ଭୁବନଶ୍ବେର,୧୯/୦୨: ବିଧାନସଭା ବଜେଟ୍ ଅଧିବେଶନ । ୨୦ ତାରିଖରେ ଗୃହରେ ଉପସ୍ଥାପନ ହେବ ବଜେଟ୍ । ହେଲେ ଏହା ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୫-୨୬ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇକୋନୋମିକ୍ ସର୍ଭେ ରିପୋର୍ଟକୁ ବିଧାନସଭାରେ ରଖିଛନ୍ତି । ଏଥିରେ ଶିକ୍ଷା ଓ କୌଶଳ ବିକାଶ ଏବଂ ସ୍ବାସ୍ଥ୍ୟ ଉପରେ ଆକଳନ କରାଯାଇଛି ।
ଶିକ୍ଷା ଓ କୌଶଳ ବିକାଶ:
ଉଚ୍ଚ ଶିକ୍ଷା କ୍ଷେତ୍ରରେ ଓଡିଶା ବିଦ୍ୟାଳୟ ଶିକ୍ଷା ବଜେଟର ଆକାର ବଢ଼ିଛି । ୨୦୨୩-୨୪ରେ ଏହା ୨୨,୫୨୭ କୋଟି ଟଙ୍କା ଥିଲେ । ବର୍ତ୍ତମାନ ଅର୍ଥାତ୍ ୨୦୨୫-୨୬ରେ ୩୧,୧୮୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯାହାକି ୨ବର୍ଷ ମଧ୍ୟରେ ୩୮.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି।
ସେହିପରି ରାଜ୍ୟର ସରକାରୀ ବିଦ୍ୟାଳୟଗୁଡିକରେ ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟାର ୮୦.୮ ପ୍ରତିଶତ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭିତ୍ତିଭୂମିର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ସ୍କୁଲ ଗୁଡ଼ିକରେ ପାନୀୟ ଜଳ, ପାଠାଗାର, ଶୌଚାଳୟ ସୁବିଧା ଏବଂ ବିଦ୍ୟୁତ ସଂଯୋଗୀକରଣ ହୋଇଛି । ଏହାଛଡ଼ା ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ ସରକାରୀ ବିଦ୍ୟାଳୟ ଗୁଡିକରେ କମ୍ପ୍ୟୁଟର ସୁବିଧା ୨୯ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୪-୨୫ରେ ୮୪ ପ୍ରତିଶତ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ହୋଇଛି । ରାଜ୍ୟରେ ଶିକ୍ଷକ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇଛି । ଯେଉଁଥିପାଇଁ ରାଜ୍ୟରେ ଛାତ୍ର-ଶିକ୍ଷକ ଅନୁପାତ(ପିଟିଆର) ମଧ୍ୟ ବୃଦ୍ଧି ପାଇଛି । ବିଦ୍ୟାଳୟ ଶିକ୍ଷାର ସମସ୍ତ ସ୍ତରରେ ଓଡିଶାର ପିଟିଆର ସର୍ବଭାରତୀୟ ସ୍ତରଠାରୁ ଉନ୍ନତ ରହିଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟ ଉଲ୍ଲେଖ ରହିଛି ।
ସ୍ୱାସ୍ଥ୍ୟସେବା:
ଅର୍ଥନୈତିକ ସର୍ଭେ ରିପୋର୍ଟରେ ସ୍ବାସ୍ଥ୍ୟସେବା କ୍ଷେତ୍ର ମଧ୍ୟ ଫୋକସରେ ରହିଛି । ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଲାଗି ରାଜ୍ୟ ପକ୍ଷରୁ ମହତ୍ୱପୂର୍ଣ୍ଣ ନିବେଶ କରାଯାଇଛି। ଜନସ୍ୱାସ୍ଥ୍ୟ ବ୍ୟୟରେ କ୍ରମାଗତ ବୃଦ୍ଧି ଘଟିଛି । ୨୦୧୯-୨୦ ଅର୍ଥିକ ବର୍ଷରେ ୬.୯ ହଜାର କୋଟି ଟଙ୍କା ଥିବା ବେଳେ ୨୦୨୪-୨୫(ସଂଶୋଧିତ ଆକଳନ)ରେ ଏହା ୧୯.୭ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ସେହିପରି ରାଜ୍ୟ ସରକାର ୮,୫୦୦ରୁ ଅଧିକ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସହିତ ସ୍ୱାସ୍ଥ୍ୟସେବା ସୁବିଧାକୁ ବିସ୍ତାର କରିଛନ୍ତି । ଜିଲ୍ଲା ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉନ୍ନତିକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସେହିଭଳି ଆମ ହସ୍ପିଟାଲ ସ୍କିମ୍ ଭଳି ଫ୍ଲାଗସିପ୍ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ତେବେ ସମନ୍ୱିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏଓ୍ୱାଇ), ରାଜ୍ୟ ପ୍ରୟୋଜିତ ସ୍ୱାସ୍ଥ୍ୟବୀମା ଯୋଜନା, ଆର୍ଥିକ ଅନଗ୍ରସର ଲୋକଙ୍କୁ ନଗଦ ଟଙ୍କା ବିହୀନ ସ୍ବାସ୍ଥ୍ୟସେବା ପ୍ରଦାନ କରି ଆର୍ଥିକ ସୁରକ୍ଷାକୁ ବୃଦ୍ଧି କରିଛନ୍ତି ସରକାର ।
ଅଧିକ ପଢ଼ନ୍ତୁ-ଅର୍ଥନୈତିକ ସର୍ଭେ ରିପୋର୍ଟରେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ, ୨୦୨୫ ସୁଦ୍ଧା ୧୬.୪୨ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି