଜାତିର ଉତ୍ଥାନର ମୂଳଶକ୍ତି ହେଉଛି ତା’ର ଅସ୍ମିତା । ଅସ୍ମିତା ବିନା ଗୋଟିଏ ଜାତି ଆତ୍ମା ବିହୀନ ମେସିନ୍ ପରି । ତେଣୁ, ଅର୍ଥନୈତିକ ବିକାଶ ସହିତ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଆମର ପ୍ରାଥମିକତା । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପରମ ଆରାଧ୍ୟ । ଜଗନ୍ନାଥଙ୍କ ଭକ୍ତିରେ ହିଁ ଓଡ଼ିଆ ଜାତିର ଶାନ୍ତି । ତାଙ୍କ ଆଶୀର୍ବାଦରେ ଓଡ଼ିଶା ଆଜି ୯୦ଟି ଗୌରବମୟ ବର୍ଷ ଅତିକ୍ରମ କରି ବର୍ତ୍ତମାନରେ ପହଞ୍ଚିଛି । ମହାପ୍ରଭୁଙ୍କ ଶୀକ୍ଷେତ୍ର ଓ ପୁରୀ ସହରର ବିକାଶ ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ ।
ସେ ଆହୁରି ମଧ୍ୟ କହିଥିଲେ ଯେ ପୁରୀ ଠାରେ ଏକ World Tourism Centre ପ୍ରତିଷ୍ଠା କରାଯିବ। ପୁରୀରେ କୃଜ୍ ଟର୍ମିନାଲ୍ ପ୍ରତିଷ୍ଠା ପାଇଁ ମଧ୍ୟ ଆମେ ପଦକ୍ଷେପ ନେଇଛୁ । ଏହା ସହିତ ଆମର ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାର ପୁନରୁଦ୍ଧାର କରାଯାଇ ଏହାକୁ ମଧ୍ୟ ବିଶ୍ବସ୍ତରୀୟ ଇକୋଟୁରିଜିମ୍ ହବ୍ରେ ପରିଣତ କରାଯିବ । ପୁରୀରେ ଏୟାରପୋର୍ଟ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଜାରି ରହିଛି । ଭୁବନେଶ୍ବରରୁ ପୁରୀ ଏନଏଚ୍ର ପ୍ରଶସ୍ତିକରଣ କରାଯିବ । ସମଗ୍ର ପୁରୀ ଜିଲ୍ଲା ଏକ ବିକଶିତ ଅଞ୍ଚଳରେ ପରିଣତ ହେବାକୁ ଯାଉଛି ।
ପୁରୀରେ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ସହିତ ଆହୁରି ୭ଟି ଏୟାରପୋର୍ଟ ନିର୍ମାଣ ପାଇଁ ଯୋଜନା କରାଯାଉଛି । ପ୍ରାୟ ୧୫ଟି ଜିଲ୍ଲାରେ ଗୋଟିଏ ଗୋଟିଏ ହେଲିପୋର୍ଟ ମଧ୍ୟ କରାଯିବ । ସାମୁଦ୍ରିକ ବାଣିଜ୍ୟ ଓ ଯୋଗାଯୋଗ ପାଇଁ କେନ୍ଦ୍ରାପଡା ଠାରେ ପ୍ରାୟ ୨୫ ହଜାର କୋଟି ଟଙ୍କା ବିନିଯୋଗରେ ଏକ ମେଗା ସିପ୍ ବିଲ୍ଡିଙ୍ଗ କ୍ଲଷ୍ଟର ନିର୍ମାଣ କରାଯିବ । ଗଞ୍ଜାମର ବାହୁଦା ଠାରେ ପ୍ରାୟ ୨୨ ହଜାର ଟଙ୍କା ବିନିଯୋଗରେ ଏକ ସାଟେଲାଇଟ୍ ପୋର୍ଟ ସହିତ ଅନେକ ଛୋଟ ଛୋଟ ବନ୍ଦର ନିର୍ମାଣର ପ୍ରକ୍ରିୟା ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଦିବସ ଉପଲକ୍ଷେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ବାର୍ତ୍ତାକୁ ମୁଖ୍ୟମନ୍ତ୍ରୀ ପାଠ କରିବା ସହିତ ଉଭୟଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଭାରତର ରାଷ୍ଟ୍ରପତି, ଓଡିଶା ପୋଲିସର ୯୧ତମ ସ୍ଥାପନା ଦିବସ ଅବସରରେ ଉତ୍କୃଷ୍ଟ ସେବା ପାଇଁ ଐତିହାସିକ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର୍ ଆୱାର୍ଡ’ କୁ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ପୁରୀ ସାଂସଦ ଡ. ସମ୍ୱିତ ପାତ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଉତ୍କଳମଣି ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ଦାସ ଏବଂ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନ ଓ ଉତ୍କଳମଣିଙ୍କ କୂଳ ଦେବତା ପ୍ରଭୁ ଶ୍ରୀ ରାଧା ବିନୋଦବିହାରୀଙ୍କୁ ଦର୍ଶନ କରିଥିଲେ। ଗୋପବନ୍ଧୁ ପାର୍କ ଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି, ଗୋପବନ୍ଧୁ ସଂଗ୍ରହାଳୟ ପରିଦର୍ଶନ କରିଥିଲେ।