- ୨୧ ବର୍ଷ ବୟସରେ ଭାରତୀୟ ଦଳରେ ସାମିଲ
- ୩୮ ବର୍ଷ ବୟସରେ ଦେହାନ୍ତ
- ସ୍ୱର୍ଣ୍ଣପଦକ ବିଜେତାଙ୍କ ସ୍ମୃତି ଖୋଜିଲେ ମିଳୁନି
- ମହମ୍ମଡାନ୍ ସ୍ପୋର୍ଟିଂରେ ମିଳିଛି ସମ୍ମାନ
- ଓଡ଼ିଶାରେ ଫଟୋଟିଏ ବି ନାହିଁ
କଟକ, ୧୦/୦୭(ସୁକେଶ ବେହେରା): ୧୯୮୬ ମସିହା ଫୁଟବଲ୍ ବିଶ୍ୱକପ୍ ଚାମ୍ପିଅନ୍ ଆର୍ଜେଣ୍ଟିନାର ଷ୍ଟାର୍ ଖେଳାଳି ଡିଏଗୋ ମାରାଡୋନାଙ୍କୁ ନେଇ ସେ ସମୟରେ ଜୋର୍ ଚର୍ଚ୍ଚା ଚାଲିଥାଏ । ଏତିକିବେଳେ ଓଡ଼ିଶାରେ ମାରାଡୋନାଙ୍କ କଥା ଉଠିବା ମାତ୍ରେ କିଛି ଫୁଟବଲ୍ ପ୍ରେମୀ କହିବସନ୍ତି, ‘ମାରାଡୋନା ଆମ ବଚ୍ଚନ୍ (ବେଚୈନ୍)ଙ୍କ ଭଳି ଦ୍ରୁତ ଓ ଗୋଲ୍ ଦେବାରେ ଓସ୍ତାଦ୍ ।’ ଏମିତିଆ ଚର୍ଚ୍ଚା ବେଳକୁ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ଫୁଟବଲ୍ ଖେଳାଳି ତଥା ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ବିଜୟୀ ବଚ୍ଚନ୍ ଓରଫ୍ ଅବଦୁଲ୍ ମଜିଦ୍ଙ୍କ ଦେହାନ୍ତକୁ ୫୮ ବର୍ଷ ବିତିସାରିଥିଲା । ତାଙ୍କ ଅବର୍ତ୍ତମାନର ଏତେ ବର୍ଷ ପରେ ବି ସେ ସମୟରେ ଓଡ଼ିଶା ଫୁଟବଲ୍ପ୍ରେମୀଙ୍କ ମନରେ ସେ ଥିଲେ ଭାରତର ଏକ ନମ୍ବର ସେଣ୍ଟର୍ ଫର୍ୱାର୍ଡ ।
ପୂର୍ବଭଳି ଭାରତରେ କିମ୍ବା ଆମ ରାଜ୍ୟରେ ଫୁଟବଲ୍ର କ୍ରେଜ୍ ନାହିଁ । ସବୁଆଡ଼େ କ୍ରିକେଟ୍ ଓ କ୍ରିକେଟ୍ ଖେଳାଳିଙ୍କ ଚର୍ଚ୍ଚା । ହେଲେ ଆଜି ବି ବଚ୍ଚନଙ୍କ ଲୋକପ୍ରିୟତା ପୁରୁଣା ଫୁଟବଲ୍ ପ୍ରେମୀମାନଙ୍କ ମନରେ ଅଛି । ଟିକେ ଟିକେ କଥାରେ ସେମାନେ ବଚ୍ଚନ୍ଙ୍କ ଖେଳ କଥା କୁହନ୍ତି । କିନ୍ତୁ ଓଡ଼ିଶାର ବଚ୍ଚନ୍ କିଏ ଓ ତାଙ୍କ ସ୍ମୃତି କ’ଣ ସେ ସମ୍ପର୍କରେ ଆଜିକା ପିଢ଼ିଙ୍କ କଥା ଦୂରେ ଥାଉ ଅନେକ କ୍ରୀଡ଼ାପ୍ରେମୀ ମଧ୍ୟ ଜାଣନ୍ତିନାହିଁ । ତାର ସବୁଠୁ ବଡ଼ କାରଣ ହେଲା ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ଫୁଟବଲ୍ ତାରକା ଅବଦୁଲ୍ ମଜିଦ୍ ବା ବଚ୍ଚନ୍ଙ୍କ ସ୍ମୃତି ସୁରକ୍ଷା ଉଦ୍ଦେଶ୍ୟରେ ସେମିତି କିଛି ବି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସିନେ ତାରକା, ରାଜନେତା, ସାହିତ୍ୟିକ, ସମାଜସେବୀ ଭଳି ବିଭିନ୍ନ ବର୍ଗରେ ପ୍ରତିଷ୍ଠିତ, ପ୍ରସିଦ୍ଧ ଲୋକଙ୍କୁ ଯେଉଁଭଳି ସମ୍ମାନ ମିଳିଛି, ତାଙ୍କ ସ୍ମୃତିରକ୍ଷା ପାଇଁ ଯେଉଁଭଳି କାର୍ଯ୍ୟକ୍ରମ କରାଯାଉଛି ସେଭଳି କାମ କିନ୍ତୁ ଭାରତକୁ ପ୍ରତିନିଧିତ୍ୱ କରିଥିବା ବଚ୍ଚନଙ୍କ କ୍ଷେତ୍ରରେ ହୋଇନାହିଁ । କଟକ ସହରରେ ତାଙ୍କ ପ୍ରତିମୂର୍ତ୍ତି ରହିବା ଦୂରେ ଥାଉ ଫଟୋଟିଏ ବି କେଉଁଠି ଦେଖିବାକୁ ମିଳେନାହିଁ । ଏହାଠାରୁ ବଡ଼ ଦୁର୍ଭାଗ୍ୟଜନକ ଆଉ କ’ଣ ବା ହୋଇପାରେ!
୧୯୩୦ ମସିହାରେ କଟକ ଓଡ଼ିଆ ବଜାରରେ ଅବଦୁଲ୍ ମଜିଦ୍ଙ୍କ ଜନ୍ମ । ସୟଦ ସେମିନାରୀ ସ୍କୁଲ୍ରୁ ପାସ୍ କରି ୧୯୪୮ ମସିହାରେ ରେଭେନ୍ସା କଲେଜରେ ପଢୁଥିବା ବେଳେ ତାଙ୍କୁ ଫୁଟବଲ୍ରେ ‘କଲେଜ୍ ବ୍ଲୁ’ ସମ୍ମାନ ମିଳିଥିଲା । କଟକର ବିଭିନ୍ନ କ୍ଲବ୍ରୁ ଫୁଟବଲ୍ ଖେଳି ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିବା ବଚ୍ଚନ୍ ସେ ସମୟରେ କୋଲକାତାର ଅଗ୍ରଣୀ ଫୁଟବଲ୍ କ୍ଲବ୍ ମହମ୍ମଡାନ୍ ସ୍ପୋର୍ଟିଂର ସଦସ୍ୟ ହୋଇଥିଲେ । କୋଲକାତାର ଅନ୍ୟତମ ପ୍ରସିଦ୍ଧ କ୍ଲବ୍ ମୋହନ୍ ବାଗାନ୍ ମଧ୍ୟ ଅବଦୁଲ୍ଙ୍କୁ ନିଜ ଟିମ୍କୁ ନେବାକୁ ଚେଷ୍ଟା କରିଥିଲା । କିନ୍ତୁ ଅବଦୁଲ୍ ମହମ୍ମଡାନ୍ ସ୍ପୋର୍ଟିଂକୁ ନିଜ ପ୍ରଥମ ପସନ୍ଦ କରିଥିଲେ । ପଡ଼ିଆରେ ସେ ବେଶ୍ ତେଜ୍ ଥିଲେ । ବଲ୍ ଗୋଡ଼କୁ ଆସିବା ମାତ୍ରେ ବିଜୁଳି ବେଗରେ ଧାଇଁ ଗୋଲ୍ ଦେବାରେ ପାରଙ୍ଗମ ଥିଲେ । ପଡ଼ିଆରେ ତାଙ୍କ ଅତି ଦ୍ରୁତଗତିକୁ ଦୃଷ୍ଟିରେ ରଖି କୋଲକାତାର ଫୁଟବଲ୍ ପ୍ରେମୀମାନେ ମଜିଦ୍ଙ୍କୁ ହିନ୍ଦୀରେ ବେଚୈନ୍ (ଅସ୍ଥିର) ବୋଲି ସମ୍ବୋଧନ କରୁଥିଲେ । ଲୋକମୁଖରେ ବେଚୈନ୍ ଧୀରେ ଧୀରେ ବଚ୍ଚନରେ ପରିଣତ ହୋଇଗଲା । ସାରା ଫୁଟବଲ୍ ଜଗତରେ ସେ ବଚ୍ଚନ ନାଁରେ ବି ପ୍ରସିଦ୍ଧ ଥିଲେ ।
୧୯୪୮ ମସିହାରେ ମହମ୍ମଡାନ୍ ସ୍ପୋର୍ଟିଂ ଲିଗ୍ ଚାମ୍ପିଅନ୍ ହୋଇଥିବା ବେଳେ ଅବଦୁଲ୍ଙ୍କୁ ଭାରତୀୟ ଜାତୀୟ ଦଳରେ ସୁଯୋଗ ମିଳିଥିଲା । ଏସିଆନ୍ ଗେମ୍ସରେ ଭାରତକୁ ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣ ବିଜୟୀ ହୋଇଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ୧୯୫୦ ମସିହାରେ ଅବଦୁଲ୍ଙ୍କୁ ସିଧାସଳଖ ପୁଲିସ୍ ଡିଏସ୍ପି ପଦବିରେ ନିଯୁକ୍ତି ଦେଇଥିଲେ । ୧୯୫୨ ମସିହାରେ ସେ ଛତ୍ରପୁରର ଏସ୍ପି ମଧ୍ୟ ହୋଇଥିଲେ । ପରେ କ୍ରାଇମ୍ବ୍ରାଞ୍ଚ୍ର ଏସ୍ପି ଭାବେ ଅବସ୍ଥାପିତ ହୋଇଥିଲେ ।
୧୯୬୮ ମସିହାରେ, ମାତ୍ର ୩୮ବର୍ଷ ବୟସରେ ଜୀବନର ସବୁ ଶୀର୍ଷ ଉପଲବ୍ଧ ହାସଲ କରିସାରିଥିବା ବଚ୍ଚନ୍ଙ୍କ ହୃଦଘାତରେ ଦେହାନ୍ତ ହୋଇଥିଲା । ଏଭିତରେ ୫୮ ବର୍ଷ ବିତିସାରିଛି । ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ଫୁଟବଲ୍ ଖେଳାଳିଙ୍କ ସ୍ମୃତି ଏକରକମ ଅଲୋଡ଼ା, ଅଖୋଜା ହୋଇଯାଇଛି । ନା ତାଙ୍କ ସ୍ମୃତିରେ କିଛି ପୁରସ୍କାର ଘୋଷଣା ହୋଇଛି ନା ତାଙ୍କର ପ୍ରତିମୂର୍ତ୍ତିଟିଏ କେଉଁଠି ଦେଖିବାକୁ ମିଳେ । କେବଳ ବଚ୍ଚନ୍ ମେମୋରିଆଲ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ନାଁରେ ଏକ ପ୍ରତିଯୋଗିତା ଆୟୋଜିତ ହେଉଛି । ବଚ୍ଚନଙ୍କ ସ୍ମୃତି ରକ୍ଷା କ୍ଷେତ୍ରରେ ଏଭଳି ଉଦାସୀନତାକୁ ନେଇ ତାଙ୍କ ପରିବାର ସଦସ୍ୟମାନେ ଦୁଃଖ କରନ୍ତି । ସ୍ୱର୍ଗତ ଅବଦୁଲ୍ଙ୍କ ସାନ ପୁଅ ଆରିଫ୍ ଫେହମିଦ୍ କହନ୍ତି, ପ୍ରଥମ ଅର୍ନ୍ତଜାତୀୟ ଫୁଟବଲ୍ ଖେଳାଳି ଭାବେ ବାପାଙ୍କ ସ୍ମୃତିରେ ସେମିତି କିଛି ବି ହୋଇନାହିଁ । କୋଲକାତାର ମହମ୍ମଡାନ୍ ସ୍ପୋର୍ଟିଂରେ ଆଜି ବି ତାଙ୍କର ଏକ ବିରାଟ ଫଟୋଚିତ୍ର ଲାଗିଛି । ତାଙ୍କ ସ୍ମୃତି ରକ୍ଷା ପାଇଁ କ୍ଲବ୍ ପକ୍ଷରୁ ପଦକ୍ଷେପ ନିଆଯାଉଛି । କିନ୍ତୁ ଓଡ଼ିଶାରେ ସେମିତି କିଛି ବି ଦେଖିବାକୁ ମିଳେନାହିଁ । ଏହା ବିଡ଼ମ୍ବନା ନୁହେଁ ତ ଆଉ କ’ଣ? ତାଙ୍କ ପରିବାର ଭାବେ ଆଜି ବି ଆମେ ଗର୍ବ କରୁ । କିନ୍ତୁ ଓଡ଼ିଶା ପାଇଁ ସେ ଯେଉଁ ଗର୍ବ, ଗୌରବ ଆଣିଥିଲେ ତା’ ବଦଳରେ ତାଙ୍କୁ ମରଣୋତ୍ତର ସମ୍ମାନ ଦେବାରେ କ’ଣ ଅସୁବିଧା ବୋଲି ଫେହମିଦ୍ କ୍ଷୋଭର ସହ କହନ୍ତି ।